ପଟ୍ଟାମୁଣ୍ତାଇ: ବ୍ରାହ୍ମଣୀ ବନ୍ୟା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଅଭାବନୀୟ ସ୍ଥିତି ସୃଷ୍ଟି କରିଛି। ଅଳଭାଠାରେ ବ୍ରାହ୍ମଣୀ ବିପଦସଂକେତ ଉପରେ ବହୁଛି। ଏଠାରେ ବିପଦସଙ୍କେତ ୧୬ ଫୁଟ୍ ଥିବା ବେଳେ ଜଳସ୍ତର ୧୭ ଫୁଟ୍ ରହିଛି। ବନ୍ୟାରେ ସମଗ୍ର ଧୋୟାଞ୍ଚଳ ବୁଡ଼ି ରହିଛି। ପଟ୍ଟାମୁଣ୍ଡାଇ ବ୍ଲକ୍ର ୧୦ ପଞ୍ଚାୟତ ଓ ପୌରାଞ୍ଚଳ ଅଧୀନ ୬ଟି ୱାର୍ଡର ପ୍ରାୟ ୮୦ ହଜାର ଲୋକ ଜଳବନ୍ଦି ଅବସ୍ଥାରେ ଅଛନ୍ତି। ସିଂହଗାଁ ପରିସ୍ଥିତି ଉଦ୍ବେଗଜନକ; ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ଅଳପୁଆ ପଞ୍ଚାୟତ ସୋବଳପୁରରୁ ଗୋଜିଆକଣ ରାସ୍ତାରେ ପ୍ରାୟ ଶହେ ଫୁଟ୍ର ଘାଇ ହେବା ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଅନ୍ୟପଟେ ଅଳପୁଆ ପୋଖରୀକୂଳ ନିକଟରେ ବନ୍ୟା ପାଣିରେ ଏକ ବିରାଟକାୟ କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଥିଲା।
ବ୍ରାହ୍ମଣୀ ସହିତ କାଣୀ, ଖରସ୍ରୋତା ସମେତ ଏହାର ଶାଖା ନଦୀରେ ମଧ୍ୟ ବନ୍ୟା ଆସିବା ଯୋଗୁଁ ଧୋୟାଞ୍ଚଳବାସୀ ପ୍ରଭାବିତ ହୋଇଛନ୍ତି। ଶହଶହ ଏକର ଚାଷ ଜମି ବୁଡ଼ି ରହିଛି। କାଣୀ ଓ ବ୍ରାହ୍ମଣୀରେ ବନ୍ୟା ଆସିବା ଯୋଗୁଁ ସିଂହଗାଁ ପଞ୍ଚାୟତର କୃଷ୍ଣଦାସପୁର, ସାନରାଉଳିଆ, ବଡରାଉଳିଆ ଓ ସିଂହଗାଁ, ପାଣିସାଉଁଳିଆ ଗ୍ରାମ ପାଣିଘେରରେ ରହିଛି। ବିଭିନ୍ନ ସ୍କୁଲ ଓ କଲେଜରେ ପାଣି ପଶିଛି। ଦାଣ୍ଡିସାହି କଲେଜ, ଜୟହିନ୍ଦ ହାଇସ୍କୁଲରେ ବନ୍ୟାଜଳ ପ୍ରବେଶ କରିଛି। ସେହିପରି ବହୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଣି ପଶିଥିବା ସୂଚନା ମିଳିଛି। କେନ୍ଦ୍ରାପଡ଼ା ଜଳସଂପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ଉମେଶ ସେଠୀ, ପଟ୍ଟାମୁଣ୍ତାଇ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରଭାତ ସାହୁ ଓ ସହକାରୀଯନ୍ତ୍ରୀ ମନୋରଂଜନ ସାହୁ ଉତିକଣ ଘେରିବନ୍ଧ ସହ ଡମରପୁର ଘେରି ବନ୍ଧ ପରିଦର୍ଶନ କରି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଦୁର୍ବଳ ସ୍ଥାନ ଗୁଡିକରେ ବାଲିବସ୍ତା ସହ ସଜାଗ ରହିବାକୁ ପଟ୍ଟାମୁଣ୍ତାଇ ଜଳସଂପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/56f4h654fsffhfh.jpg)