ପଟ୍ଟାମୁଣ୍ଡାଇ: ବ୍ରାହ୍ମଣୀ ବନ୍ୟାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ର ୧୨ଟି ପଞ୍ଚାୟତର ୫୦ ହଜାର ଲୋକ ଜଳବନ୍ଦି ଅବସ୍ଥାରେ ରହିଛନ୍ତି। ଚାରି ଦିନ ହେଲା ପାଣି ଛାଡୁ ନଥିବାରୁ ପିଇବା ପାଣି ଓ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତା ବଢ଼ିଛି। ତେବେ ସବୁଠୁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି କୁମ୍ଭୀରଙ୍କୁ ନେଇ। ବଡ଼ ବଡ଼ କୁମ୍ଭୀର ପାଣିରେ ଭାସୁଥିବା ବେଳେ ଲୋକେ ଏବେ ଘରୁ ବାହାରିବାକୁ ବି ଭୟ କରୁଛନ୍ତି। ପଟ୍ଟାମୁଣ୍ଡାଇ ଅଳଭାରେ ବ୍ରାହ୍ମଣୀ ନଦୀର ବିପଦ ସଂକେତ ୧୬ ଫୁଟ ଥିଲା ବେଳେ ଆଜି ସନ୍ଧ୍ୟାରେ ଜଳସ୍ତର ୧୮.୨ ଫୁଟ ରହିଛି। ଉପାନ୍ତ ଅଞ୍ଚଳରେ ଥିବା ସିଂହଗାଁ ପଞ୍ଚାୟତ ୩ଟି ନଦୀର ବନ୍ୟାରେ ପ୍ରଭାବିତ ହୋଇ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇରହିଛି। ଏହି ପଞ୍ଚାୟତର କୃଷ୍ଣଦାସପୁର, ରାଉଳିଆ, ବଡ଼ରାଉଳିଆ, ସିଂହଗାଁ ସମେତ ୫ଟି ଗ୍ରାମର ୭୦ ପ୍ରତିଶତ ଲୋକଙ୍କ ଘରେ ପାଣି ପଶିଯାଇଛି। ଗାଁ ଭିତରେ ଥିବା ନଳକୂପ ପାଣିରେ ବୁଡ଼ି ରହିଛି। ସ୍କୁଲ୍ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବୁଡ଼ିଯିବା ଯୋଗୁ ବିପନ୍ନମାନେ କୋଠାଘରମାନଙ୍କରେ ଆଶ୍ରୟ ନେଇଛନ୍ତି। ଅନେକସ୍ଥାନରେ ଚୁଲି ଓ ଗ୍ୟାସ୍ ଅଭାବରୁ ରନ୍ଧାଖାଦ୍ୟ ଖାଇ ନ ପାରି କେବଳ ବନ୍ୟାପାଣି ପିଇ ଜୀବନ ବଞ୍ଚାଇଛନ୍ତି। ଘରେ ଥିବା ଧାନଚାଉଳ ସବୁ ପାଣିରେ ବୁଡ଼ି ରହିଛି। ପ୍ରଶାସନ ପକ୍ଷରୁ ଏ ଯାଏଁ କୌଣସି ଖାଦ୍ୟ କି ପାଣି ଦିଆଯାଇ ନାହିଁ। ଲୋକ ଏବେ ଶୌଚ ବି ହୋଇ ପାରୁନାହାନ୍ତି।
ବନ୍ୟାଞ୍ଚଳ ପାଇଁ ୫୦ଟି ଡଙ୍ଗାର ଆବଶ୍ୟକତା ଥିଲା ବେଳେ କେବଳ ୧୪ଟି ଡଙ୍ଗା ଯୋଗାଇ ଦିଆଯାଇଛି। ପଟ୍ଟାମୁଣ୍ତାଇ ବ୍ଳକ୍ ଅନ୍ତର୍ଗତ ୧୪ଟି ପଞ୍ଚାୟତର ଅଧିକାଂଶ ଗାଁରେ ବନ୍ୟା ପରିସ୍ଥିତି ଗୁରୁତର ହେବାରେ ଲାଗିଛି। ବ୍ଳକ୍ର ବଳଭଦ୍ରପୁର, ଡାମରପୁର, ଶ୍ରୀରାମପୁର, ବାଲିପାଟଣା, ବାଛରା, ବଲୁରିଆ, ଅମୃତମଣୋହୀ, ଅଣ୍ତରା, ପେଣ୍ଠପାଳ, ତରଡିପାଳ, ନୀଳକଣ୍ଠପୁର, ଅଳପୁଆ ଓ ସିଂହଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇରହିଛି। ପଟ୍ଟାମୁଣ୍ତାଇ ପୌରପରିଷଦର ୧୦ଟି ୱାର୍ଡ ଜଳବନ୍ଦି ହେବା ସହ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ବିଭିନ୍ନ ୱାର୍ଡକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ୮ରୁ ୧୦ ଫୁଟ ପାଣି ପ୍ରବାହିତ ହେଉଛି। ପଟ୍ଟାମୁଣ୍ତାଇ ସହରର ମହାବୀର ବଜାରରେ ପାଣି ପଶିବା ଯୋଗୁ ଶତାଧିକ ବ୍ୟବସାୟିକ ପ୍ରତିଷ୍ଠାନ ପାଣିରେ ବୁଡ଼ି ରହିଛି। ପଟ୍ଟାମୁଣ୍ଡାଇ ପୌରପରିଷଦର ୧ ଓ ୨ ନମ୍ବର ୱାର୍ଡ ଷଣ୍ଢପଲ୍ଲୀ ଗାଁ ଭିତରେ ଯାଇଥିବା ରାସ୍ତା ବୁଡ଼ିଯାଇଥିବା ବେଳେ ଧୋୟା ନଦୀ କଡ଼ରେ ଥିବା ସମସ୍ତ ଘର ଜଳବନ୍ଦି ହୋଇଛି। ୩ ଓ ୪ ନମ୍ବର ୱାର୍ଡ ତନୁପର ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇରହିଛି। ନନ୍ଦିନୀନଗର ଗ୍ରାମରେ ଥିବା ଶହେରୁ ଅଧିକ ପରିବାରଙ୍କ ଘରକୁ ପାଣି ଲାଗିଛି। ୫, ୬, ୭ ଓ ୮ ନମ୍ବର ୱାର୍ଡରେ ଥିବା ବାଲିପଡ଼ା ଓ କଷଣଅଣ୍ଟା ଗ୍ରାମରେ ବନ୍ୟାଜଳ ପ୍ରବାହିତ ହେଉଛି। କଷଣଅଣ୍ଟା ହାଇସ୍କୁଲରେ ପାଣି ପଶିବା ସହ ସେଠାରେ ବୋର୍ୱେଲ୍ ଓ ପାଣିଟାଙ୍କି ବୁଡ଼ିରହିଛି। ତଳବାଲିପଡ଼ା ଓ ନନ୍ଦିନଗର ରାସ୍ତା ବୁଡ଼ିଯାଇଛି। ବାଲିପଡ଼ା, ମହାଜନସାହି, ନୂଆଗାଁ, କାକୁଡିପଲ୍ଲୀ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ୧୦ ନମ୍ବର ୱାର୍ଡର ହରିଜନ ସାହିରେ ପାଣି ପଶିବା ଯୋଗୁ ଲୋକେ ପର ଘରେ ଆଶ୍ରୟ ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/19/sfsfsfccx-2025-07-19-03-13-52.jpg)