ରାଉରକେଲା: ଝାଡ଼ଖଣ୍ଡ ଉପର ମୁଣ୍ଡରେ ଜାରି ରହିଥିବା ଲଗାଣ ବର୍ଷା ଯୋଗୁ ବ୍ରାହ୍ମଣୀ ଜଳସ୍ତର ବଢୁଛି। ମନ୍ଦିରା ଡ୍ୟାମ୍‌ରେ ବିପଦ ସଙ୍କେତ ୧୭୮.୪୨୦ ମିଟର ରହିଥିବାବେଳେ ସତର୍କ ଜଳସ୍ତର ରହିଛି ୧୭୭.୫୧୦ ମିଟର। ଆଜି ସକାଳ ୮ଟା ସୁଦ୍ଧା ବ୍ରାହ୍ମଣୀର ବନ୍ୟାଜଳ ୧୭୪.୦୫ ମିଟର ଏବଂ ଅପରାହ୍ଣରେ ୧୭୪.୨୪୦ ମିଟର ଉଚ୍ଚରେ ପ୍ରବାହିତ ହେଉଥିଲା। ଜଳସ୍ତର ବଢ଼ୁଥିବାରୁ ମନ୍ଦିରା ଡ୍ୟାମ୍‌ର ୬ଟି ଗେଟ୍‌ ଖୋଲାଯାଇଛି। ବର୍ଷା ଲାଗି ରହିଲେ ଓ ଜଳସ୍ତର ବଢ଼ିଲେ ଡ୍ୟାମ୍‌ର ଅନ୍ୟ ଗେଟ୍‌ଗୁଡ଼ିକ ଖୋଲାଯିବ ଆର୍‌ଏସ୍‌ପି ପକ୍ଷରୁ କୁହାଯାଇଛି। ମନ୍ଦିରାରେ ମୋଟ ୧୧ଟି ସ୍ଲୁଇସ୍‌ ଗେଟ୍‌ ରହିଛି। ମନ୍ଦିରାରେ ଜଳସ୍ତର ରହିଛି ୬୮୦ ଫୁଟ। 

Advertisment

ଘଣ୍ଟା ପ୍ରତି ଡ୍ୟାମ୍‌ ଭିତରକୁ ୧୮୩୫୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବାବେଳ ୧୮୦୪୨ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ସେପଟେ ବ୍ରାହ୍ମଣୀର ଜଳସ୍ତର ବଢ଼ୁଥିବାରୁ ସହର ତଳିବାସିନ୍ଦାଙ୍କ ଚିନ୍ତା ବଢ଼ିଛି। ଗତ ସପ୍ତାହ ପୂର୍ବରୁ ପାନପୋଷ ବାଲୁଘାଟ ଅଞ୍ଚଳରେ ୪ରୁ ଅଧିକ ବସ୍ତିରେ ବନ୍ୟାଜଳ ପଶିଥିଲା। କ୍ଷତିଗ୍ରସ୍ତ ପରିବାରଙ୍କୁ ନିକଟସ୍ଥ ଦୁଇଟି ବିଦ୍ୟାଳୟରେ ରଖାଯାଇଥିଲା। ଜଳସ୍ତର କମିବା ପରେ କ୍ଷତିଗ୍ରସ୍ତ ପରିବାର ପିଲାଛୁଆଙ୍କୁ ଧରି ନିଜ ନିଜ ଘରକୁ ଫେରିଥିଲେ। ଗତକାଲି ରାତିରୁ ସହରତଳ ବସ୍ତିକୁ ବନ୍ୟାଜଳ ପଶିବା ଆରମ୍ଭ ହୋଇଛି। ସ୍ଥିତି ଉପରେ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଓ ପ୍ରଶାସନ ନଜର ରଖିଛି। ଜଳସ୍ତର ବଢ଼ିଲେ, ବାଲୁଘାଟ ତଳ ବସ୍ତିର କିଛି ପରିବାରକୁ ପୁଣି ବିଦ୍ୟାଳୟକୁ ଅଣାଯିବ ବୋଲି ଜଣାପଡ଼ିଛି। ପ୍ରତିବର୍ଷ ସହରତଳି ବସ୍ତିର ପ୍ରାୟ ୧୦୦ରୁ ଅଧିକ ପରିବାର ଏମିତି ଦୟନୀୟ ଜୀବନ ବିତାଉଥିଲେ ହେଁ ଆଜି ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ପ୍ରତିକାର କରାଯାଉ ନାହିଁ।