ଢେଙ୍କାନାଳ: ବୈଶାଖ ଆସିବାକୁ ଆହୁରି ୨ ମାସ ବାକି। ହେଲେ ଫାଲଗୁନ ଆରମ୍ଭରୁ ଶୁଖିଗଲାଣି ବ୍ରାହ୍ମଣୀ। ନଈ ଶଯ୍ୟାରେ କେଉଁଠି ଆଣ୍ଠୁଏ ତ କେଉଁଠି ଧାରେ ପାଣି। ଆଗରୁ ବୈଶାଖ ଅଧାଅଧି ବେଳକୁ ବ୍ରାହ୍ମଣୀ ପାଣି କମି ଯାଉଥିଲା। ଚଳିତବର୍ଷ ଫଗୁଣ ପହିଲାରୁ ନଦୀ ପେଟ ଶୁଖିଯିବା କେବେ ଦେଖିବାକୁ ମିଳି ନଥିଲା ବୋଲି ନଈକୂଳରେ ବସବାସ କରୁଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି। ଢେଙ୍କାନାଳ ଜିଲ୍ଲା ଦେଇ ବହିଯାଇଥିବା ଚିରସ୍ରୋତା ବ୍ରାହ୍ମଣୀର ଏଭଳି ଚିତ୍ର ପ୍ରକୃତିର ଭୟଙ୍କର ଅବତାରକୁ ଚେତାଇ ଦେଉଛି।
ଏବେ ଯୁଆଡ଼େ ଚାହିଁଲେ ଖାଲି ବାଲି। ନଦୀର ଧାର ଶୁଖି ଛୋଟ ହୋଇଯାଇଛି। ଲାଗୁଛି ଯେମିତି ନଦୀ ମରି ଯାଇଛି। କେଉଁଠି ଅତି ଦୂରରେ ଛୋଟିଆ ଧାରରେ ପାଣି ବହୁଛି। ସେତିକିରେ ଗାଧୁଆପାଧୁଆ, ଚାଷବାସ କରିବାକୁ ହେବ। କିନ୍ତୁ ତାତି ନ ବଢ଼ୁଣୁ ନଦୀ ଶୁଖିଯିବାକୁ ନେଇ ଲୋକଙ୍କ ଚିନ୍ତା ବଢ଼ିଛି। ପାଣି ଅଭାବରୁ ଚାଷ କାମ ଠପ୍ ହୋଇପଡ଼ିଛି। ଆଗରୁ ଯେଉଁ ପଠାରେ ପୋଟଳ, ବାଇଗଣ, ସାରୁ, କଖାରୁଠୁ ନେଇ ଭେଣ୍ଡି, ଝୁଡ଼ଙ୍ଗ ଯାଏଁ ପନିପରିବା ଚାଷ ହେଉଥିଲା; ଏବେ ସେଠାରେ ପୁରୁଷ ଉଚ୍ଚାର ବଣବୁଦା ଠିଆ ହୋଇଛି। ଏପରିକି ନଦୀ ଭିତରେ ବିସ୍ତୀର୍ଣ୍ଣ ବାଲୁକାଶଯ୍ୟାରେ ବେଣା ବୁଦା ଦେଖିବାକୁ ମିଳୁଛି।
ପର୍ଜଙ୍ଗ ବ୍ଲକ୍ ମାଣିକମରା ପଞ୍ଚାୟତ ପାଖରୁ ଢେଙ୍କାନାଳ ଜିଲ୍ଲାରେ ପଶିଛି ବ୍ରାହ୍ମଣୀ। ଓଡ଼ାପଡ଼ା, କାମାକ୍ଷାନଗର, ଗଁଦିଆ ଓ ଢେଙ୍କାନାଳ ସଦର ବ୍ଳକ୍ର କିଛି ଅଂଶ ଦେଇ ଭୁବନ ବ୍ଲକ୍ ମୃଦଙ୍ଗା ପଞ୍ଚାୟତ ଶେଷ ସୀମା ଯାଏଁ ବହିଯାଇଛି। ଦକ୍ଷିଣ ପାର୍ଶ୍ବରେ ଗଁଦିଆ ବ୍ଲକ୍ର ଦଶମାଣପାଟଣା ଯାଏଁ ଏହାର ପରିସୀମା ରହିଛି। ୫ ଖଣ୍ଡ ବ୍ଲକ୍ର ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ଉଚ୍ଚ ରହିଥିବାବେଳେ ଅଧିକାଂଶ ସ୍ଥାନରେ କିନ୍ତୁ ନଦୀ ପେଟ ଶୁଖିଲା ପଡ଼ିଛି। ଦିନେ ଯେଉଁ ବ୍ରାହ୍ମଣୀରେ ଡଙ୍ଗା ନ ପଡ଼ିଲେ ଏ କୂଳରୁ ସେ କୂଳକୁ ଯାଇ ହେଉ ନଥିଲା, ଏବେ ସେହି ନଦୀରେ ପାଣି ଖୋଜିବାକୁ ପଡ଼ୁଛି। ପୂର୍ବ ବର୍ଷମାନଙ୍କ ତୁଳନାରେ ଏବର୍ଷ ବ୍ରାହ୍ମଣୀ ଆଗୁଆ ଶୁଖି ଯାଇଛି। ଆଗେ ବୈଶାଖ ଅଧା ନହେଲେ ମୁଣ୍ଡେ ଉଚ୍ଚାର ପାଣି ରହୁଥିଲା। ନଦୀ ପଠାରେ ପନିପରିବା ଚାଷ ହୋଇ ପାରୁଥିଲା। ଏଥର କିନ୍ତୁ ବହୁ ଆଗରୁ ନଦୀ ଜଳସ୍ତର ଖସିଗଲା ବୋଲି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ନଈକୂଳିଆ ଗ୍ରାମବାସୀ।