ଧର୍ମଶାଳା: ଧର୍ମଶାଳା ବ୍ଲକ୍ ଦେଇ ପ୍ରବାହିତ ବ୍ରାହ୍ମଣୀ ଓ ଏହାର ଶାଖା କେଲୁଅ ନଦୀକୁ ପ୍ରଦୂଷଣ ମୁକ୍ତ କରିବାକୁ ନଦୀ ତଟବର୍ତ୍ତୀ ଅଞ୍ଚଳବାସୀ ଦାବି କରିଛନ୍ତି। ନଦୀପାଣିରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଥିବାରୁ ଉଭୟ ନଦୀର ଅବବାହିକାରେ ବସବାସ କରୁଥିବା ଲୋକଙ୍କ ଏହା ବ୍ୟବହାର ଅନୁପଯୁକ୍ତ ହୋଇପଡ଼ିଛି। କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ରିପୋର୍ଟରେ ବ୍ରାହ୍ମଣୀ ନଦୀର ଜଳ ବହୁ ପରିମାଣରେ ପ୍ରଦୂଷିତ ହୋଇଥିବା କୁହାଯାଇଛି। ପ୍ରଦୂଷଣ ବୋର୍ଡ ରିପୋର୍ଟ ଅନୁଯାୟୀ ବ୍ରାହ୍ମଣୀ ନଦୀର ଏକ ଲିଟର ଜଳରେ ୬.୩ ମିଲିଗ୍ରାମ ବାୟୋକେମିକାଲ ଅକ୍ସିଜେନ ଡିମାଣ୍ତ(ବିଓଡି) ରହିଛି।
ଏକ ଲିଟର ପାଣିରେ ୩ ମିଲି ଗ୍ରାମରୁ ଅଧିକ ଡିଓଡି ରହିଲେ ଏହା ପ୍ରଦୂଷିତ ହୋଇଥାଏ। ବ୍ରାହ୍ମଣୀ ଓ କେଲୁଅ ନଦୀ ପାର୍ଶ୍ବରେ ଥିବା ଧର୍ମଶାଳା ବ୍ଲକ୍ର ୨୦ଟି ପଞ୍ଚାୟତର ଅଧିବାସୀ ଉଭୟ ନଦୀର ପାଣି ଉପରେ ନିର୍ଭର କରିଥାନ୍ତି। ନଦୀର ପ୍ରଦୂଷିତ ଜଳକୁ ବ୍ୟବହାର କରିବା ଫଳରେ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେହିପରି ଚାଷ ଜମିରେ ଏହି ପାଣି ବ୍ୟବହାର ହେବା ଫଳରେ ଜମିର ଉର୍ବରତା ହ୍ରାସ ପାଇବା ସହିତ ଫସଲାହାନି ଘଟୁଛି। ନଦୀଜଳକୁ ପ୍ରଦୂଷଣ ମୁକ୍ତ କରିବା, ଜଳପ୍ରବାହ ଚିରନ୍ତନ କରିବା, ଅଳିଆ ଆବର୍ଜନା ନଦୀଗର୍ଭକୁ ନ ଫିଙ୍ଗିବା, କଳ କାରଖାନାର ମଇଳା ପାଣି ଓ ବର୍ଜ୍ୟବସ୍ତୁ ନଦୀକୁ ନଛାଡ଼ିବା ପାଇଁ ସରକାର ପଦକ୍ଷେପ ନେବାକୁ ନଦୀ ତଟବର୍ତ୍ତୀ ଲୋକେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/17-4.jpg)