ପଟ୍ଟାମୁଣ୍ଡାଇ: ବ୍ରାହ୍ମଣୀ ନଦୀ‌ରେ ଦ୍ବିତୀୟଥର ବନ୍ୟା ଆସିବାରୁ ଶତାଧିକ ଗ୍ରାମର ୮୦ ହଜାର ଲୋକ ଜଳବନ୍ଦି ହୋଇଯାଇଛନ୍ତି। ଅଳଭାରେ ନଦୀର ବିପଦସଂକେତ ୧୬ ଫୁଟ ଥିଲା ବେଳେ ଆଜି ସନ୍ଧ୍ୟାସୁଦ୍ଧା ଜଳସ୍ତର ୧୭.୪ ଫୁଟରେ ପହଞ୍ଚିଛି। ଆଜି ବ୍ରାହ୍ମଣୀ ନଦୀରେ ଭାସିଯାଇ ଶ୍ରୀରାମପୁର ପଞ୍ଚାୟତ ପାଳପାଟଣା ଗ୍ରାମର ଦୀନବନ୍ଧୁ ଧଳ(୬୫)ଙ୍କ ମୃତ୍ୟୁ ଘଟିଛି। ଗ୍ରାମବାସୀ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରିବା ବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିବା ଜଣାଯାଇଛି। ଏହି ସମୟରେ ଗ୍ରାମର ପ୍ରତାପ ସାହୁଙ୍କୁ ଗାଁ ଲୋକ ଉଦ୍ଧାର କରିଛନ୍ତି।

Advertisment

ବ୍ରାହ୍ମଣୀ ଜଳସ୍ତର ବୃଦ୍ଧି ଯୋଗୁଁ ପଟ୍ଟାମୁଣ୍ଡାଇ ବ୍ଲକ୍‌ର ୧୨ଟି ପଞ୍ଚାୟତ ଓ ପୌରପରିଷଦର ୧୦ଟି ୱାର୍ଡ ଜଳବନ୍ଦି ହୋଇଯାଇଛି। ପର୍ଯ୍ୟାପ୍ତ ଡଙ୍ଗା ନ ଥିବାରୁ ଲୋକମାନେ ଘରୁ ବାହାରି ପାରୁ ନାହାନ୍ତି। ତୁହାକୁ ତୁହା ବର୍ଷା ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ାଇ ଦେଇଛି। ସେହିପରି କୁମ୍ଭୀର ଓ ବିଷଧର ସାପ ଭୟ ଘାରିଛି। ପଟ୍ଟାମୁଣ୍ଡାଇ ବ୍ଲକ୍‌ର ବଳଭଦ୍ରପୁର, ଡାମରପୁର, ଶ୍ରୀରାମପୁର, ବାଲିପାଟଣା, ବାଛରା, ବଲୁରିଆ, ଅମୃତମଣୋହୀ, ଅଣ୍ଡରା, ପେଣ୍ଠପାଳ, ତରଡ଼ିପାଳ, ଅଳପୁଆ ଓ ସିଂହଗାଁ ପଞ୍ଚାୟତର ବହୁ ଗ୍ରାମ ଜଳଘେରରେ ରହିଛି। ସିଂହଗାଁ ପଞ୍ଚାୟତ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ରହିଛି। ବ୍ରାହ୍ମଣୀରେ ଜଳସ୍ତର ବଢ଼ୁଥିବାରୁ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଅନ୍ୟପଟେ, ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୦ଟି ୱାର୍ଡର ଲୋକ ଜଳବନ୍ଦି ହୋଇ ରହିଛନ୍ତି। କଟକ-ଚାନ୍ଦବାଲି ରାସ୍ତା କଷଣଅଣ୍ଟା ନିକଟରେ ବନ୍ୟାପାଣି ଉବୁଟୁବୁ ହେଉଛି। କଷଣଅଣ୍ଟା, ବାଲିପଡ଼ା, ତନୁପୁର ଓ ନନ୍ଦିନୀନଗର ଗ୍ରାମର ବହୁ ରାସ୍ତା ବୁଡ଼ି ଯାଇଥିଲା ବେଳେ ଗାଁଦାଣ୍ଡରେ ପାଣି ଚାଲିଛି। ବିଷଧର ସାପ ଗାଁ ଭିତରେ ପଶୁଥିବାରୁ ସନ୍ଧ୍ୟା ପରେ ଲୋକମାନେ ଘରୁ ବାହାରିପାରୁ ନାହାନ୍ତି। ଚଳିତ ବନ୍ୟାରେ ମୁଗ, ଧାନ ଓ ପନିପରିବା ସମେତ ସମସ୍ତ ଫସଲ ବୁଡ଼ି ନଷ୍ଟ ହୋଇଯାଇଥିବାରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛି।