ଲାଠିକଟା: ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକ୍‌ ହାତୀବନ୍ଧା ପଞ୍ଚାୟତର କଂସର ଗ୍ରାମ ପାଇଁ ବିପଦ ସାଜିଛି ବ୍ରାହ୍ମଣୀନଦୀ। ଦୀର୍ଘବର୍ଷ ଧରି ଏହି ଗ୍ରାମର ୪ ବସ୍ତିରେ ରହୁଥିବା ପରିବାର ପାଇଁ ନଦୀ ଆତଙ୍କ ପାଲଟିଲାଣି। ଯଥାଶୀଘ୍ର ପଥରପ୍ୟାକିଂ କରାନଗଲେ କିଛିବର୍ଷ ମଧ୍ୟରେ ଗ୍ରାମଟି ନଦୀଗର୍ଭରେ ବିଲୀନ ହୋଇଯିବ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କଲେଣି। ସୂଚନା ଅନୁସାରେ, ଗ୍ରାମର ନଦୀଟୋଲା, ବାଉଁଶଟୋଲା, ଗଞ୍ଜୁବସ୍ତି, ମୁଣ୍ଡାବସ୍ତିରେ ପ୍ରାୟ ୫ ଶହ ପରିବାରର ପ୍ରାୟ ଦୁଇହଜାର ଲୋକ ବାସକରୁଛନ୍ତି। ବ୍ରାହ୍ମଣୀ ନଦୀକୂଳରେ ଅବସ୍ଥିତ ଏହି ଗ୍ରାମବାସୀଙ୍କ ମୁଖ୍ୟ ପେସା ଚାଷ। କିଛିଲୋକ ମୂଲମଜୁରି କରୁଥିବାବେଳେ ଆଉକିଛି ନଦୀରୁ ମାଛମାରି ଜୀବିକାର୍ଜନ କରନ୍ତି। ଚାଷବାସ ଓ ମାଛଧରା ପାଇଁ ଗ୍ରାମବାସୀ ଅନେକାଂଶରେ ନଦୀ ଉପରେ ନିର୍ଭରଶୀଳ। ନଦୀକୁ ମା’ ମାନୁଥିବା ଏହି ଅଞ୍ଚଳବାସୀଙ୍କ ପାଇଁ ଏବେ ବିପଦ ପାଲଟିଲାଣି।

Advertisment

ଗତ କିଛିବର୍ଷ ହେବ ନଦୀଟୋଲାର ଦୁଇଟିବସ୍ତିରେ ନଦୀ କୂଳଖାଉଛି। ବସ୍ତିର ୮-୧୦ ଜଣଙ୍କ ଜମି ନଦୀଗର୍ଭରେ ଲୀନହେଲାଣି। ବାପଅଜା ଅମଳର ଜମି ଚାଲିଗଲେ ସେମାନେ କରିବେ କ’ଣ ବୋଲି ଭାଳେଣି ପଡ଼ିଲାଣି। ତେଣୁ ନଦୀଟୋଲାବାସୀ ଭୟଭୀତ ହୋଇପଡ଼ିଛନ୍ତି। ଅନ୍ୟପକ୍ଷରେ ଅନ୍ୟ ୩ଟି ବସ୍ତି ପ୍ରତି ମଧ୍ୟ ନଦୀ ବିପଦ ଊଣାଅଧିକେ ରହିଛି।ଅନ୍ୟପକ୍ଷରେ ଉପରମୁଣ୍ଡରେ ବନ୍ୟାହେଲେ ନଦୀର ଜଳସ୍ତର ବଢ଼ିଥାଏ। ଏପରିକି ବସ୍ତିରେ ସେମାନଙ୍କ ଘରପାଖକୁ ପାଣି ଆସିଯାଏ। ୭-୮ ବର୍ଷ ପୂର୍ବେ ଗ୍ରାମବାସୀ ଏ ସମସ୍ୟା ଜଣାଇବା ପରେ ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ୨୦ ଲକ୍ଷ ଟଙ୍କା ବ୍ୟୟରେ ନଦୀକୂଳରେ ୨୦୪ ମିଟର ପଥରପ୍ୟାକିଂ କରାଯାଇଥିଲା। କିନ୍ତୁ କିଛିସ୍ଥାନରେ ଠିକ୍‌ ଭାବରେ କାମ କରାଯାଇନଥିବା ଗ୍ରାମର ବାନ୍ଧନା ମୁଣ୍ଡା, ଆକବର ସିଂହ, ସମରା ସିଂହ, ବୁଧୁଆ ସିଂହ, ମହେନ୍ଦ୍ର ସିଂହ, ଶୁକଦେବ ସିଂହ ପ୍ରମୁଖ ପ୍ରକାଶ କରିଛନ୍ତି। ବସ୍ତିଟିକୁ ନଦୀ ଖାଇଯିବା ପୂର୍ବରୁ ସରକାର ସମ୍ପୂର୍ଣ୍ଣ ନଦୀଟୋଲା କୂଳେକୂଳେ ପଥର ବିଛାଇଦେଲେ ଗ୍ରାମବାସୀ ରକ୍ଷା ପାଇପାରନ୍ତେ ବୋଲି କହିଛନ୍ତି। ଏ ସମ୍ପର୍କରେ ହାତୀବନ୍ଧା ସରପଞ୍ଚ ଭାରତୀ ମୁଣ୍ଡାରୀଙ୍କୁ ପଚାରିବାରୁ ‘ପଥରପ୍ୟାକିଂ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି’ ବୋଲି କହିଥିଲେ।