ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ : ‘ବ୍ରାହ୍ମଣୀକୁ ପ୍ରଦୂଷଣମୁକ୍ତ ରଖିବାକୁ ପଦକ୍ଷେପ ନିଅ’

ନଦୀତଟରେ ଶିଳ୍ପ ସଂସ୍ଥା ଦ୍ବାରା ବୃକ୍ଷରୋପଣ ଉପରେ ଗୁରୁତ୍ବ

କଟକ : ‘ବ୍ରାହ୍ମଣୀ ନଦୀକୁ ପ୍ରଦୂଷଣମୁକ୍ତ ରଖିବା ଦିଗରେ ପଦକ୍ଷେପ ନିଅ। ନଦୀତଟରେ ପର୍ଯ୍ୟାପ୍ତ ବୃକ୍ଷରୋପଣ କର। ଶିଳ୍ପସଂସ୍ଥାଗୁଡ଼ିକୁ ଏ କାର୍ଯ୍ୟରେ ନିୟୋଜିତ କରାଅ। ବ୍ରାହ୍ମଣୀ ଯେପରି ପ୍ରଦୂଷଣମୁକ୍ତ ରହିବ, ତାହା ସୁନିଶ୍ଚିତ କରାଅ।’ ବ୍ରାହ୍ମଣୀ ନଦୀଜଳ ପ୍ରଦୂଷଣ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଏପରି କଡ଼ା ନିର୍ଦେଶ ଦେଇଛନ୍ତି। ଏ କଥା ବି କହିଛନ୍ତି ଯେ ବ୍ରାହ୍ମଣୀ କୂଳରେ ଥିବା ଶିଳ୍ପରୁ ବାହାରୁଥିବା ବର୍ଜ୍ୟଜଳ ଉପରେ ପ୍ରଦୂଷଣ ବୋର୍ଡ ନଜର ରଖିବା ସହିତ ନଦୀ ନକଟରେ ଥିବା ଶିଳ୍ପ ସଂସ୍ଥାଗୁଡିକରୁ ନିର୍ଗତ ବର୍ଜ୍ୟଜଳ ପରିଚାଳନାକୁ ତଦାରଖ କରୁ। ସେହିପରି ସିଏସଆର୍‌ ନୀତି ଆଧାରରେ ଶିଳ୍ପ ସଂସ୍ଥାଗୁଡିକ ସହଯୋଗରେ ବ୍ରାହ୍ମଣୀ ନଦୀ କୂଳରେ ଗଛ ଲଗାଇବା କାର୍ଯ୍ୟ ସଂପାଦନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ପ୍ରମଥ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ନୟନ ବିହାରୀ ଦାସ ମାମଲା ପରିଚାଳନା କରୁଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ବ୍ରାହ୍ମଣୀ ନଦୀର ଜଳ ପ୍ରଦୂଷଣ ଯୋଗୁଁ ସ୍ଥାନୀୟ ଅଞ୍ଚଳ ବାସିନ୍ଦା ବିଭିନ୍ନ ପେଟ ରୋଗ, ଚର୍ମ ରୋଗ ଓ ଅନ୍ୟାନ୍ୟ ରୋଗର ଆକ୍ରାନ୍ତ ହେଉଛନ୍ତି ଦର୍ଶାଇ ଢେଙ୍କାନାଳ ପର୍ଜଙ୍ଗ ଅଞ୍ଚଳର ମହାମାନବ ନିର୍‌ବେଦ ସତ୍ୟଧର୍ମ ଅନନ୍ତଧାମ ଅନୁଷ୍ଠାନ ପକ୍ଷରୁ ମଙ୍ଗଳ ସିଂ ଗୁରୁଦାସ ୧୯୯୬ରେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଆବେଦନ‌େର ଦର୍ଶାଯାଇଥିଲା ଯେ ବିଭିନ୍ନ ଶିଳ୍ପାନୁଷ୍ଠାନରୁ ନିର୍ଗତ ବର୍ଜ୍ୟଜଳ ସିଧାସଳଖ ବ୍ରାହ୍ମଣୀ ନଦୀରେ ମିଶୁଛି। ଏହା ଦ୍ବାରା ନଦୀ ଜଳ ପ୍ରଦୂଷଣର ଚରମସୀମାରେ ପହଞ୍ଚିଛି। ଏହି ନଦୀ ଜଳ ଉପରେ ନିର୍ଭର କରୁଥିବା ସ୍ଥାନୀୟ ବାସିନ୍ଦା ଓ ସେମାନଙ୍କ ଗୃହପାଳିତ ପଶୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ନଦୀ ଜଳ ପ୍ରଦୂଷଣ ଦ୍ବାରା ବିଭିନ୍ନ ରୋଗରେ ଅଞ୍ଚଳ ବାସିନ୍ଦା ଓ ଗୃହପାଳିତ ପଶୁ ଆକ୍ରାନ୍ତ ହେଉଛନ୍ତି। ବାରମ୍ବାର ଏ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପ୍ରଶାସନ ନିକଟରେ ଅଭିଯୋଗ କରିବା ପରେ ମଧ୍ୟ କିଛି ସୁଫଳ ମିଳି ପାରି ନଥିଲା। ଏପରି ପ୍ରଦୂଷଣ ପାଇଁ ଦାୟୀ ଶିଳ୍ପ ସଂସ୍ଥାଗୁଡିକ ବିରୋଧରେ କିଛି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ। ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରୁ ଜବାବ ତଲବ କରିଥିଲେ। ବୋର୍ଡ ସଦସ୍ୟ ସଚିବଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ ଶିଳ୍ପ ସଂସ୍ଥା ଗୁଡିକରୁ ନିର୍ଗତ ଜଳ ଯୋଗୁ ସୃଷ୍ଟି ହେଉଥିବା ପ୍ରଦୂଷଣ ନିୟନ୍ତ୍ରଣରେ ରହିଛି। ଏହି ପ୍ରସଂଗରେ ବୋର୍ଡ ପକ୍ଷରୁ ତଦାରଖ କରାଯାଉଛି ବୋଲି ଦର୍ଶାଯାଇଥିଲା। ଏହି ପ୍ରସଂଗରେ ନିୟମିତ ଭାବେ ତଦାରଖ କରିବାକୁ ହାଇକୋର୍ଟ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର