ଯାଜପୁରଟାଉନ: ଧର୍ମଶାଳା ବ୍ଲକ୍ର କବାଟବନ୍ଧ ନିକଟ ଜାତୀୟ ରାଜପଥ-୫୩ ରେ ବ୍ରାହ୍ମଣୀ ନଦୀ ସେତୁ ମରାମତି ନିମନ୍ତେ ସମସ୍ତ ଯାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଚଳିତ ନଭେମ୍ୱର ୨୧ ତାରିଖରୁ ଏହି ଆଦେଶ ଲାଗୁ ହୋଇ ଡିସେମ୍ୱର ୨୦ ତାରିଖ ପର୍ଯ୍ୟନ୍ତ ୩୦ ଦିନ ଧରି ବଳବତ୍ତର ରହିବ। ଏହି ସମୟ ଭିତରେ ଚଣ୍ଡିଖୋଲ ବା ଡୁବୁରୀ ପଟୁ କୌଣସି ଯାନବାହାନ ବ୍ରାହ୍ମଣୀ ପୋଲ ଦେଇ ଚଳାଚଳ କରିପାରିବ ନାହିଁ। ଆବଶ୍ୟକସ୍ଥଳେ ରୋଗୀ ନେଉଥିବା ଆମ୍ବୁଲାନ୍ସକୁ ଅନୁମତି ଦିଆଯାଇପାରେ। ପୋଲର ଦୁର୍ବଳ ଅବସ୍ଥାକୁ ଦୃଷ୍ଟିରେ ରଖି ମରାମତି ନିମନ୍ତେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋର ଏହି ନିଷେଧାଦେଶ ଜାରି କରିଛନ୍ତି।
ଜାତୀୟ ରାଜପଥ-୫୩ ର ଡୁବୁରୀଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ରାସ୍ତା ୨ ଲେନ୍ରୁ ୪ ଲେନ୍ ହେବା ସହ ନବୀକରଣ କରାଯାଉଥିଲେ ହେଁ ଅତ୍ୟନ୍ତ ଧିମା ଗତିରେ କାମ ଚାଲିଛି। ଦ୍ବିତୀୟ ସେତୁ ନିର୍ମାଣ ମଧ୍ୟ ଏଯାଏ ଆରମ୍ଭ ହୋଇନାହିଁ। ତେଣୁ ଏଭଳି ଅସୁବିଧା ହେବାକୁ ଯାଉଛି। ଏହି ନିଷେଧାଦେଶ ସମୟରେ ଚଣ୍ଡିଖୋଲ ପଟରୁ ଡୁବୁରୀ ଯିବାକୁ ଥିବା ଗାଡ଼ିଗୁଡ଼ିକ ସିଧା ଏନ୍ଏଚ୍-୧୬ ଦେଇ ପାଣିକୋଇଲି ଅଭିମୁଖେ ଯିବେ। ସେଠାରୁ ବାମ ପଟେ ଏନ୍ଏଚ୍-୨୦ ଦେଇ ଡୁବୁରୀ ଅଭିମୁଖେ ଯାତ୍ରା କରିବେ। ସେହିପରି ଡୁବୁରୀ ପାର୍ଶ୍ବରୁ ଏନ୍ଏଚ୍-୫୩ ରେ ଯିବାକୁ ଥିବା ସମସ୍ତ ଯାନ ଏନ୍ଏଚ୍-୨୦ ମାଧ୍ୟମରେ ପାଣିକୋଇଲି ଆଡ଼କୁ ଯାଇପାରିବେ। ପାଣିକୋଇଲିରୁ ଏନ୍ଏଚ୍-୧୬ ଦେଇ ଚଣ୍ଡିଖୋଲ ଆଡକୁ ଯିବେ। ଚଣ୍ଡିଖୋଲରୁ ଯାନଗୁଡ଼ିକ ଆରୁହା, ଚଢ଼େଇଧରା, ଅଂଜିରା ଦେଇ ଯାଇପାରିବେ। କେବଳ ସ୍ଥାନୀୟ ଜନସାଧାରଣ ଡୁବୁରୀଠାରୁ ଗୋବରଘାଟି, ବଙ୍ଗଳା ଛକ ପର୍ଯ୍ୟନ୍ତ ଏନ୍ଏଚ୍-୫୩ ଦେଇ ଯାଇପାରିବେ। ବ୍ରାହ୍ମଣୀ ବ୍ରିଜ୍ର ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଉପରୋକ୍ତ ଡାଇଭର୍ସନ ପଏଣ୍ଟ ଏବଂ ଏନ୍ଏଚ୍-୫୩ ଉପରେ ପ୍ରମୁଖ ଛକ ପାଇଁ ଆବଶ୍ୟକ ସାଇନେଜ ଏବଂ ମାର୍ଶଲ ଯୋଗାଇ ଦିଆଯିବ। ଠିକାସଂସ୍ଥା ପ୍ରତ୍ୟେକ ଡାଇଭର୍ସନ ପଏଣ୍ଟରେ ଡାଇଭର୍ସନ ଲେଆଉଟ୍ ସ୍ଥାପନ କରିବେ। ମୋଟର ଯାନ ଅଧିନିୟମ ୧୧୫ ଏବଂ ଓଡ଼ିଶା ମୋଟର ଯାନ ଆଇନ-୧୯୯୩ ରୁଲ- ୧୭୩ର କ୍ଷମତା ବଳରେ ସର୍ବସାଧାରଣଙ୍କ ହିତ ଦୃଷ୍ଟିରୁ ଜିଲ୍ଲାପାଳ ଏହି କ୍ଷମତା ପ୍ରୟୋଗ କରିଛନ୍ତି।