ବ୍ରାହ୍ମଣୀ ଜଳ ପ୍ରଦୂଷିତ, ଉଚ୍ଚ ନ୍ୟାୟାଳୟର ତାଗିଦ୍‌

ଆଜି ହାଜର ହେବେ ଆର୍‌ଏମ୍‌ସି କର୍ତ୍ତୃପକ୍ଷ

ରାଉରକେଲା: ଇସ୍ପାତ ସହରାଞ୍ଚଳରୁ ନିର୍ଗତ ବର୍ଜ୍ୟ ଜଳକୁ ବିନା ବିଶୋଧନରେ ସିଧାସଳଖ ନଦୀକୁ ନିଷ୍କାସନ କରାଯାଉଥିବାରୁ ଦୂଷିତ ହେବାରେ ଲାଗିଛି ବ୍ରାହ୍ମଣୀ। ଫଳରେ ରାଜ୍ୟର ଏକାଧିକ ସହର ଦେଇ ପ୍ରବାହିତ ତଥା ଜୀବନଜୀବିକାର ମୂଳ ଉତ୍ସ ଏହି ନଦୀ ପ୍ରତି ବିପଦ ଦେଖାଦେଇଛି। ଏହି ନଦୀର ଉତ୍ପତ୍ତି ସ୍ଥଳ, ଅର୍ଥାତ୍‌ ରାଉରକେଲାରୁ ହିଁ ଏହା ବଷାକ୍ତ ହେବାରେ ଲାଗିଛି। ସ୍ବେରେଜ୍‌ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାରେ ଅହେତୁକ ବିଳମ୍ବ ଏହାର ମୁଖ୍ୟ କାରଣ ପାଲଟିଛି। ଏହି ନଦୀକୁ ଇସ୍ପାତସହରର ବର୍ଜ୍ୟ ଜଳ ଛାଡ଼ିବା ଏବେ ପ୍ରଶାସନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ମାମଲା ଏବେ ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଛି। ଶୁକ୍ରବାର ଅନଲାଇନ୍‌ ଶୁଣାଣିରେ ଉପସ୍ଥିତ ରହିବାକୁ ଉଚ୍ଚ ନ୍ୟାୟାଳୟ ରାଉରକେଲା ମହାନଗର ନିଗମ(ଆରଏମସି) କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ମାଣାଧୀନ ସ୍ବେରେଜ୍‌ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌ର ସ୍ଥିତି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ନିର୍ଦ୍ଧାରିତ ମାନଦଣ୍ଡ ପୂରଣ ହେଉଛି ନା ନାହିଁ ସେ ସେଥିନେଇ ପକ୍ଷ ରଖିବେ।

ଇସ୍ପାତ ସହରରେ ସ୍ବେରେଜ୍‌ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌ ନିର୍ମାଣର ଅଗ୍ରଗତି ଅତ୍ୟନ୍ତ ନୈରାଶ୍ୟଜନକ। ୨୦୧୭ ମସିହା ପହିଲାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଏକାଧିକ ବାର ଅବଧି ବି ସରିଲାଣି। କିନ୍ତୁ ଏଯାବତ୍‌ ଏହା ସମ୍ପନ୍ନ ହୋଇନି। ଫଳରେ ଇସ୍ପାତ ସହରରୁ ନିର୍ଗତ ବର୍ଜ୍ୟ ଜଳ ସିଧାସଳଖ ବ୍ରାହ୍ମଣୀ ନଦୀରେ ପଡ଼ୁଛି। ୨୩୧ କି.ମି. ଲମ୍ବ ବିଶିଷ୍ଟ ସ୍ବେରେଜ୍‌ ପାଇପ୍‌ ବିଛା ଓ ସ୍ବେରେଜ୍‌ ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌(ଏସ୍‌ଟିପି) ସ୍ଥାପନ ପାଇଁ ମୋଟ୍‌ ୩୨୦.୪୦ କୋଟି ବ୍ୟୟ ବରାଦ ହୋଇଥିଲା। ମୋଟ୍‌ ଦୁଇଟି ପ୍ରକଳ୍ପ,- ‘ଏସ୍‌ଟିପି ପୂର୍ବ’ ଓ ‘ଏସ୍‌ଟିପି ପଶ୍ଚିମ’ ପାଇଁ ଅନୁଦାନ ଆସିଥିଲା। ତେବେ କୋଏଲନଗର, ଝିରପାଣି, ଜଗଦା ଅଞ୍ଚଳରେ ହେବାକୁ ଥିବା ‘ଏସ୍‌ଟିପି ପୂର୍ବ’ ପ୍ରକଳ୍ପ ବାତିଲ ହୋଇଯାଇଥିଲା। ଉକ୍ତ ଅଞ୍ଚଳରେ ପ୍ରକଳ୍ପ ପାଇଁ ଆବଶ୍ୟକ ସାଢ଼େ ୪ ଏକର ଜମି ମିଳିପାରିନଥିଲା।

ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) ଉକ୍ତ ଜମି ଯୋଗାଇବାରେ ଅସମର୍ଥ ପ୍ରକାଶ କରିବାରୁ ଏହି ପ୍ରକଳ୍ପ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ ହୋଇଯାଇଛି। ଅପରପକ୍ଷରେ ‘ଏସ୍‌ଟିପି ପଶ୍ଚିମ’ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପ ଅଧୀନରେ ବାଲୁଘାଟରେ ପ୍ରାୟ ୨୪ ଏକର ପରିମିତ ଅଞ୍ଚଳରେ ଏସ୍‌ଟିପି ସ୍ଥାପିତ ହୋଇଛି। ଏହାସହ ସିଭିଲ୍‌ ଟାଉନସିପ୍‌ରେ ମୁଖ୍ୟ ପମ୍ପିଂ ଷ୍ଟେସନ ନିର୍ମାଣ ସରିସାରିଥିବାରୁ ଏ ଅଞ୍ଚଳର ପ୍ରତ୍ୟେକ ଘରକୁ ସ୍ବେରେଜ୍‌ ପାଇପ୍‌ ସଂଯୋଗ କରାଯାଇଛି। ତେବେ ସହରର ଅନ୍ୟ ପ୍ରମୁଖ ଅଞ୍ଚଳ, ଯଥା-ଛେଣ୍ଡ୍‌, ବାସନ୍ତୀ କଲୋନି, ରେଲୱେ କଲୋନି, ପାନପୋଷ, ଡେଲିମାର୍କେଟ୍‌, କଳିଙ୍ଗ ବିହାର, ମାଲଗୋଦାମ ଆଦି ଅଞ୍ଚଳରେ ଏହି ସେବା ଆରମ୍ଭ ହୋଇପାରିନି। କାରଣ ଏହି ଅଞ୍ଚଳରୁ ବର୍ଜ୍ୟ ଜଳ ସଂଗ୍ରହ ପାଇଁ ପ୍ରସ୍ତାବିତ ୪ଟି ପମ୍ପିଂ ଷ୍ଟେସନ, ଯଥା-ଉଦିତନଗର ମ୍ୟୁନିସିପାଲ କଲେଜ ପାଖ, ପ୍ରଧାନପଲ୍ଲୀ, ଛେଣ୍ଡ୍‌ ଶିଳ୍ପାଞ୍ଚଳ, ରେଲୱେ କଲୋନିରେ ଏହି ପମ୍ପିଂ ଷ୍ଟେସନ କାର୍ଯ୍ୟକ୍ଷମ ହୋଇନି। ଏଥିମଧ୍ୟରୁ ୨ଟି ପମ୍ପିଂ ଷ୍ଟେସନର ନିର୍ମାଣ ଶେଷ ହୋଇସାରିଥିବାବେଳେ ଆଉ ୨ଟିର ନିର୍ମାଣ ସରିନି। ଏତଦ୍‌ବ୍ୟତୀତ ସ୍ବେରେଜ୍‌ ପାଇପ୍‌ ବିଛା କାର୍ଯ୍ୟ ବି ଅଧପନ୍ତରିଆ ହୋଇପଡ଼ିରହିଛି। ଏଣୁ ପାଇପ୍‌ ବିଛା ଯିବାସହ ପମ୍ପିଂ ଷ୍ଟେସନ୍‌ ନିର୍ମାଣ କାର୍ଯ୍ୟ କେବେ ସରିବ ତାହା ଅସ୍ପଷ୍ଟ ରହିଛି। ତେବେ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ସମ୍ପନ୍ନ କରିବା ଓ ଜୁନ୍‌ ସୁଦ୍ଧା ପ୍ରକଳ୍ପ ଶତ ପ୍ରତିଶତ କାର୍ଯ୍ୟକ୍ଷମ କରିବାକୁ ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର