ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗୁରୁତ୍ବପୂର୍ଣ୍ଣ ବ୍ରହ୍ମପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡିର ବରିଷ୍ଠ ତଥା ଅଭିଜ୍ଞ ନେତା ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ବିଜେପିରେ ନବୀନ କେ.ଅନୀଲ କୁମାରଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବାକୁ ଯାଉଛି। ବିଜେଡି ଓ ବିଜେପିର ପ୍ରାର୍ଥିତ୍ବକୁ ନେଇ ଉଭୟ ଦଳରେ ବିବାଦ ଲାଗିରହିଥିବା ବେଳେ ନିର୍ବାଚନ ପୂର୍ବରୁ ସୃଷ୍ଟି ହୋଇଥିବା ବିବାଦ କିଭଳି ପ୍ରଶମିତ ହେବ ତାହା ଉଭୟ ପ୍ରାର୍ଥୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ପ୍ରାର୍ଥିତ୍ବ ଘୋଷଣା ପରେ ଉଭୟ ଦଳ ପକ୍ଷରୁ ଶକ୍ତି ପ୍ରଦର୍ଶନ ପାଇଁ ସହରରେ ଶୋଭାଯାତ୍ରା କରି ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛନ୍ତି। ବିଜେଡି ପ୍ରାର୍ଥୀ ଡା. ଚ୍ୟାଉପଟ୍ଟନାୟକ ବ୍ରହ୍ମପୁର ଆସନରୁ ୫ଥର ବିଧାୟକ ହୋଇ ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ପଦରେ ରହିଛନ୍ତି। ସେ ପାଞ୍ଚବର୍ଷ ବ୍ୟବଧାନରେ ପୁଣି ନିର୍ବାଚନ ମଇଦାନରେ। ବିଜେପି ପ୍ରାର୍ଥୀ ଅନୀଲ କିଛି ଦିନ ପୂର୍ବେ ବିଜେଡି ଶିବିରରେ ରହିଥିଲେ। ଜିଲ୍ଲା ସଭାପତି ଡା.ଚ୍ୟାଉପଟ୍ଟନାୟକଙ୍କ ନେତୃତ୍ବରେ ସେ ଦଳୀୟ ସଂଗଠନ କାର୍ଯ୍ୟରେ ସଂପୃକ୍ତ ଥିଲେ। ଯଦିଓ ସେ ବିଜେଡିରୁ ଇସ୍ତଫା ଦେଇ ନଥିଲେ, ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀଙ୍କ ଜଣେ ଦୃଢ଼ ସମର୍ଥକ ଥିଲେ ଏବଂ ପ୍ରଦୀପଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସାମିଲ୍ ହୋଇ ଆସୁଥିଲେ। ଯେହେତୁ ସେ ଡା. ଚ୍ୟାଉପଟ୍ଟନାୟକଙ୍କ ଶିବିରରେ ରହି କାମ କରୁଥିଲେ, ତେଣୁ ବ୍ରହ୍ମପୁର ଆସନରେ ଗୁରୁ-ଶିଷ୍ୟ ଲଢ଼େଇ ହେବ ବୋଲି ଆଲୋଚନା ହେଉଛି।
ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ପ୍ରମୁଖ ଆଧାର: ଡା. ଚ୍ୟାଉପଟ୍ଟନାୟକ
ପ୍ରସଙ୍ଗ ଭିତ୍ତିରେ ଲଢ଼େଇ ହେବ: କେ. ଅନୀଲ
ଡା.ଚ୍ୟାଉପଟ୍ଟନାୟକ କହନ୍ତି, ବିଜେପି ପ୍ରାର୍ଥୀ ଅନୀଲ ଦିନେ ବିଜେଡିରେ ଥିଲେ। ଶିଷ୍ୟ ଭାବେ ସେ ଧର୍ମରକ୍ଷା କରିପାରିଲେ ନାହିଁ। ବିଜେଡିରେ ଥିବା ବେଳେ ୨୦୧୩ରେ ତାଙ୍କ ଭଉଣୀ କେ.ମାଧବୀଙ୍କୁ ବ୍ରହ୍ମପୁର ମହାନଗର ନିଗମର ମେୟର କରାଯାଇଥିଲା। ସେତେବେଳେ ଚ୍ୟାଉପଟ୍ଟନାୟକ ବିଧାୟକ ଥିଲେ ଏବଂ ଅନୀଲ ବିଧାୟକଙ୍କ ପ୍ରତିନିଧି ଭାବେ ମନୋନୀତ ହୋଇଥିଲେ। ବିଜେଡିରେ ଗୋଷ୍ଠୀ କନ୍ଦଳ ନାହିଁ, ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ନେଇ ଲୋକଙ୍କ ନିକଟରେ ପହଞ୍ଚିବେ ବୋଲି ଡା. ଚ୍ୟାଉପଟ୍ଟନାୟକ କହିଛନ୍ତି। ସେହିଭଳି ବିଜେପି ପ୍ରାର୍ଥୀ ଅନୀଲ ତାଙ୍କ ରାଜନୈତିକ ଜୀବନ କଂଗ୍ରେସରୁ ଆରମ୍ଭ କରିଥିବା କହିଛନ୍ତି। ଦୁଇଥର କାଉନସିଲର ଭାବେ ନିର୍ବାଚିତ ହେବା ପରେ ସେ ବିଜେଡିରେ ସାମିଲ ହୋଇଥିଲେ। ଚ୍ୟାଉବାବୁ ଜଣେ ପିତୃତୁଲ୍ୟ ବ୍ୟକ୍ତି, କିନ୍ତୁ ମୋତେ ସେ ପାଠ ପଢ଼ାଇ ନାହାନ୍ତି କି ମୋର ରାଜନୈତିକ ଗୁରୁ ନୁହନ୍ତି ବୋଲି ଅନୀଲ ସ୍ପଷ୍ଟ କରିଛନ୍ତି। ଚଳିତ ନିର୍ବାଚନରେ ପ୍ରସଙ୍ଗଭିତ୍ତିରେ ଲଢ଼େଇ ହେବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/dagdagdgdagda.jpg)