ବ୍ରହ୍ମପୁର : ଜେଲ୍ରେ ରହୁଥିବା ଅନ୍ତେବାସୀଙ୍କ ମଧ୍ୟରେ ସଂସ୍କାର ଆଣିବା ପାଇଁ ସରକାର ନାନା ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଭଳି ସଂସ୍କାରମୂଳକ କାର୍ଯ୍ୟକ୍ରମ ଯୋଗୁ ବହୁ ଅନ୍ତେବାସୀଙ୍କ କ୍ଷେତ୍ରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ବ୍ରହ୍ମପୁର ମଣ୍ଡଳ କାରାଗାରର ଅନ୍ତେବାସୀମାନେ ଏକ ଅନ୍ଲାଇନ୍ ଜାତୀୟ ସ୍ତର ନୃତ୍ୟ ପ୍ରତିଯୋଗିତାରେ କମାଲ୍ ଦେଖାଇ ଫାଇନାଲ୍ ରାଉଣ୍ଡ୍କୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ମଣ୍ଡଳ କାରାଗାର ଟିମ୍ ଫାଇନାଲ୍ ରାଉଣ୍ଡ୍ରେ ବିଜେତା ହେବାନେଇ ମଧ୍ୟ ବେଶ୍ ଆଶାବାଦୀ।
ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ କଳାନ୍ତର ଅନୁଷ୍ଠାନ ଦ୍ବାରା ଏକ ଜାତୀୟସ୍ତର ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହି ପ୍ରତିଯୋଗିତାରେ ବିଭିନ୍ନ ଅନୁଷ୍ଠାନର କଳାକାରମାନେ ଅଂଶଗ୍ରହଣ କରିଛନ୍ତି। ଅନ୍ଲାଇନ୍ ମୋଡ୍ରେ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଗତ ୬ତାରିଖରେ ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ଚିଠି ଆସିଥିଲା। ଚିଠି ପାଇବା କ୍ଷଣି ମଣ୍ଡଳ କାରାଗାର ଅଧୀକ୍ଷକ ଡି.ଏନ୍ ବାରିକ ଓ ଜେଲର୍ ସତ୍ୟନାରାୟଣ ବେହେରାଙ୍କ ଉଦ୍ୟମ କ୍ରମେ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ମାତ୍ର ୩ଦିନରେ ଜେଲ୍ର ଅନ୍ତେବାସୀଙ୍କୁ ନେଇ ଏକ ଚିତ୍ତାକର୍ଷକ ନୃତ୍ୟ କୋରଓଗ୍ରାଫି କରାଯାଇଥିଲା। ସେହିପରି, ଏକ ୫ମିନିଟ୍ର କ୍ଷୁଦ୍ର ନାଟକ ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହା ପ୍ରସ୍ତୁତ କରିବା ପରେ ଅନ୍ଲାଇନ୍ରେ ସମ୍ପୃକ୍ତ ସଂସ୍ଥାକୁ ପଠାଯାଇଥିଲା। ନୃତ୍ୟ ପ୍ରତିଯୋଗିତାରେ ବ୍ରହ୍ମପୁର ମଣ୍ଡଳ କାରାଗାର ଫାଇନାଲ୍ ରାଉଣ୍ଡ୍କୁ ପ୍ରବେଶ କରିଥିବା ଆୟୋଜକ ସଂଗଠନ ଅବଗତ କରାଇଥିବା ଜେଲର୍ ସୂଚନା ଦେଇଛନ୍ତି।
ସେହିପରି କିଛି ଅନ୍ତେବାସୀ ସଙ୍ଗୀତ ପ୍ରତିଯୋଗିତାରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ଅନ୍ତେବାସୀଙ୍କ ମଧ୍ୟରେ ରହିଥିବା ପ୍ରତିଭାର ବିକାଶ ଦିଗରେ ଏଭଳି କାର୍ଯ୍ୟକ୍ରମ ବେଶ୍ ସହାୟକ ହେବ ବୋଲି ଜେଲର୍ ଶ୍ରୀ ବେହେରା କହିଛନ୍ତି।