ବ୍ରହ୍ମପୁରରୁ ବିଶ୍ବଜିତ ଦାଶ
୧୯୭୧ରେ ବ୍ରହ୍ମପୁର ଲୋକସଭା ଆସନ ଗଠନ ହେବା ଦିନଠାରୁ ୧୯୯୯ରେ ବିଜେପି ଏବଂ ୨୦୦୯ ପର୍ଯ୍ୟନ୍ତ ଏହା କଂଗ୍ରେସର ଅଭେଦ୍ୟ ଗଡ଼ ରହିଆସିଛି। ହେଲେ ଏକଦା କଂଗ୍ରେସର ଗଡ଼ ଥିବା ବ୍ରହ୍ମପୁର ଲୋକସଭା ଆସନ ଗତ ଦୁଇ ପାଳି ହେଲା ବିଜେଡି କବ୍ଜାରେ। ଏଥର ୧୧ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଥିଲେ ବି ମୁଖ୍ୟତଃ ବିଜେଡି-ବିଜେପି ମଧ୍ୟରେ କଡ଼ା ଲଢ଼େଇ ହେବାକୁ ଯାଉଛି। ଏଥର ତିନି ପ୍ରମୁଖ ଦଳ ପ୍ରାର୍ଥୀ ବଦଳାଇଥିବାରୁ ଲଢ଼େଇ ଦ୍ବିମୁଖୀ ହେବ ବୋଲି କୁହାଯାଉଛି। କିନ୍ତୁ କଂଗ୍ରେସ ପ୍ରାର୍ଥୀ ଓ ଜଣେ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନରେ କେତେ ଭୋଟ୍ ପାଉଛନ୍ତି ତାହା ଉପରେ ଦୁଇ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀଙ୍କ ବିଜୟ ନିର୍ଭର କରୁଛି।

Advertisment

ଏହି ନିର୍ବାଚନମଣ୍ଡଳୀରେ ମୋଟ୍ ୧୫,୮୨,୨୩୦ଜଣ ଭୋଟର ଅଛନ୍ତି। ସବୁ ବର୍ଗର ଭୋଟର ଥିଲେ ବି ମୋଟ୍ ୭ଟି ଯାକ ନିର୍ବାଚନମଣ୍ଡଳୀର ହିସାବ ଦେଖିଲେ ସାଂସଦ ହେବାକୁ ହେଲେ ପ୍ରାର୍ଥୀଙ୍କୁ ତେଲୁଗୁ, ଖ୍ରୀଷ୍ଟିଆନ, ଆଦିବାସୀ ଓ ମତ୍ସ୍ୟଜୀବୀ ଭୋଟରଙ୍କ ଉପରେ ନଜର ରଖିବାକୁ ହେବ। ଏହି ୪ଜାତିର ଭୋଟର ହିଁ ୭ଟି ଯାକ ନିର୍ବାଚନମଣ୍ଡଳୀରେ ଊଣା ଅଧିକ ପ୍ରଭାବ ରଖିଛନ୍ତି। ତେଲୁଗୁ ଭୋଟରଙ୍କ ସଂଖ୍ୟା ସବୁଠୁ ଅଧିକ। ଏପରିକି କିଏ ଲୋକସଭା ଆସନ ଦଖଲ କରିବ ତାହା ତେଲୁଗୁ ଭୋଟରଙ୍କ ମୁଡ୍ ଉପରେ ନିର୍ଭର କରୁଛି। କେବଳ ତେଲୁଗୁ ଭୋଟର ନୁହନ୍ତି, ଖ୍ରୀଷ୍ଟିଆନ, ଆଦିବାସୀ ଓ ମତ୍ସ୍ୟଜୀବୀ ଭୋଟର ବି ନିର୍ଣ୍ଣାୟକ ନିଷ୍ପତ୍ତି ନେବେ ବୋଲି କୁହାଯାଉଛି। ଗତଥର ବିଜେପି ଟିକେଟରେ ପ୍ରାର୍ଥୀ ହୋଇ ପ୍ରାୟ ୯୪ହଜାର ଭୋଟ୍‌ରେ ହାରିଥିବା ଭୃଗୁ ବକ୍ସିପାତ୍ର ଏଥର ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ଅପରପକ୍ଷେ ବିଜେଡି ଟିକେଟ୍‌ରେ ଗୋପାଳପୁରରୁ ତିନିଥର ବିଧାୟକ ହୋଇ ଆସିଥିବା ପ୍ରଦୀପ ପାଣିଗ୍ରାହୀ ଏଥର ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ବିଜେଡିରୁ ବିଦା ହେବା ପୂର୍ବରୁ ପ୍ରଦୀପ ବିଜେଡିର ଗଞ୍ଜାମ ଜିଲ୍ଲା ସଂଗଠନ ଏକପ୍ରକାର ବୁଝୁଥିଲେ। ତେଣୁ ବିଜେଡିର କିଛି ସଂଗଠନ ସହ ପ୍ରଦୀପଙ୍କର ଏବେବି ସଂପୃକ୍ତି ରହିଛି। ସେହିପରି ଗତ ନିର୍ବାଚନରେ ୩ଲକ୍ଷ ୪୮ହଜାର ୯୯୯ ଭୋଟ୍ ପାଇଥିବା ଭୃଗୁଙ୍କର ବି ବିଜେପି ସଂଗଠନ ସହ ଏବେବି ସଂପୃକ୍ତି ଅଛି। ତେଣୁ ଯିଏ ପୁରୁଣା ସଂଗଠନକୁ ଯେତେ ଭଲ ସଦୁପଯୋଗ କରିପାରିବେ ସେ ବିଜୟର ସେତେ ନିକଟ ହୋଇପାରିବେ।

ଗୋପାଳପୁର ନିର୍ବାଚନମଣ୍ଡଳୀରେ ଲୋକସଭା ପ୍ରାର୍ଥୀଙ୍କୁ ଜିତିବାକୁ ହେଲେ ତେଲୁଗୁ ଓ ମତ୍ସ୍ୟଜୀବୀ ଭୋଟରଙ୍କୁ ନିଜ ଆଡ଼କୁ ଢଳାଇବାକୁ ହେବ। କାରଣ ଏଠାରେ ମତ ପ୍ରାୟତଃ ଗୋଷ୍ଠୀ ଆକାରରେ ଢଳିଥାଏ। ଗୋପାଳପୁରରେ ମୋଟ୍ ଭୋଟରଙ୍କ ମଧ୍ୟରୁ ୩୦% ମତ୍ସ୍ୟଜୀବୀ ଅଛନ୍ତି। ତେଣୁ ମତ୍ସ୍ୟଜୀବୀ ଭୋଟର ଗୁରୁତ୍ବପୂର୍ଣ୍ଣ। ସେହିପରି ଯେଉଁ ତେଲୁଗୁ ଭୋଟର ଅଛନ୍ତି ସେମାନଙ୍କ ଭୋଟ୍‌ ଗୁଡ଼ିକ ମୁଖ୍ୟତଃ ଗାଁର ମୁଖିଆଙ୍କ ଇଙ୍ଗିତ ଉପରେ ନିର୍ଭର କରେ। ଗାଁର ମୁଖିଆ ଯଥା ତେଲୁଗୁ ନାଇଡ଼ୁ ଓ ଓଡ଼ିଆ ନାଇଡ଼ୁ କ’ଣ ଚାହୁଁଛନ୍ତି ତାହାକୁ ପ୍ରାର୍ଥୀଙ୍କୁ ବୁଝିବାକୁ
ପଡ଼ିବ।
ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ବି ମତ୍ସ୍ୟଜୀବୀ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଏଠାରେ ୨୦%ରୁ ଅଧିକ ମତ୍ସ୍ୟଜୀବୀ ଭୋଟର ଅଛନ୍ତି। ଏହି ନିର୍ବାଚନମଣ୍ଡଳୀଟି ପୂର୍ବରୁ ସିପିଆଇ ଗଡ଼ ଥିବାରୁ ସିପିଆଇ ସମର୍ଥକମାନେ କେଉଁ ପ୍ରାର୍ଥୀଙ୍କ ଆଡ଼କୁ ଢଳୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର। ବ୍ରହ୍ମପୁର ନିର୍ବାଚନମଣ୍ଡଳୀରେ ତେଲୁଗୁ ଭୋଟର ପ୍ରାୟ ୩୫% ପାଖାପାଖି। ଏପରିକି ଏଠାରେ ତିନି ପ୍ରମୁଖ ଦଳର ଭଲ ଭୋଟ୍ ଅଛି। ତେଣୁ ତିନି ଦଳ ଏଠାରେ କେଉଁ ରଣନୀତି ପ୍ରସ୍ତୁତ କରୁଛନ୍ତି ତାହା ଉପରେ ନଜର।
ମୋହନା ନିର୍ବାଚନ ମଣ୍ଡଳୀରେ ୬୦% ହେଉଛନ୍ତି ଆଦିବାସୀ ଏବଂ ଆଦିବାସୀ ଖ୍ରୀଷ୍ଟିଆନ ଭୋଟର। ତେଣୁ ଏହି ଭୋଟରଙ୍କ ମଧ୍ୟରୁ ଯେତେ ଅଧିକ ଯେଉଁ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ସେ ସେତେ ଆଗେଇବେ। ଏଠାରେ କଂଗ୍ରେସର ସବୁଠୁ ଅଧିକ ପକେଟ୍ ଭୋଟ୍। ଅଣ ଆଦିବାସୀ ଓ ଅଣ ଖ୍ରୀଷ୍ଟିଆନ ଭୋଟ୍ ବିଜେପି ଓ ବିଜେଡିର ଅଧିକ ଅଛି। ଏଥର ଶବର ଜାତିରୁ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି କୁଇ ଜାତିରୁ ପ୍ରାର୍ଥୀ କରିଛି। ବିଧାନସଭା ଓ ଲୋକସଭା ଭୋଟ୍ କେତେ ପୃଥକ ହେଉଛି ତାହା ଉପରେ ନଜର।

ପାରଳାଖେମୁଣ୍ଡିରେ ଗୁମ୍ମା ବ୍ଲକରେ କଂଗ୍ରେସର ପକେଟ୍ ଭୋଟ୍ ଥିବା ବେଳେ ଏଠାରେ ସଦାବେଳେ କଂଗ୍ରେସ ଭଲ ଭୋଟ୍ ପାଇଆସିଛି। କାମ୍ପ (ତେଲୁଗୁର ଏକ ଜାତି) ଭୋଟ୍ ଯିଏ ଅଧିକ ପାଇବ ସେ ସେତେ ଆଗେଇବ। ଏଠାରେ ବ୍ରାହ୍ମଣ ସମାଜ ପାଖରେ ୩ହଜାର ଏକତ୍ରିତ ଭୋଟ୍ ଥିବାରୁ ଏହା ବି କେତେକାଂଶରେ ଗୁରୁତ୍ବପୂର୍ଣ୍ଣ।
ଚିକିଟିରେ ତେଲୁଗୁ ଭୋଟ୍ ବି ନିର୍ଣ୍ଣାୟକ ଭୂମିକା ନେବ। ଏଠାରେ ରାଜ ପରିବାରର କିଛି ପାରମ୍ପାରିକ ଭୋଟ୍ ଅଛି। ସେମାନେ ବିଧାନସଭା ଓ ଲୋକସଭା ପ୍ରାର୍ଥୀଙ୍କ ପାଇଁ କେମିତି ଭୋଟ୍ ଦେଉଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ। ଦିଗପହଣ୍ଡିରେ ଭୋଟର କେଉଁ ଆଡ଼କୁ ଢଳୁଛନ୍ତି ତାହା ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଓ ସଂଗଠନ ଉପରେ ନିର୍ଭର କରୁଛି।