ପତିତପାବନ ସାହୁ
ଅନୁଗୁଳ: ତାଳଚେର ଓ ଛେଣ୍ଡିପଦାରେ ପାଖାପାଖି ଏକ ଡଜନ ନୂଆ କୋଇଲା ଖଣି ଖନନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଏହି ଖଣିର ଆଁ ଭିତରେ ଅଧାଡଜନ ଚିରସ୍ରୋତା ନାଳ ଅକାଳରେ ମରିଯିବ। ଗୁରୁତର ଭାବେ ପ୍ରଭାବିତ ହେବ ବ୍ରାହ୍ମଣୀର ଶାଖା ନଦୀ। ଏଥିପାଇଁ ବର୍ଷା ଦିନେ ଫୁଲୁଥିବା ବ୍ରାହ୍ମଣୀ ନଦୀ ଅଣମୌସୁମୀ କାଳରେ ଶୁଖିଲା ପଡ଼ିବା ଥୟ। ରାଜ୍ୟର ଏହି ଦ୍ବିତୀୟ ପ୍ରମୁଖ ନଦୀ ଜଳସ୍ତର କମି କମି ଆସୁଥିଲା ବେଳେ ଖଣି ଓ ଶିଳ୍ପ ପାଇଁ ତଳମୁଣ୍ଡରେ ପାଣି ମୁନ୍ଦାଏ ମିଳିବା କଷ୍ଟକର ହେବ। ଅନୁଗୁଳ ଜିଲ୍ଲା ରେଙ୍ଗାଳି ନିକଟରେ ବ୍ରାହ୍ମଣୀ ନଦୀରେ ଏକ ଡ୍ୟାମ୍ ନିର୍ମାଣ କରାଯାଇଛି। ବିଦ୍ୟୁତ୍ ଉତ୍ପାଦନ ପରେ ଏଠାକାର ଜଳକୁ ତଳମୁଣ୍ଡକୁ ଛଡ଼ା ଯାଇଥାଏ। ଏଠାରୁ ହାରାହାରି ୭୦୦ରୁ ୭୧୦ କ୍ୟୁମେକ୍ସ ଜଳ ତଳମୁଣ୍ଡକୁ ଯାଉଛି। ତଳେ ଥିବା ସମଲ ବ୍ୟାରେଜ୍ରେ ଏହି ପାଣିକୁ ସଂରକ୍ଷିତ ରଖି ଜଳସେଚନ, ପାନୀୟ ଜଳ ଓ ଶିଳ୍ପାନୁଷ୍ଠାନକୁ ଯୋଗାଇ ଦିଆଯାଉଛି। ଏଥିପାଇଁ ବ୍ୟାରେଜ୍ର ତଳିଆ ଅଞ୍ଚଳକୁ ପାଣିଯିବା କମି ଯାଇଛି। ଠିକ୍ ଏହି ସମୟରେ ବ୍ରାହ୍ମଣୀକୁ ଭରୁଥିବା ସିଂଗଡ଼ା, ଗଉଡୁଣୀ, ଟିକିରା, ନନ୍ଦିରା, ଗମ୍ଭାରୀ ପରି ଚିରସ୍ରୋତା ନାଳର ସ୍ଥିତି ଏବେ ସଙ୍କଟରେ। କୋଇଲା ଖଣି ପାଇଁ ଏହି ନାଳଗୁଡ଼ିକ ମୃତ୍ୟୁର ଦିନ ଗଣୁଥିବାରୁ ସଙ୍କଟରେ ବ୍ରାହ୍ମଣୀ। ଛେଣ୍ଡିପଦାରେ କୋଇଲା ଖଣି ଖନନ ଆରମ୍ଭ ହେଲା ପରେ ନୟନି କୋଲ୍ ବ୍ଲକ୍ରେ ଗଉଡ଼ୁଣୀ, ଉଲ୍ଲାଣୀ, ସିଆରିମାଳିଆ ନାଳର ଅପମୃତ୍ୟୁ ହେବ। ସେହିପରି ଛେଣ୍ଡିପଦା ସଂଶୋଧିତ କୋଲ୍ବ୍ଲକ୍ ପାଇଁ କୁମ୍ଭୀରା ନାଳ ସବୁଦିନ ପାଇଁ ହଜିଯିବ।
ମହାନଦୀ କୋଲ୍ବ୍ଲକ୍ ଆରମ୍ଭ ହେଲେ ଆଉଁଳି ନାଳ ପ୍ରଭାବିତ ହେବ। କୋଲ୍ ବ୍ଲକ୍ କଡ଼ରେ ଏହି ନାଳ ଯାଇଥିବାରୁ ଏହା ଜଳସ୍ରୋତ ଶୁଖିଯିବ। ବର୍ଷା ଦିନକୁ ଛାଡ଼ିଦେଲେ ଅନ୍ୟ ଦିନେ ପାଣି ରହିବନି। ଏପଟେ ଛେଣ୍ଡିପଦା-୨ କୋଲ୍ବ୍ଲକ୍ ଭିତରେ ଧୁରୁବ୍ହା ନାଳ, ଥୁଣ୍ଟିମାହାଲ ନାଳ ସମାଧି ପାଇବ। ଖଣି ଭିତରେ ଏହି ଦୁଇ ନାଳ ହଜିଯିବା ନିଶ୍ଚିତ। ପୁଣି ବ୍ରାହ୍ମଣବିଲ-କରଡ଼ାବାହାଳ କୋଲ୍ବ୍ଲକ୍ ଭିତରେ କୁଦପଶି ଓ ଅତଣ୍ଡି ନାଳ ଯାଇଥିବାରୁ ଏହାର ଅକାଳ ମୃତ୍ୟୁ ହେବା ଥୟ। ଫୁଲଝରୀ ପୂର୍ବ-ପଶ୍ଚିମ କୋଲ୍ବ୍ଲକ୍ ପାଇଁ ସିଙ୍ଗଡ଼ା ନାଳ ଗୁରତର ଭାବେ ପ୍ରଭାବିତ ହେବ। ରାଧିକାପୁର କୋଲ୍ବ୍ଲକ୍ ପାଇଁ ନୂଆବନ୍ଧ ନାଳ ହଜିଯିବ। ଏହି ସବୁ ନାଳ ବ୍ରାହ୍ମଣୀକୁ ପାଣି ଯୋଗାଉଥିବାରୁ ଏମାନଙ୍କ ଅପମୃତ୍ୟୁ ବ୍ରାହ୍ମଣୀକୁ ବିପଦରେ ପକାଇବାର ଆଶଙ୍କା ଜଳଜଳ ଦିଶିଲାଣି। ଏନେଇ ଛେଣ୍ଡିପଦାର ପରିବେଶବିତ୍ ପ୍ରଦୀପ ସାହୁ କହିଛନ୍ତି, କୋଇଲା ଖଣି ଆରମ୍ଭ ହେଲେ ପ୍ରାୟ ୧୨ଟି ନାଳ ଅସ୍ତିତ୍ବ ହରାଇବେ। କିଛି ନାଳ ଖଣି ଭିତରେ ହଜିଯିବ, ଆଉ କିଛି ଶୁଖିଯିବ। ଫଳରେ ବ୍ରାହ୍ମଣୀକୁ ଜଳ ପ୍ରବାହ କମିଯିବା ସହ ତଳମୁଣ୍ଡ ଶୁଖିଲା ପଡ଼ିବ। ପରିବେଶବିତ୍ ପ୍ରସନ୍ନ ବେହେରା କହିଛନ୍ତି, ଗୋଟିଏ ପଟେ ବ୍ରାହ୍ମଣୀକୁ ଜଳ ପ୍ରବାହ କମୁଥିଲା ବେଳେ ଏହି ନଦୀ ଅବବାହିକାରେ ଏକାଧିକ ଶିଳ୍ପାନୁଷ୍ଠାନ ଗଢ଼ି ଉଠିଲାଣି। ଏମାନେ ବ୍ରାହ୍ମଣୀ ଜଳ ଶୋଷି କେବଳ ଦୂଷିତ ପାଣି ତଳମୁଣ୍ଡକୁ ଛାଡ଼ିବେ। ଏଥିପାଇଁ ତଳମୁଣ୍ଡରେ ସାଧାରଣ ଜୀବନ ପ୍ରଭାବିତ ହେବା ସହ ହେନ୍ତାଳ ବଣକୁ ବିପଦରେ ପକାଇବାର ଆଶଙ୍କା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/29/dgdadgazcv-2025-10-29-02-47-24.jpg)