ରାଉରକେଲା: ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ବ୍ରାହ୍ମଣୀ ନଦୀର ଜଳସ୍ତର ସତର୍କ ସଙ୍କେତ ପାର୍‌ କରିସାରିଥିବାବେଳେ ଏବେ ଏହା ବିପଦ ସଙ୍କେତ ପାଖାପାଖି ପହଞ୍ଚିଲାଣି। ଅପରପକ୍ଷରେ ଝାଡ଼ଖଣ୍ଡରେ ଲଗାଣ ବର୍ଷା ଯୋଗୁଁ କୋଏଲ ନଦୀ ଓ ଶଙ୍ଖ ନଦୀର ଜଳସ୍ତର ମଧ୍ୟ ଆଶାତୀତ ବୃଦ୍ଧି ପାଇଛି। ଜଳସ୍ତର କମିବାର ନାଁ ନେଉନଥିବାରୁ ବ୍ରାହ୍ମଣୀ ନଦୀ ସଂଲଗ୍ନ ବାଲୁଘାଟ ନୂଆବସ୍ତି ଅଞ୍ଚଳବାସୀ ଦୁର୍ଦ୍ଦଶା ବଢ଼ିଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ବସ୍ତିର ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଘରେ ପାଣି ପଶିଥିବାରୁ ସେମାନେ ଏବେ ଆଶ୍ରୟ ସ୍ଥଳ, ପର ଘରେ ମୁଣ୍ଡ ଗେଞ୍ଜିଛନ୍ତି।

Advertisment

ଶନିବାର ଦିନ ପ୍ରାୟ ୧ଟାରୁ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ିବା ଆରମ୍ଭ ହୋଇଥିଲା। ଏହା ବିଳମ୍ବିତ ରାତି ୧ଟା ଯାଏଁ ବଳବତ୍ତର ରହିଥିଲା। ତେବେ ରାତି ୧ଟାରୁ ଆଜି ପୂର୍ବାହ୍ନ ୧୦ଟା ଯାଏଁ ଜଳସ୍ତର ୧୭୭.୫୧୦ ମିଟରରେ ସ୍ଥିର ରହିଥିଲା। କିନ୍ତୁ ଗତକାଲି ରାତିରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ କୋଏଲ ନଦୀ ଓ ଶଙ୍ଖ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ଫଳରେ ଏହି ଦୁଇ ନଦୀର ମିଶ୍ରଣରେ ସୃଷ୍ଟି ବ୍ରାହ୍ମଣୀ ନଦୀ ଜଳସ୍ତର ବଢ଼ିବା ସ୍ବାଭାବିକ୍‌।

publive-image

ଆଜି ପୂର୍ବାହ୍ନ ୧୧ଟାରୁ ବ୍ରାହ୍ମଣୀ ନଦୀର ଜଳସ୍ତର ଉପରମୁହାଁ ରହିଛି। ସନ୍ଧ୍ୟା ୬ଟା ଯାଏଁ ମିଳିଥିବା ସୂଚନା ଅନୁଯାୟୀ ବ୍ରାହ୍ମଣୀ ନଦୀର ଜଳସ୍ତର ୧୭୮.୩୫୦ ମିଟର ରହିଛି। ଉଲ୍ଲେଖଯୋଗ୍ୟ, ବ୍ରାହ୍ମଣୀ ନଦୀର ସତର୍କ ସଙ୍କେତ ୧୭୭.୫୧୦ ମିଟର ହୋଇଥିବାବେଳେ ବିପଦ ସଙ୍କେତ ହେଉଛି ୧୭୮.୪୨୦ ମିଟର। ଗତକାଲି ବିଳମ୍ବିତ ରାତି ୧ଟାରେ ବ୍ରାହ୍ମଣୀ ନଦୀ ଜଳସ୍ତର ସତର୍କ ସଙ୍କେତ ପାର୍‌ କରିଥିଲା। ଏବେ ଜଳସ୍ତର ବିପଦ ସଙ୍କେତ ପାଖାପାଖି ପହଞ୍ଚିସାରିଥିବାରୁ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ିଯାଇଛି।

ସେହିଭଳି କୋଏଲ ନଦୀ ଓ ଶଙ୍ଖ ନଦୀର ଜଳସ୍ତର ମଧ୍ୟ କମିବାର ନାଁ ନେଉନି। ସନ୍ଧ୍ୟା ୬ଟା ସୁଦ୍ଧା ଶଙ୍ଖ ନଦୀର ଜଳସ୍ତର ୩୭୬.୫୬୦ ମିଟର ରହିଛି। ଉଲ୍ଲେଖଯୋଗ୍ୟ, ଏହାର ବିପଦ ସଙ୍କେତ ସ୍ତର ହେଉଛି ୩୭୯.୧୫୦ ମିଟର। ସଂପ୍ରତି ଏଠାରେ ୩୭୬.୫୬୦ ମିଟର ରହିଛି। ସେହିଭଳି ଅପରାହ୍ନ ୩ଟା ସୁଦ୍ଧା କୋଏଲ ନଦୀର ଜଳସ୍ତର ୧୯୩.୩୫୦ ମିଟର ରହିଛି। ଏହାସହ ମନ୍ଦିରା ଡ୍ୟାମ୍‌ର ଜଳସ୍ତର ମଧ୍ୟ କ୍ରମଶଃ ବୃଦ୍ଧି ପାଉଥିବାରୁ ୧୩ଟି ଗେଟ୍‌କୁ ଖୋଲା ଯାଇଛି। ମୋଟ୍‌ ୧୧ଟି ସ୍ପିଲ୍‌ୱେ ଗେଟ୍‌କୁ ୫ ଫୁଟ ଲେଖାଏଁ ଖୋଲାଯାଇଥିବାବେଳେ ଦୁଇ ସ୍ଲୁଇସ୍‌ ଗେଟ୍‌କୁ ୬ ଇଞ୍ଚ୍‌ ଲେଖାଏଁ ଖୋଲାଯାଇଛି।

ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ବାଲୁଘାଟ ଅଞ୍ଚଳବାସୀଙ୍କ ନିଦ ଉଡ଼ାଇ ଦେଇଛି। ବିଶେଷକରି ନୂଆ ବସ୍ତିବାସୀଙ୍କ ଦୁର୍ଦ୍ଧଶା ଢ଼େର୍‌ ବଢ଼ିଯାଇଛି। ଗତକାଲି ରାତି ପ୍ରାୟ ୯ଟାରେ ଅଞ୍ଚଳରେ ବନ୍ୟା ଜଳ ପଶିବା ଆରମ୍ଭ କରିଥିଲା। ଫଳରେ ତତ୍‌କ୍ଷଣାତ ୧୦ଟି ପରିବାର ଘର ଛାଡ଼ି ଅନ୍ୟତ୍ର ରହିଥିଲେ। ରାତି ଯେମିତି ବଢ଼ୁଥିଲା, ଅଞ୍ଚଳବାସୀଙ୍କ ଦୁଃଖ ମଧ୍ୟ ସେଭଳି ବଢ଼ିଚାଲିଥିଲା। ବିଳମ୍ବିତ ରାତିରେ ପ୍ରାୟ ୩୦ଟି ଘରେ ପାଣି ପଶିବାରୁ ଜଳବନ୍ଦୀ ହୋଇଥିଲେ ୩୦ ପରିବାର। ତେବେ କୌଣସିମତେ ସମସ୍ତେ ଜୀବନ ବିକଳରେ ସ୍ଥାନୀୟ ବ୍ରାହ୍ମଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବିଦ୍ୟୁତ କଲୋନି ଉଚ୍ଚ ବିଦ୍ୟାଳୟରେ ପ୍ରଶାସନ ପକ୍ଷରୁ କରାଯାଇଥିବା ଆଶ୍ରୟ ସ୍ଥଳୀରେ ରାତ୍ରିଯାପନ କରିଥିଲେ। ଏମିତିକ ଅନେକ ପରିବାର ନିଜ ସମ୍ପର୍କୀୟଙ୍କ ଘରେ ସାହାରା ନେଇଥିଲେ। ଆଜି ପୂର୍ବାହ୍ନ ୧୧ଟାରୁ ପୁନର୍ବାର ଜଳସ୍ତର ବୃଦ୍ଧି ହେବାସହ ଅଞ୍ଚଳର ପ୍ରାୟ ୨୦ଟି ଘରେ ପାଣି ପଶିଥିଲା। ଫଳରେ ମୋଟ୍‌ ୫୦ ପରିବାର ଏବେ ଅସ୍ଥାୟୀ ଆଶ୍ରୟସ୍ଥଳୀ, ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି। ତେବେ ଅନ୍ୟମାନେ ଏବେ ରାତି ଉଜାଗର ହୋଇ ଚେଇଁ ରହିଛନ୍ତି। ନଦୀ ଫୁଲୁଥିବାରୁ ଯେ କୌଣସି ସମୟରେ ପୁଣିଥରେ ପାଣି ପଶିବାର ଆଶଙ୍କା, ସେମାନଙ୍କ ଆଖିରୁ ନିଦ ହଜାଇ ଦେଇଛି।