ଚାନ୍ଦିପୁର : ‘ବ୍ରହ୍ମୋସ୍‌’ର ସଫଳ ପରୀକ୍ଷା

ଚାନ୍ଦିପୁର : ପ୍ରତିରକ୍ଷା କ୍ଷେତ୍ରରେ ଭାରତ ନୂଆନୂଆ କୀର୍ତ୍ତିମାନ ସ୍ଥାପନ କରୁଥିବାବେଳେ ଆଜି ଡିଆର୍‌ଡିଓ ପକ୍ଷରୁ ସୁପରସୋନିକ୍‌ କ୍ରୁଜ୍‌ ମିସାଇଲ ‘ବ୍ରହ୍ମୋସ୍‌’ର ସଫଳ ପରୀକ୍ଷଣ କରାଯାଇଛି। ଚାନ୍ଦିପୁର ଡିଆର୍‌ଡିଓ କ୍ଷେପଣାସ୍ତ୍ର କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ଆଜି ପୂର୍ବାହ୍ନ ୧୦ଟା ୨୦ରେ ପରୀକ୍ଷଣ କରାଯାଇଛି।

ଏହି କ୍ଷେପଣାସ୍ତ୍ର ଉଭୟ ଭାରତ ଓ ରୁଷିଆ ମିଳିତ ସହଯୋଗରେ ନିର୍ମିତ ହୋଇଛି। ଏହି କ୍ଷେପଣାସ୍ତ୍ରକୁ ଯେକୌଣସି ପରିସ୍ଥିତିରେ ସ୍ଥଳଭାଗ, ଯୁଦ୍ଧ ଜାହାଜ ଓ ରେଳଲଞ୍ଚ୍‌ରରୁ ଉତ୍‌କ୍ଷେପଣ କରାଯାଇପାରିବ। ଏହା ଶବ୍ଦର ବେଗଠାରୁ ୩ ଗୁଣ ଅଧିକ ବେଗରେ ଗତି କରିବ। ବ୍ରହ୍ମୋସ୍‌ ମିସାଇଲରେ ଦୁଇଟି ଷ୍ଟେଜ୍‌ ବିଶିଷ୍ଟ ଇଂଜିନ ବ୍ୟବହାର କରାଯାଇଛି। ଏହା ୩ ହଜାର କିଗ୍ରା ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ଏହି କ୍ଷେପଣାସ୍ତ୍ର ସ୍ଥଳଭାଗରୁ ୪୫୦ କିମିରୁ ୬୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବାବେଳେ ବାୟୁସେନାର ଯୁଦ୍ଧ ବିମାନରୁ ୪ ଶହ କିମି ପର୍ଯ୍ୟନ୍ତ ଟାର୍ଗେଟ ହିଟ୍‌ କରିପାରିବାର କ୍ଷମତା ରଖିଛି। ଘଣ୍ଟା ପ୍ରତି ୩ ହଜାର ୪ ଶହ କିମିରୁ ୩ ହଜାର ୭ଶହ କିମି ବେଗରେ ଗତି କରିପାରୁଥିବା ଏହି ସୁପରସୋନିକ୍‌ କ୍ରୁଜ଼ ମିସାଇଲ୍‌କୁ ୨୦୦୬ ମସିହାରୁ ପ୍ରତିରକ୍ଷା ବିଭାଗରେ ସାମିଲ କରାଯାଇଛି। ଏହାର ଲମ୍ବ ୮.୪ ମିଟର, ମୋଟେଇ ୦.୬ ମିଟର ଓ ଓଜନ ୩ ହଜାର କିଗ୍ରା ରହିଛି। ଗତବର୍ଷ ମେ ୨୧ତାରିଖରେ ଏହାର ଶେଷ ପରୀକ୍ଷା ଏକ ଯୁଦ୍ଧ ଜାହାଜରୁ କରାଯାଇ ସଫଳ ହୋଇଥିଲା ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି। ଭାରତର ବ୍ରହ୍ମପୁତ୍ର ଓ ରୁଷର ମସ୍କଭା ନଦୀର ନାମ ଅନୁସାରେ ଏହାର ନାମ କରାଯାଇଛି।।

ସମ୍ବନ୍ଧିତ ଖବର