‘ବ୍ରହ୍ମୋସ୍‌’ର ସଫଳ ପରୀକ୍ଷଣ, ପରୀକ୍ଷଣ ପରେ ଆକାଶପଥରେ ନିର୍ଦ୍ଧାରିତ ଟାର୍ଗେଟ୍‌ ହିଟ୍‌ କଲା

ଚାନ୍ଦିପୁର/ବା‌ଲେଶ୍ବର: ଭାରତୀୟ ସେନାର ବ୍ରହ୍ମାସ୍ତ୍ର କୁହାଯାଉଥିବା ସୁପର‌ସୋନିକ୍‌ କ୍ରୁଜ୍ ମିଜାଇଲ୍‌ ‘ବ୍ରହ୍ମୋସ୍‌’ର ସଫଳ ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ଆଜି ବାଲେଶ୍ବର ଜିଲ୍ଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ର ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ଏହି ପରୀକ୍ଷଣ ସଂପନ୍ନ ହୋଇଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଆଜି ସକାଳ ୮ଟା ୪୫ରେ ସ୍ଥଳସେନା ଓ ଦ୍ବିତୀୟବାର ଅପରାହ୍ନ ୩ଟା୩୦ରେ ବାୟୁସେନା ପକ୍ଷରୁ ଏହି କ୍ଷୀପ୍ର ଦୂରଗାମୀ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ଋଷ ଓ ଭାରତର ମିଳିତ ସହଯୋଗରେ ନିର୍ମିତ ଏହି ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ବିଶେଷତ୍ବ ହେଉଛି, ଏହାକୁ ଯେକୌଣସି ପରିସ୍ଥିତିରେ ସ୍ଥଳଭାଗ, ଯୁଦ୍ଧ ଜାହାଜ ଓ ରେଳ ଲଞ୍ଚର୍‌ରୁ ନିକ୍ଷେପ କରାଯାଇପାରିବ। ଆଉ ଥରେ ଉତ୍‌କ୍ଷେପଣ ହେଲେ ଏହି କ୍ଷେପଣାସ୍ତ୍ର ଶତ୍ରୁପକ୍ଷର ନିର୍ଦ୍ଧାରିତ ଟାର୍ଗେଟ୍‌କୁ ଧ୍ବଂସ କରିବା ଥୟ। ଏମିତିକି ପାଣି ଭିତରେ ବୁଡ଼ାଜାହାଜ (ସବ୍‌ମେରିନ୍‌) ଓ ଆକାଶମାର୍ଗରେ ଶତ୍ରୁପକ୍ଷର କ୍ଷେପଣାସ୍ତ୍ର, ଯୁଦ୍ଧ ବିମାନକୁ ‘ବ୍ରହ୍ମୋସ୍‌’ ମାତ୍ର କେଇ ସେକେଣ୍ଡରେ ଧ୍ବଂସ କରିଦେବାର କ୍ଷମତା ରଖିଛି। ଶବ୍ଦଠାରୁ ୩ ଗୁଣ ଅଧିକ ବେଗରେ ଗତି କରି ପାରୁଥିବା ‘ବ୍ରହ୍ମୋସ୍‌’ ମିଜାଇଲ୍‌ରେ ୨ଟି ଷ୍ଟେଜ୍‌ ବିଶିଷ୍ଟ ଇଞ୍ଜିନ୍‌ ବ୍ୟବହାର କରାଯାଇଛି। ୩ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ରଖିଛି ଏହି କ୍ରୁଜ୍ ମିଜାଇଲ୍‌। ସ୍ଥଳଭାଗରେ ଏହା ୪୫୦ରୁ ୬୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା ବେଳେ ଯୁଦ୍ଧ ବିମାନରୁ ୪ ଶହ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ଟାର୍ଗେଟ୍‌ କରିପାରିବାର କ୍ଷମତା ରଖିଛି। ଘଣ୍ଟା ପ୍ରତି ୩ ହଜାର ୪ ଶହ କିଲୋମିଟରରୁ ୩ ହଜାର ୭ ଶହ କିଲୋମିଟର ବେଗରେ ଗତି କରିପାରୁଥିବା କ୍ଷୀପ୍ର ଦୂରଗାମୀ ମିଜାଇଲ୍‌ ‘ବ୍ରହ୍ମୋସ୍‌’କୁ ୨୦୦୬ ମସିହାରୁ ପ୍ରତିରକ୍ଷା ବିଭାଗରେ ସାମିଲ କରାଯାଇଛି। ଏହାର ଲମ୍ବ ୮.୪ ମିଟର, ମୋଟେଇ ୦.୬ ମିଟର ଓ ଓଜନ ୩ ହଜାର କୁଇଣ୍ଟାଲ। ଭାରତର ବ୍ରହ୍ମପୁତ୍ର ଓ ରୁଷ୍‌ର ମସ୍କଭା ନଦୀର ନାମ ଅନୁସାରେ ‘ବ୍ରହ୍ମୋସ’ର ନାମକରଣ କରାଯାଇଛି। ଆଜି ଚାନ୍ଦିପୁର ଆଇଟିଆର୍‌ ଲଞ୍ଚ୍‌ପ୍ୟାଡ୍‌ରୁ ସ୍ଥଳସେନାର ଷ୍ଟ୍ରାଟେଜିକ୍ କମାଣ୍ଡ ଫୋର୍ସ ଏହାର ସଫଳ ପରୀକ୍ଷଣ କରିଥିବାବେଳେ ଅପରାହ୍ନରେ ପଶ୍ଚିମବଙ୍ଗ କଲେଇକୁଣ୍ଡା ଏୟାରବେସ୍‌ରୁ ସୁଖୋଇ-୩୦ ଯୁଦ୍ଧ ବିମାନ ‘ବ୍ରହ୍ମୋସ୍‌’କୁ ନେଇ ଆକାଶପଥରେ ନିର୍ଦ୍ଧାରିତ ଟାର୍ଗେଟ୍‌କୁ ହିଟ୍‌ କରିଥିଲା। ‘ବ୍ରହ୍ମୋସ୍‌’ର ପରୀକ୍ଷଣ ସମୟରେ ପ୍ରତିରକ୍ଷା ବିଭାଗର ପରିଷ୍ଠ ପଦାଧିକାରୀ ଓ ଆଇଟିଆର୍‌ର ବୈଜ୍ଞାନିକମାନେ ଉପସ୍ଥିତ ରହି ଏହାର ଗତିବିଧିକୁ ନିରୀକ୍ଷଣ କରିଥିଲେ।

ସମ୍ବନ୍ଧିତ ଖବର