‘ବ୍ରହ୍ମୋସ୍‌’ର ସଫଳ ପରୀକ୍ଷଣ

ବାଲେଶ୍ୱର/ଚାନ୍ଦିପୁର : ସୁପରସୋନିକ୍‌ କ୍ରୁଜ୍‌ ମିଜାଇଲ ‘ବ୍ରହ୍ମୋସ୍‌’ର ସଫଳ ପରୀକ୍ଷଣ ହୋଇଯାଇଛି। ଆଜି ଚାନ୍ଦିପୁରସ୍ଥିତ ଆଇଟିଆରର ୩ ନମ୍ବର ଲଞ୍ଚ୍‌ପ୍ୟାଡ୍‌ରୁ ପୂର୍ବାହ୍ନ ୧୦ଟା ୧୮ମିନିଟ୍‌ରେ ଏହି ମିଜାଇଲ ପରୀକ୍ଷଣ ହୋଇଥିଲା। ଋଷ ଓ ଭାରତର ମିଳିତ ସହଯୋଗରେ ନିର୍ମିତ ଏହି ମିଜାଇଲକୁ ଯେକୌଣସି ପରିସ୍ଥିତିରେ ସ୍ଥଳଭାଗ, ଯୁଦ୍ଧ ଜାହାଜ ଓ ରେଳଲଞ୍ଚର୍‌ରୁ ଉତ୍‌କ୍ଷେପଣ କରାଯାଇପାରିବ। ଶବ୍ଦର ବେଗଠାରୁ ୩ ଗୁଣ ଅଧିକ ବେଗରେ ଗତି କରିପାରୁଥିବା ଏହି ମିଜାଇଲ୍‌ରେ ଦୁଇଟି ଷ୍ଟେଜ୍‌ବିଶିଷ୍ଟ ଇଂଜିନ୍‌ ବ୍ୟବହାର କରାଯାଇଥାଏ। ୩ ହଜାର କିଲୋଗ୍ରାମ୍‌ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କ୍ଷମତା ରଖିଥିବା ଏହି ମିଜାଇଲ ସ୍ଥଳଭାଗରୁ ୪୫୦ରୁ ୬୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରୁଥିବା ବେଳେ ବାୟୁସେନାର ଯୁଦ୍ଧ ବିମାନରୁ ୪ ଶହ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟ୍‌ ହିଟ୍‌ କରିପାରିବାର କ୍ଷମତା ରଖିଛି। ଘଣ୍ଟାପ୍ରତି ୩ ହଜାର ୪ ଶହ କିଲୋମିଟରରୁ ୩ ହଜାର ୭ଶହ କିଲୋମିଟର ବେଗରେ ଗତି କରିପାରୁଥିବା ସୁପରସୋନିକ କ୍ରୁଜ୍‌ ମିଜାଇଲ ‘ବ୍ରହ୍ମୋସ୍‌’କୁ ୨୦୦୬ ମସିହାରୁ ପ୍ରତିରକ୍ଷା ବିଭାଗରେ ସାମିଲ କରାଯାଇଛି। ଏହାର ଲମ୍ବ ୮.୪ ମିଟର ହୋଇଥିବା ବେଳେ ମୋଟେଇ ୦.୬ ମିଟର ଓ ଓଜନ ୩ ହଜାର କିଲୋଗ୍ରାମ୍‌।

ସମ୍ବନ୍ଧିତ ଖବର