କଟକ : କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ସମ୍ବଲପୁର ଷ୍ଟେସନ ପଡ଼ାର ଛୋଟୁ ଦୀପ ଘରକୁ ଫେରିଯିବ। ତାଙ୍କ ମସ୍ତିଷ୍କ ଠିକରେ କାମ କରୁନାହିଁ। ଅପରେସନ୍ ଦ୍ବାରା ଭଲ ହୋଇପାରିବ ନାହିଁ। ଡାକ୍ତର ଏବେ ପରିବାର ଲୋକଙ୍କୁ ଏମିତି କଥା ଶୁଣାଇ ଦେଇଛନ୍ତି। ଛୋଟୁକୁ କୁକର କାମୁଡ଼ିବା ପରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲା। ଶିଶୁଭବନରେ ଭର୍ତ୍ତି ପରେ ତାକୁ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏଠି ମଧ୍ୟ ତାକୁ ସୁସ୍ଥ କରିବା ଡାକ୍ତରଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଏଭଳି ସ୍ଥିତିରେ ପରିବାର ଲୋକେ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଛନ୍ତି।

Advertisment

ସମ୍ବଲପୁର ଷ୍ଟେସନ ପଡ଼ାର ରମେଶ ଦୀପ ଏବଂ ସୀମା ଦୀପଙ୍କ ପୁଅ ଛୋଟୁକୁ ଗଲା ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ଏକ ବୁଲା କୁକୁର କାମୁଡ଼ି ଦୋଇଥିଲା। ଗୁରୁତର ଅବସ୍ଥାରେ ତାକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇ ଥିଲା। ସେତେବେଳକୁ ସେ କୋମାକୁ ଚାଲି ଯାଇଥିଲା। ତା ଗଳାରେ ଅସ୍ତ୍ରୋପଚାର କରାଯିବା ପରେ ୨ ମାସ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯାଇଥିଲା। ପ୍ରତିଦିନ ଆଇସିୟୁ ପାଇଁ ରମେଶଙ୍କୁ ୮୦୦ରୁ ୧୦୦୦ ଟଙ୍କା ଦେବାକୁ ପଡ଼ୁଥିବାରୁ କଟକ ଡାକ୍ତରଙ୍କ ପରାମର୍ଶରେ ପୁଅକୁ ବୁର୍ଲା ଆଣିଥିଲେ। ବୁର୍ଲା ଶିଶୁ ବିଭାଗରେ ଡ.ସୁବାସ ମାଝିଙ୍କ ତତ୍ବାବଧାନରେ ଚିକିତ୍ସା ହେଲା। ୪ ମାସ କୋମାରେ ରହିବା ପରେ ଛୋଟୁଙ୍କ ଚେତା ଫେରିଥିଲା। କିନ୍ତୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିଲେ। ତାକୁ ପୁଣି ପରିବାର ଲୋକେ ଗଲା ୧୮ ତାରିଖରେ ଶିଶୁଭବନରେ ଭର୍ତ୍ତି କରିଥିଲେ। ଚିକିତ୍ସା ବ୍ୟବସ୍ଥା ନଥିବାର ଡାକ୍ତର ବଡ଼ ମେଡିକାଲକୁ ସେଦିନ ପଠାଇଥିଲେ। ଏବେ ସେ ସେଣ୍ଟ୍ରାଲ୍ ଆଇସିୟୁର ୪ ନମ୍ବର ବେଡରେ ଚିକିତ୍ସିତ ହେଉଛି। ମସ୍ତିଷ୍କ ଠିକରେ କାର୍ଯ୍ୟ କରୁନଥିବାରୁ ସମ୍ପୂର୍ଣ୍ଣ ସୁସ୍ଥ୍ୟ ହେବା କଷ୍ଟକର ବୋଲି ଡାକ୍ତର କହିଛନ୍ତି। ଗଳା ଅପରେସନ କରାଯାଇ ପାଇପ ଯୋଗେ ଶ୍ବାସ ଗ୍ରହଣ କରୁଛି। ଘରକୁ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିବା ବେଳେ ପରିବାର ଲୋକେ କୌଣସି ନିଷ୍ପତ୍ତି ନେଇ ପାରୁନାହାନ୍ତି। ଭୁବନେଶ୍ବର ଏଏମ୍ଏସରେ ଚିକିତ୍ସା ପାଇଁ ରମେଶ ଯାଇଥିଲେ। କିନ୍ତୁ ସେଠାରେ ବି ଡାକ୍ତର ମନା କରିଦେଇଥିବା ରମେଶ ସୂଚନା ଦେଇଛନ୍ତି।