୩ କୃତୀ ପ୍ରତିଯୋଗୀଙ୍କୁ ବ୍ରଜବନ୍ଧୁ ମେଧାବୃତ୍ତି ପୁରସ୍କାର : ‘ବଡ଼ ଲୋକଙ୍କ ଆତ୍ମଜୀବନୀ ଆତ୍ମବିଶ୍ୱାସ ବଢ଼ାଇବ’

ଭୁବନେଶ୍ୱର : ଦାରିଦ୍ର୍ୟ କେବେ ବି ଶିକ୍ଷାକୁ ଦୁର୍ବଳ କରିପାରେ ନାହିଁ। ଗୋଟେ ଓଳି ରୋଷେଇ ହେଉଥିବା ଘରେ ଏବଂ ଗୋଟେ ଧୋତି ଓ ଗାମୁଛାରେ ଜୀବନ ବିତାଉଥିବା ଗୋଦାବରୀଶ ମିଶ୍ର ଯଦି ପଣ୍ଡିତ ‌ଗୋଦାବରୀଶ ହୋଇ ଚିରନମସ୍ୟ ହୋଇପାରିଲେ ତେବେ ଦାରିଦ୍ରୢକୁ ଆମେ ଡରିବା କାହିଁକି? ‘ସମ୍ବାଦ ଶିକ୍ଷାନୁଷ୍ଠାନ ସମୂହ’ ପକ୍ଷରୁ କେଏମ୍‌ବିବି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସହଯୋଗରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବ୍ରଜବନ୍ଧୁ ମେଧାବୃତ୍ତି ପରୀକ୍ଷାର କୃତୀ ପ୍ରତିଯୋଗୀଙ୍କୁ ଏହି ଆହ୍ବାନ ଦେଇଛନ୍ତି ‘ସମ୍ବାଦ ଗ୍ରୁପ୍‌’ର ଅଧ୍ୟକ୍ଷ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଏହା ବ୍ୟତୀତ ବଡ଼ବଡ଼ ଲୋକଙ୍କ ଆତ୍ମଜୀବନୀ ବେଶ୍‌ ଶିକ୍ଷଣୀୟ ବୋଲି ଦର୍ଶାଇ ଏଭଳି ଆତ୍ମଜୀବନୀ ଅନେକ କିଛି ଶିକ୍ଷା ଦେବା ସହ ଆତ୍ମବିଶ୍ବାସ ବଢ଼ାଇବ ବୋଲି କହିଛନ୍ତି।

ମେଧାବୃତ୍ତି ପରୀକ୍ଷାର ଉଦ୍ଦେଶ୍ୟ ସମ୍ବନ୍ଧରେ ମତ ରଖି ଶ୍ରୀ ପଟ୍ଟନାୟକ କହିଲେ, ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଧୀରେଧୀରେ ସିବିଏସ୍‌ଇ ଛାତ୍ରଛାତ୍ରୀଙ୍କ ସହ ପାଠରେ ପ୍ରତିଯୋଗିତା କରି ସେତିକି ସଫଳତା ପାଉ ନ ଥିବାରୁ ପରୀକ୍ଷା ପୂର୍ବରୁ ସେମାନଙ୍କୁ ପ୍ରସ୍ତୁତ କରିବା ଏହାର ମୂଳ ଲକ୍ଷ୍ୟ। ଖେଳରେ ଶେଷ ମ୍ୟାଚ୍‌ ପୂର୍ବରୁ ଏହା ଅଭ୍ୟାସ ମ୍ୟାଚ୍‌ ସଦୃଶ। ୧୦ମ ପରୀକ୍ଷାରେ ଅବତୀର୍ଣ୍ଣ ହେବା ଆଗରୁ ଏହି ପରୀକ୍ଷା ସେମାନଙ୍କୁ ନିଶ୍ଚୟ ସାହସ ଦେଇଥିବ। ସେହିପରି ମଙ୍ଗଳବାର ପ୍ରକାଶ ପାଉଥିବା ‘ଶିକ୍ଷା ସମ୍ବାଦ’ର ସାପ୍ତାହିକ ସଂଖ୍ୟା ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅଭ୍ୟାସ ପାଇଁ ସହାୟକ ହେବ ବୋଲି ସେ କହିଥିଲେ।

‘ସମ୍ବାଦ’ କାର୍ଯ୍ୟାଳୟରେ ଅନୁଷ୍ଠିତ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଯଥା‌କ୍ରମେ ପ୍ରଥମରୁ ତୃତୀୟ ସ୍ଥାନ ଅଧିକାର କରିଥିବା ନୟାଗଡ଼ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଭୱନ କୁମାର ସାହୁ, ଇଟାମାଟିସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସ୍ମୃତିରେଖା ଆଚାର୍ଯ୍ୟ ଏବଂ ଜଗତସିଂହପୁର ଅରଖିଆସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର କ୍ଷୀରାବ୍ଧି ତନୟା ଶତପଥୀଙ୍କୁ ଅର୍ଥରାଶି ସହ ଟ୍ରଫି ଓ ପ୍ରମାଣପତ୍ର ଦେଇ ଶ୍ରୀ ପଟ୍ଟନାୟକ ପୁରସ୍କୃତ କରିଥିଲେ।

ଗତ ୨୨ ତାରିଖରେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ୧୬ଟି କେନ୍ଦ୍ରରେ ହୋଇଥିବା ଏହି ପ୍ରତିଯୋଗିତାରେ ୧୧୭୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ପ୍ରତ୍ୟେକ କେନ୍ଦ୍ରରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ ୩ ଜଣଙ୍କୁ ଆଜି ରାଜ୍ୟସ୍ତରୀୟ ମେଧାବୃତ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ କେଏମ୍‌ବିବି ଶିକ୍ଷାନୁଷ୍ଠାନ ସମୂହର ପ୍ରଶାସନିକ ନିର୍ଦେଶକ ପ୍ରଫେସର ସରୋଜ କୁମାର ପଣ୍ଡା, କେଏମ୍‌ବିବି କନିଷ୍ଠ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଜୁନି ଚରଣ ସୂତାର, ଶିକ୍ଷାବିତ୍‌ ମନୋରଂଜନ ଦାଶଙ୍କ ସମେତ କୃତୀ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। କେ‌ଏମ୍‌ବିବିର ଛାତ୍ର କଲ୍ୟାଣ ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ଓ ପ୍ରଦୀପ କୁମାର ଭୋଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର