ବ୍ରଜମୋହନ ପଟ୍ଟନାୟକ ସ୍କୁଲ ହେବ ମଡେଲ୍‌ ସ୍କୁଲ୍‌, ଅଣ୍ଟା ଭିଡ଼ିଛନ୍ତି ପୂର୍ବତନ ଛାତ୍ର ପ୍ରମୋଦ ମିଶ୍ର

ସମ୍ବଲପୁର : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ରଙ୍କ ସ୍କୁଲ ବ୍ରଜମୋହନ ପଟନାୟକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହେବ ମଡେଲ ବିଦ୍ୟାଳୟ। ୧ କୋଟି ଟଙ୍କା ବିନିମୟରେ ଏଲ ସାଇଜରେ ଏକ ନୂଆ ରୂପରେଖରେ ଏହାର ନିର୍ମାଣ ହେବ। ଏ ନେଇ ଅର୍ଥ ଆସିଛି, ୨ରୁ୩ ଦିନ ମଧ୍ୟରେ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ସମ୍ବଲପୁର ଡିଇଓ ସୁବୋଧ ଦାଶ। ସ୍ମୃତିରେ ରହେ ପ୍ରାଥମିକ ବିଦ୍ୟାଳୟ କିନ୍ତୁ ଦୁଃସ୍ଥ, ବିପର୍ଯ୍ୟୟ ସ୍କୁଲ ବିକାଶ ପାଇଁ କାହା ପାଖରେ ସମୟ ନଥାଏ। କ୍ଷମତାର ଶିଖରରେ ପହଞ୍ଚି ନିଜ ସ୍କୁଲ ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି ବ୍ରଜମୋହନ ପଟନାୟକ ସ୍କୁଲର ଯୋଗ୍ୟ ଛାତ୍ର ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ ମିଶ୍ର। ୧୯୧୦ ମସିହାରେ ପ୍ରତିଷ୍ଠିତ ଏହି ସ୍କୁଲ କୋଠା ପୁରୁଣା ହେବା ସହିତ ଏହା ପ୍ରାୟ ବିପର୍ଯ୍ୟୟ ସ୍ଥିତିକୁ ଚାଲି ଆସିଛି। ତେଣୁ ଏହାର ଆମୁଳଚୂଳ ପରିବର୍ତ୍ତନ ସହିତ ଏହାକୁ ଷ୍ଟଡି ସେଣ୍ଟର କରାଯାଇପାରିବ ସେ ନେଇ ଲକ୍ଷ୍ୟ ରହିଛି। ପ୍ରମୋଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପୂର୍ବତନ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ କାର୍ଯ୍ୟକାଳ ସମୟରେ ୨୦୧୮ ମସିହା ଅକ୍ଟୋବର ମାସରେ ଏ ନେଇ ପ୍ରସ୍ତାବ ଦିଆଯାଇଥିଲା। ଏଥିପାଇଁ ଡିଜାଇନ ମଧ୍ୟ ପ୍ରସ୍ତୁତ ହୋଇସାରିଛି। ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି। ବର୍ତ୍ତମାନ ବ୍ରଜମୋହନ ପଟନାୟକ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ଚାଲୁଛି। ଏହି ବିଦ୍ୟାର୍ଥୀଙ୍କୁ ନିକଟସ୍ଥ ଗୁରୁପଡ଼ା ସ୍କୁଲକୁ ସ୍ଥାନାନ୍ତରଣ ପାଇଁ ଡିଇଓ ନିର୍ଦେଶ ଦେଇଛନ୍ତି। ଦିନେ-ଦୁଇ ଦିନ ମଧ୍ୟରେ ଏହା ସ୍ଥାନାନ୍ତରିତ ହୋଇଗଲେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି କହିଛନ୍ତି ପୂର୍ତ୍ତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ। ବର୍ଷେ ମଧ୍ୟରେ ଏହାକୁ ସମାପ୍ତ କରାଯିବା ପାଇଁ ଲକ୍ଷ୍ୟ ରହିଛି। ଏନ୍‌ଟିପିସି ଏହି ଅର୍ଥ ବହନ କରୁଥିବା ଜଣାପଡ଼ିଛି। ଏଥିପୂର୍ବରୁ ପ୍ରମୋଦଙ୍କ ପ୍ରଚେଷ୍ଟାରେ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲ ମଧ୍ୟ ନୂଆ କଳେବର ପାଇଥିଲା।

ସମ୍ବନ୍ଧିତ ଖବର