ବ୍ରଜରାଜନଗର ଉପନିର୍ବାଚନ: କଂଗ୍ରେସ ଓ କମ୍ୟୁନିଷ୍ଟ ଗଡ଼ରେ ବିଜେଡିର ରେକର୍ଡ, ଅମାନତ ହରାଇଲା ବିଜେପି

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟରେ ବିରୋଧୀ ଧରାଶାୟୀ ହୋଇଛନ୍ତି। କଂଗ୍ରେସ ଓ କମ୍ୟୁନିଷ୍ଟ ଗଡ଼ କହାଯାଉଥିବା ଏହି ନିର୍ବାଚନ ମଣ୍ଡଳୀର ସମସ୍ତ ପୂର୍ବ ରେକର୍ଡକୁ ବିଜେଡି ଭାଙ୍ଗି ଦେଇଛି। ଏପରିକି ଏତେ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହେବା ଦଳୀୟ ନେତାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ତେବେ,  ପ୍ରଥମେ ମନ୍ତ୍ରୀ ନବ ଦାସ ବିଜେଡି  ୫୦ ହଜାରରୁ ଅଧିକ ଭୋଟରେ ବିଜୟୀ ହେବ ବୋଲି ଭବିଷ୍ୟବାଣୀ ଶୁଣାଇଥିଲେ। ପରବର୍ତ୍ତୀ ସମୟରେ  ୩୦ ରୁ ୨୫ ହଜାର ଭୋଟ୍‌ରେ ବିଜୟୀ ହେବ ବୋଲି କହିଥିଲେ। ସବୁ ଗଣିତକୁ ଫେଲ କରି ବିଜେଡି ୬୬ ହଜାର ୧୨୨ ଭୋଟରେ ବିଜୟୀ ହୋଇଛି। ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ କମ୍ୟୁନିଷ୍ଟ ପାର୍ଟିର ବିଧାୟକ ପ୍ରସନ୍ନ ପଣ୍ଡା ୬ ଥର ବିଜୟୀ ହୋଇଥିବା କଂଗ୍ରେସ ଦଳ ୭ ଥର ନିର୍ବାଚିତ ହୋଇଥିଲା। ବିଜେପି ଥରେ ବିଜୟୀ ହୋଇଥିବା ବେଳେ ଗତ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି ପ୍ରଥମ ଥର ପାଇଁ ଏଠାରୁ  ବିଜୟୀ ହୋଇଥିଲେ। ଏହି ନିର୍ବାଚନ ମଣ୍ଡଳୀର ଇତିହାସରେ ଏତେ ଅଧିକ ଭୋଟ ବ୍ୟବଧାନରେ କୌଣସି ପ୍ରାର୍ଥୀ କେବେ ବିଜୟୀ ହୋଇ ନଥିଲେ।

୧୯୬୧ ମସିହାରେ କମ୍ୟୁନିଷ୍ଟ ପ୍ରାର୍ଥୀ ପ୍ରସନ୍ନ କୁମାର ପଣ୍ଡା କଂଗ୍ରେସ ପ୍ରାର୍ଥୀ ବିଜୟ କୁମାର ପାଣିଙ୍କୁ ୩୭୧୬ ଭୋଟରେ ପରାସ୍ତ କରିଥିଲେ। ୧୯୬୭ ମସିହା ନିର୍ବାଚନରେ କମ୍ୟୁନିଷ୍ଟ ପ୍ରାର୍ଥୀ ପ୍ରସନ୍ନ ପଣ୍ଡା କଂଗ୍ରେସ ପ୍ରାର୍ଥୀ ଉପେନ୍ଦ୍ର ଦୀକ୍ଷିତଙ୍କୁ ୧୧୮୬ ଭୋଟରେ,  ୧୯୭୧ ନିର୍ବାଚନରେ କଂଗ୍ରେସ (ଜେ)ପ୍ରାର୍ଥୀ ଉପେନ୍ଦ୍ର ଦୀକ୍ଷିତ କମ୍ୟୁନିଷ୍ଟ ପ୍ରାର୍ଥୀ ପ୍ରସନ୍ନ ପଣ୍ଡାଙ୍କୁ ୨୧୩୬ ଭୋଟରେ,  ୧୯୭୪ ନିର୍ବାଚନରେ ସିପିଆଇ ପ୍ରାର୍ଥୀ ଭାବରେ ପ୍ରସନ୍ନ ପଣ୍ଡା ଉତ୍କଳ କଂଗ୍ରେସ ଉପେନ୍ଦ୍ର ଦୀକ୍ଷିତଙ୍କୁ  ୧୮, ୩୧୯ ଭୋଟରେ ପରାସ୍ତ କରିଥିଲେ।

୧୯୭୭ ନିର୍ବାଚନରେ ସାରା ଦେଶରେ ଜନତା ହାୱା ବହୁଥିବା ବେଳେ ଏଠାରେ କଂଗ୍ରେସ ପ୍ରାର୍ଥୀ ଉପେନ୍ଦ୍ର ଦୀକ୍ଷିତ ସ୍ବାଧୀନ ପ୍ରାର୍ଥୀ ଚିରଞ୍ଜିଲାଲ ଅଗ୍ରୱାଲଙ୍କୁ ୩୨୧୬ ଭୋଟରେ ପରାସ୍ତ କରିଥିଲେ। ୧୯୮୦ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଉପେନ୍ଦ୍ର ଦୀକ୍ଷିତ ସିପିଆଇ ପ୍ରାର୍ଥୀ ପ୍ରସନ୍ନ ପଣ୍ଡାଙ୍କୁ ୮୫୩୮ ଭୋଟରେ, ୧୯୮୫ ମସିହା ନିର୍ବାଚନରେ ସିପିଆଇ ପ୍ରାର୍ଥୀ ପ୍ରସନ୍ନ ପଣ୍ଡା କଂଗ୍ରେସ ପ୍ରାର୍ଥୀ ଭବାନୀ ଶଙ୍କର ଦୀକ୍ଷିତଙ୍କୁ ୨୪୪୮ ଭୋଟରେ, ୧୯୯୦ ନିର୍ବାଚନରେ ସିପିଆଇ ପ୍ରାର୍ଥୀ ପ୍ରସନ୍ନ ପଣ୍ଡା କଂଗ୍ରେସ ପ୍ରାର୍ଥୀ ସନତ କୁମାର ପାଟ୍ଟଯୋଷୀଙ୍କୁ ୨୫୦୯୫ ଭୋଟରେ, ୧୯୯୫ ନିର୍ବାଚନରେ ସିପିଆଇ ପ୍ରାର୍ଥୀ ପ୍ରସନ୍ନ ପଣ୍ଡା କଂଗ୍ରେସ ପ୍ରାର୍ଥୀ ଭାବାନୀ ଶଙ୍କର ଦୀକ୍ଷିତଙ୍କୁ ୩୦୫୭ ଭୋଟରେ ପରାସ୍ତ କରିଥିଲେ। ପ୍ରସନ୍ନ ପଣ୍ଡାଙ୍କ ବିୟୋଗ ପରେ ୧୯୯୮ ମସିହାରେ ଅନୁଷ୍ଠିତ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ କେଶବ ସାହୁ ବିଜେଡି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ୫୨୨ ଭୋଟରେ ପରାସ୍ତ କରିଥିଲେ। ସେଇଭଳି ୨୦୦୦, ୨୦୦୪ ଓ ୨୦୦୯ ନିର୍ବାଚନରେ ଏଠାରୁ କଂଗ୍ରେସ ପ୍ରାର୍ଥୀ ଅନୁପ କୁମାର ସାଏ ତିନିଥର ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀଙ୍କୁ ଯଥାକ୍ରମରେ ୧୦୦୨୨, ୧୧୪୬ ଓ ୧୭୪୨ ଭୋଟରେ ପରାସ୍ତ କରିଥିଲେ। ୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡା ବିଜେଡି ପ୍ରାର୍ଥୀ ଅନୁପ ସାଏକଙ୍କୁ ୬୭୯୦ ଭୋଟରେ ପରାସ୍ତ କରିଥିଲେ। ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ କି‌ଶୋର ମହାନ୍ତି ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କୁ ୧୧, ୯୯୯ ଭୋଟରେ ପରାସ୍ତ କରିଥିଲେ। ଏହି ନିର୍ବାଚନ ମଣ୍ଡଳୀରେ ୧୯୬୧ ମସିହାରୁ ଅନୁଷ୍ଠିତ ହୋଇଥିବା କୌଣସି ନିର୍ବାଚନରେ ମଧ୍ୟ ଏଭଳି ଭୋଟ ବ୍ୟବଧାନ ରହି ନଥିବା ବେଳେ ଏହି ଉପନିର୍ବାଚନ ସମସ୍ତ ରେକର୍ଡକୁ ଟପି ଯାଇଛି।

ସମ୍ବନ୍ଧିତ ଖବର