ବ୍ରଜରାଜନଗର: ଲମ୍ବୁଛି ଆଶାୟୀଙ୍କ ତାଲିକା

ଭୁବନେଶ୍ବର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ଶାସକ ବିଜେଡି ଆଜି ପର୍ଯ୍ୟନ୍ତ ଖାତା ଖୋଲିପାରି ନାହିଁ। ପୂର୍ବରୁ ସିପିଆଇ ଓ କଂଗ୍ରେସ ଏହି ନିର୍ବାଚନମଣ୍ଡଳୀକୁ କବ୍‌ଜା କରି ରଖିଥିବା ବେଳେ ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ବିଜୟୀ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ତେବେ ଚଳିତ ନିର୍ବାଚନରେ ସବୁ ଦଳରେ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ବଢ଼ିବାରେ ଲାଗିଛି। ଅପରପକ୍ଷରେ ଯଦି କଂଗ୍ରେସ ଓ ସିପିଆଇ ମଧ୍ୟରେ ଆସନ ବୁଝାମଣା ହୁଏ ତେବେ କଂଗ୍ରେସ ଏହାକୁ ସିପିଆଇ ପାଇଁ ଛାଡ଼ି ଦେଇପାରେ ବୋଲି ଚର୍ଚା ହେଉଛି। ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ରା‌ଧାରାଣୀ ପଣ୍ଡା ୫୦ହଜାର ୭୩୬ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାଥୀ ଅନୁପ ସାଏ ୪୩ହଜାର ୯୪୬ଖଣ୍ଡ ଭୋଟ୍ ପାଇଥିଲେ। କଂଗ୍ରେସର କିଶୋର ଚନ୍ଦ୍ର ପଟେଲ ୩୮ହଜାର ୧୭୫ ଓ ସିପିଆଇର ଗଜାନନ ସାହୁ ୬ହଜାରର ଅଧିକ ଭୋଟ୍ ପାଇଥିଲେ। ବ୍ରଜରାଜନର ପୌର ପରିଷଦ, ବେଲପାହାଡ଼ ପୌର ପରିଷଦ, ଲଖନୁପର ବ୍ଲକ୍ ଓ ଝାରସୁଗୁଡ଼ା ବ୍ଲକର ୫ଟି ପଞ୍ଚାୟତକୁ ନେଇ ବ୍ରଜରାଜନଗର ନିର୍ବାଚନମଣ୍ଡଳୀ ଗଠିତ। ତେବେ ଶିଳ୍ପ କାରଖାନା ବନ୍ଦ ହେବା ସାଙ୍ଗକୁ ଶ୍ରମିକ ସଂଖ୍ୟାରେ ହ୍ରାସ ଓ ଟ୍ରେଡ୍ ୟୁନିୟନ ରାଜନୀତି ବଦଳି ଯାଇଛି। ତେବେ ହୀରାକୁଦ ବିସ୍ଥାପିତଙ୍କ ଘରଡ଼ିହ ଜମି ପଟ୍ଟା, ଡିସି ପଟ୍ଟା, ରାଜସ୍ବ ଗ୍ରାମ ଘୋଷଣା, ଗମନାଗମନ, ସ୍ବାସ୍ଥ୍ୟ, ଶିକ୍ଷା ଓ ଜଳସେଚନ ଭଳି ସମସ୍ୟା ଏଥର ନିର୍ବାଚନର ପ୍ରମୁଖ ପ୍ରସଙ୍ଗ ପାଲଟିବ।

ଅପରପକ୍ଷରେ ଏଥର ନିର୍ବାଚନରେ ପ୍ରତିଦଳରୁ ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି। ଗତଥର ବିଜେପି ଟିକେଟ୍‌ରୁ ବିଜୟୀ ହୋଇଥିବା ରାଧାରାଣୀ ପଣ୍ଡା ଏଥର ମଧ୍ୟ ବିଜେପିରୁ ଲଢ଼ିବା ଏକପ୍ରକାର ନିଶ୍ଚିତ। ଏହାସହ ବିଜେପିର ଏକାଧିକ ବରିଷ୍ଠ ନେତାଙ୍କ ନାଁ ମଧ୍ୟ ଚର୍ଚା ହେଉଛି। ବିଜେଡିରୁ ପୂର୍ବତନ ବିଧାୟକ ଅନୁପ ସାଏ, ଅନ୍ନପୂର୍ଣ୍ଣା ପଟେଲ, ପୂର୍ବତନ ନଗରପାଳ ନନ୍ଦକିଶୋର ଅଗ୍ରୱାଲ ପ୍ରମୁଖଙ୍କ ନାଁ ଚର୍ଚାରେ ରହିଛି। ଅନୁପ ସାଏଙ୍କ ବିରୋଧରେ କିଛି ମାସ ପୂର୍ବରୁ କର୍ମୀମାନେ ଦଳ ସଭାପତିଙ୍କ ନିକଟରେ ଫେରାଦ ଦେଇଥିଲେ। ପୁରୁଣା କର୍ମୀଙ୍କୁ ଅଣଦେଖା କରି ସେ ମନମାନୀ ଚଳାଇଥିବା ଅଭିଯୋଗ ହୋଇଥିଲା। ତେବେ ପୂର୍ବରୁ ମହିଳା କଂଗ୍ରେସର ସାଧାରଣ ସଂପାଦିକା ଥିବା ଅନ୍ନପୂର୍ଣ୍ଣା ୨୦୧୫ରେ ବିଜେଡିରେ ସାମିଲ ହେବା ପରେ ସେ ମଧ୍ୟ ବିଜେଡି ଟିକେଟ୍ ଦୌଡ଼ରେ ରହିଛନ୍ତି। ତାଙ୍କ ସ୍ବାମୀ ପ୍ରଶାନ୍ତ ପଟେଲ ପୂର୍ବରୁ ଉପାଧ୍ୟକ୍ଷ ଓ ଅଧ୍ୟକ୍ଷ ରହିଥିଲେ। ବରିଷ୍ଠ ବିଜେଡି ନେତା କିଶୋର ମହାନ୍ତି ସ୍ୱାମୀ-ସ୍ତ୍ରୀଙ୍କୁ ନେଇ ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ଦଳରେ ସାମିଲ କରାଇଥିଲେ। ସିପିଆଇରୁ ଶ୍ରମିକ ନେତା ରମେଶ ତ୍ରିପାଠୀ, ବାସୁଦେବ ଭୋଇ ଓ ଗଜାନନ ସାହୁ ଚର୍ଚାରେ ରହିଛନ୍ତି। କଂଗ୍ରେସ ପକ୍ଷରୁ ପୂର୍ବତନ ମନ୍ତ୍ରୀ କିଶୋର ପଟେଲ, ଆଦିବାସୀ ନେତା ମହେନ୍ଦ୍ର ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସନତ ସିଂହ ମଧ୍ୟ ଟିକେଟ୍ ‌ଆଶୟୀ ରହିଛନ୍ତି। ତେବେ ଯଦି କଂଗ୍ରେସ ଓ ସିପିଆଇ ମଧ୍ୟରେ ମେଣ୍ଟ ହୁଏ ତେବେ ନିର୍ବାଚନମଣ୍ଡଳୀରେ ରାଜନୈତିକ ସମୀକରଣ ଆହୁରି ବଦଳିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର