ବ୍ରଜରାଜନଗର ଉପନିର୍ବାଚନ: ଗଡ଼ ଜିତିବା ପାଇଁ ନେତାଙ୍କ ଜୋରଦାର୍‌ ଉଦ୍ୟମ୍

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ଯେତେିକି ପାଖଇେ ଆସୁଛି,‌ ନେତାମାନେ ସେତିକି ବ୍ୟସ୍ତ ଦେଖାଯାଉଛନ୍ତି। ନିର୍ବାଚନ ପ୍ରଚାର ଅବଧି ଆଉ ୨ ଦିନ ଥିବା ବେଳେ ଶେଷ ମୁହୂର୍ତ୍ତରେ ଜନସାଧାରଣ ତଥା ଭୋଟରଙ୍କ ନିକଟତର ହେବା ପାଇଁ ନେତାମାନେ ସୁଯୋଗକୁ ହାତ ଛଡ଼ା କରୁନାହାନ୍ତି। ଶାସକ ବିଜେଡି ଓ ବିରୋଧୀ ବିଜେପି ଏବଂ କଂଗ୍ରେସ ଦଳମାନେ ନିଜ ନିଜ ରଣନୀତିରେ ପ୍ରଚାର କରୁଛନ୍ତି।

ଟିଉସନ କଣ କରୁଛ
ଗୁରୁବାର ବେଲପାହାଡ଼ ଠାରେ ବିଜେଡିର ରୋଡ଼୍‌ ସୋ’ ଚାଲିଥିବା ବେଳେ ଜଣେ ଗଣମାଧ୍ୟମ ପ୍ରତିନିଧି ଅଳକା ମହାନ୍ତିଙ୍କ ମୁହଁ ପାଖରେ ବୁମ୍‌ ଲଗାଇ ପ୍ରଶ୍ନ ନପଚାରି ତାଙ୍କୁ ଉତ୍ତର କହି ଏଭଳି କୁହନ୍ତୁ ବୋଲି କହିଥିଲେ। ସୋସିଆଲ ମିଡିଆରେ ଲାଇଭ ହେଉଥିବାରୁ ଏହି କଥାବାର୍ତ୍ତା ସ୍ପଷ୍ଟ ଶୁଣା ଯାଉଥିଲା। ତେବେ ଅଳକା ଉକ୍ତ ସାମ୍ବାଦିକଙ୍କ ତୁରନ୍ତ କହିଥିଲେ, ପ୍ରଶ୍ନ ପଚାର ଟିଉସନ କଣ ପାଇଁ କରୁଛ?

ବିଜେଡି ପ୍ରଚାର କରୁଥିବା ମିଡିଆ ହିନସ୍ତା
ବିଜେଡି ପ୍ରାୟୋଜିତ ଏକ ସୋସିଆଲ ମିଡିଆ ଦଳ ଗୁରୁବାର ବ୍ରଜରାଜନଗରରେ ପହଞ୍ଚି ପ୍ରଥମେ କଂଗ୍ରେସ ନେତାମାନଙ୍କୁ ଅବାନ୍ତର ପ୍ରଶ୍ନ ପଚାରିବା ଆରମ୍ଭ କରିଥିଲେ। କଂଗ୍ରେସ ନେତାମାନେ ମଧ୍ୟ ତାଙ୍କ ପ୍ରଶ୍ନର ରୋକ୍‌ଠୋକ୍‌ ଉତ୍ତର ଦେଇଥିଲେ। ତେବେ ଏକ ଅବାନ୍ତର ପ୍ରଶ୍ନର ଉତ୍ତର ଦେବାକୁ ଯାଇ କଂଗ୍ରେସ ନେତାଙ୍କ କଥାରେ ସଂପୃକ୍ତ ସୋସିଆଲ ମିଡିଆ ପ୍ରତିନିଧି ଅପ୍ରସ୍ତୁତ ହୋଇ ପଡ଼ିଥିଲେ।

ପିଙ୍କି ପ୍ରଧାନଙ୍କ କରିସ୍ମା
ବିଜେପି ଦଳ ପାଇଁ ପ୍ରଚାର କରୁଥିବା ଅଭିନେତ୍ରୀ ପିଙ୍କି ପ୍ରଧାନ ଆଜି ବ୍ରଜରାଜନଗରରେ ତାଙ୍କ କରିସ୍ମା ଦେଖାଇଛନ୍ତି। ମହିଳାମାନଙ୍କୁ ସାଙ୍ଗରେ ଧରି ପିଙ୍କି ବିଜେପି ଅଫିସ ଉଦ୍‌ଘାଟନ କରିଥିବା ବେଳେ ବିଜେଡିକୁ କଟୁ ସମାଲୋଚନା କରିଥିଲେ। ଖରାରେ ବହୁ ସମୟ ତାଙ୍କୁ ଲୋକ‌େ ଶୁଣୁଥିବାରୁ ଏହା ପିଙ୍କିଙ୍କ କରିସ୍ମ‌ା ବୋଲି ଲୋକ‌େ କହୁଥିଲେ।

ରାଜାଙ୍କ ଭୋଟ ଭିକ୍ଷା
ବିଜେପି ଦଳ ପାଇଁ ଘର ଘର ବୁଲି ଭୋଟ ଭିକ୍ଷା କଲେ ପାଟଣା ମହାରାଜ କନକ ବର୍ଦ୍ଧନ ସିଂଦେଓ । ରାଜ୍ୟ ଅଛି ହେଲେ ଆଉ ରାଜା ନାହାନ୍ତି । ରାଜାମାନେ ରାଜନୀତି ଅବଶ୍ୟ କରୁଛନ୍ତି। ତେବେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଚାରରେ ଆସି ଏଠାରେ ଡେରା ପକାଇଥିବା ପାଟଣା ମହାରାଜ ‌ଶ୍ରୀ ସିଂଦେଓ ବାଦିମାଲ, ବଡ଼ଧରା, କୁସମେଲ, ନାଚନମୁରା, ପଞ୍ଚଗାଁ ଠାରେ ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ପାଇଁ ଭୋଟ ଭିକ୍ଷା କରୁଥିବା ଦେଖା ଯାଇଛି।

ସୁରଙ୍କ ସହ ଫଟୋ ନିଶା
କଂଗ୍ରେସ ଦଳ ନିର୍ବାଚନରେ କେତେ ଭୋଟ ପାଇବ ସେକଥା ଯାହା ହେଉନା କାହିଁକି ଏବେ କିନ୍ତୁ କଂଗ୍ରେସ ନେତା ସୁର ଭାଇନା ଏକ ସେଲିବ୍ରିଟି ପାଲଟି ଯାଇଛନ୍ତି। କଂଗ୍ରେସ ଦଳ ପାଇଁ ପ୍ରଚାରରେ ଆସିଥିବା ବେଳେ ତାଙ୍କୁ ଦେଖିବା ଓ ତାଙ୍କ ସହିତ ଫଟୋଟିଏ ଉଠାଇବା ପାଇଁ ଲୋକଙ୍କ ଭିଡ଼ ଜମୁଛି। ଝାରସୁଗୁଡ଼ା ଠାରୁ ବ୍ରଜରାଜନଗର ପର୍ଯ୍ୟନ୍ତ ସୁରଙ୍କ ପଛେ ତାଙ୍କ ପ୍ରଶଂସକ ଗୋଡ଼ାଉଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର