ଭୁବନେଶ୍ବର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପନିର୍ବାଚନ ଲାଗି ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ଏହି ସୂଚନା ଦେଇଛନ୍ତି। ଏଥି ସହିତ ଝାରସୁଗୁଡା ଜିଲ୍ଲା ପାଇଁ ଆଦର୍ଶ ଆଚରଣବିଧି ଲାଗୁ ହୋଇଯାଇଛି। ପ୍ରାର୍ଥୀମାନେ ଅପରାଧିକ ବିବରଣୀ ଅନ୍ତତଃ ତିନି ଥର ଖବରକାଗଜ/ଟିଭିରେ ପ୍ରକାଶ କରିବା ବାଧ୍ୟତାମୂଳକ।

Advertisment

ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଆଶାୟୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ। ମେ’ ୧୨ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ୧୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଚାହିଁଲେ ସେମାନଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ। ମଙ୍ଗଳବାର ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ବସିଥିଲା। ନିର୍ବାଚନ ଆଚରଣ ବିଧି ପାଳନ ଉପରେ ନଜର ରଖିବା ଲାଗି ଏକ ଟିମ୍ ଗଢାଯାଇଥିଲା। ଆଇନଶୃଙ୍ଖଳା ରକ୍ଷା ଲାଗି ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ହେଲେ ଏଥର ୨ଲକ୍ଷ ୧୪ ହଜାର ୨୬୧ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଗତ ନିର୍ବାଚନରେ ୨୫୭ଟି ବୁଥ୍ ଥିଲା। ତେବେ ଉପନିର୍ବାଚନରେ ଅଧିକ ୨୨ଟି ବୁଥ୍ ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ନିର୍ବାଚନ କମିସନ ଏହାକୁ ସ୍ବୀକୃତି ଦେଇଛନ୍ତି। ମେ’ ୩୧ରେ ଭୋଟ୍‌ ଗ୍ରହଣ ହେବ। ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି । ଡିସେମ୍ବର ୩୦ରେ ଶ୍ରୀ ମହାନ୍ତିଙ୍କ ଅକାଳ ମୃତ୍ୟୁ ହୋଇଥିବାବେଳେ ଜୁନ୍’ ୩୦ତାରିଖ ସୁଦ୍ଧା ୬ ମାସ ପୂରଣ ହେଉଛି।