ବ୍ରଜାରାଜନଗର ଉପନିର୍ବାଚନ: ତିନି ଦିନ ରହିଲା ନାମାଙ୍କନ ଦାଖଲ ସମୟ, ଚୁଡାନ୍ତ ହୋଇନି ଦଳୀୟ ପ୍ରାର୍ଥୀ

ବ୍ରଜାରାଜନଗର ଉପନିର୍ବାଚନ: ତିନି ଦିନ ରହିଲା ନାମାଙ୍କନ ଦାଖଲ ସମୟ, ଚୁଡାନ୍ତ ହୋଇନି ଦଳୀୟ ପ୍ରାର୍ଥୀ

ଝରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ପାଇଁ କୌଣସି ଦଳ ତାଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ। ନମାଙ୍କନ ଦାଖଲ ପାଇଁ ଆସନ୍ତା ୧୧ ତାରିଖ ଶେଷ ଦିବସ ଥିବାରୁ ୧୦ ତାରିଖ ସୁଦ୍ଧା ସବୁ ଦଳ ତାଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ବୋଲି ଜଣାପଡ଼ୁଛି। ଏହି ନିର୍ବାଚନରେ ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବାକୁ ଥିବାରୁ କିଏ କେଉଁ ଦଳର ପ୍ରାର୍ଥୀ ହେବ ତାକୁ ନେଇ ସର୍ବତ୍ର ଉତ୍କଣ୍ଠା ପ୍ରକାଶ ପାଇବା ସ୍ବାଭାବିକ। ଉପନିର୍ବାଚନ ଶାସକ ଦଳ ସପକ୍ଷରେ ଯାଉଥିବା ଦୃଷ୍ଟିରୁ ବିଜେଡି ପ୍ରାର୍ଥୀ କିଏ ହେବ ତାକୁ ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି।

ବିଜେଡି ପକ୍ଷରୁ କୌଣସି ନେତା ଏଥର କାହାରି ନା ନେଉନଥିବାରୁ ସସ୍ପେନ୍ସ ଅଧିକ ଘନିଭୂତ ହେବାରେ ଲାଗିଛି। ବିଗତ ଦିନରେ କୌଣସି ସଦସ୍ୟଙ୍କ ଦେହାନ୍ତ ହେଲେ ତୁରନ୍ତ ଦଳର ସୁପ୍ରିମୋ ତାଙ୍କ ପରିବାରର କୌଣସି ସଦସ୍ୟଙ୍କ ନାମ ପ୍ରସ୍ତାବ କରୁଥିଲେ ମାତ୍ର ବ୍ରଜରାଜନଗର କ୍ଷେତ୍ରରେ ଏପରି ହେଲା ନାହିଁ। ସ୍ବର୍ଗତ କିଶୋର ମହାନ୍ତିଙ୍କ ବିୟୋଗକୁ ୪ ମାସ ବିତିଯାଇଥିଲେ ସୁଦ୍ଧା ବିଜଡିର କୌଣସି ଟାଣୁଆ ନେତା ତାଙ୍କ ପରିବାର ସଦସ୍ୟଙ୍କ ନା ପକାଇ ନାହାନ୍ତି। ତେବେ କିଶୋରଙ୍କ ପତ୍ନୀ ନିଜ ଆଡ଼ୁ ସେ ଉପନିର୍ବାଚନରେ ଲଢ଼ିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ନିର୍ବାଚନ ପାଇଁ ନାମାଙ୍କନଙ୍କୁ ଆଉ ମାତ୍ର ୪ ଦିନ ଥିଲେ ମଧ୍ୟ ବିଜେଡିର ନିରବତା ସଂଦେହ ସୃଷ୍ଟି କରୁଛି। ଜଣେ ସଦସ୍ୟଙ୍କ ବିୟୋଗ ପରେ ତାଙ୍କ ପରିବାର ସଦସ୍ୟଙ୍କୁ ପ୍ରାର୍ଥୀ କରିବା ପରମ୍ପରା ଅନେକ ଦିନରୁ ବିଜେଡିରେ ଚାଲି ଆସିଥିବା ବେଳେ ବ୍ରଜରାଜନଗର କ୍ଷେତ୍ରରେ କେହି ବିଜେଡି ନେତା ମୁହଁ ଖୋଲୁନଥିବା ବୁଝାପଡ଼ୁନାହିଁ।

ପ୍ରଣବପ୍ରକାଶ ଦାସ, ମନ୍ତ୍ରୀ ସୁଶାନ୍ତ ସିଂ, କଟକ ମେୟର ସୁବାସ ସିଂ, ମନ୍ତ୍ରୀ ନବ ଦାସଙ୍କ ଉପସ୍ଥିତିରେ ବିଜେଡି ଦଳ ବୈଠକରେ ମଧ୍ୟ ପ୍ରାର୍ଥିତ୍ବ ନେଇ କୌଣସି ଆଲୋଚନା କରାନଯାଇ ୫ ମିନିଟରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ମାନିବାକୁ ପ୍ରସ୍ତାବ ଗ୍ରହଣ ବୈଠକ ଶେଷ କରି ଦିଆଯାଇଥିଲା। ତେବେ ଅଳକା ମହାନ୍ତିଙ୍କୁ ହିଁ ବିଜେଡି ପ୍ରାର୍ଥୀ କରିବ ବୋଲି କୁହାଯାଉଛି।

ଏପଟେ କଂଗ୍ରେସ ଦଳ ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ଯଜ୍ଞେଶ୍ବର ବାବୁ, ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଶ୍ବିନୀ ଗୁରୁ, ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ବେଣୁମାଧବ ତ୍ରିପାଠୀ, ପ୍ରଦୀପ ଦେବତା, ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ କମିଟି ସଭାପତି ଭରତ ଅଗସ୍ତି ଆସି ବିଭିନ୍ନ ନେତା ଓ କର୍ମୀଙ୍କ ସହିତ ଆଲୋଚନା କରି ଫେରି ଯାଇଛନ୍ତି। ଏଠାରେ କଂଗ୍ରେସ ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କୁ ପ୍ରାର୍ଥୀ କରିବାକୁ ମନସ୍ତ କରିଥିବା ଜଣାଯାଇଛି। ବିଜେପିରେ ମଧ୍ୟ ନିଷ୍ପତ୍ତି ଚୁଡ଼ାନ୍ତ ହୋଇପାରିନାହିଁ। ପ୍ରାର୍ଥିତ୍ବ ନେଇ ବୈଠକ ପରେ ବୈଠକ ବସୁଥିଲେ ମଧ୍ୟ ଚୁଡ଼ାନ୍ତ ହୋଇ ପାରୁନାହିଁ। ବିଜେପିରେ ମଧ୍ୟ ଶେଷରେ ପୂର୍ବତନ ବିଧୟିକା ରାଧାରାଣୀ ପଣ୍ଡାଙ୍କୁ ମଇଦାନକୁ ଛାଡ଼ାଯିବ ବୋଲି କୁହାଯାଉଛି। ସବୁ ଦଳରେ ପ୍ରାର୍ଥିତ୍ବକୁ ନେଇ ମତଭେଦ ବାରି ହୋଇ ପଡ଼ୁଥିବା ବେଳେ ଆଉ ଦିନେ ଦୁଇଦିନ ମଧ୍ୟରେ ଏନେଇ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଜଣାପଡ଼ୁଛି।

କଂଗ୍ରେସ ପକ୍ଷରୁ ପ୍ରାଥି ଚୟନ ପାଇଁ ଗତକାଲି ଯଜ୍ଞଶ୍ୱର ବାବୁ ଙ୍କ ଅଧକ୍ଷତା ରେ ଆସିଥିବା ଟିମ ମତାମତ ସଂଗ୍ରହ କରିଥିଲେ। ସର୍ବସନ୍ନତି କ୍ରମେ କିଶୋର ଚନ୍ଦ୍ର ପଟେଲ ଙ୍କ ନାମ ଚଳିତ ବ୍ରଜରାଜନଗର ଉପନିର୍ବାଚନ ର ପ୍ରାଥି ପାଇଁ ଆସିଥିଲା । ଏନେଇ କିଶୋର ଚନ୍ଦ୍ର ପଟେଲ ଙ୍କ ସହିତ ଯୋଗାଯୋଗ କରିବାରୁ ଏ ଅଇ ସି ସି ପକ୍ଷରୁ ପ୍ରାଥି ସମ୍ପର୍କରେ ଘୋଷଣା ହେବା ପରେ ଏହାସ୍ପଷ୍ଟ ହୋଇଯିବ ବୋଲି ସୂଚନା ଦେଇଥିଲେ।ଯଦି ଏ ଆଇ ସି ସି ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ନାମ ଘୋଷଣା କରନ୍ତି ତେବେ ସେ କଂଗ୍ରେସ ପାଟିର ଜଣେ ଶୃଙ୍ଖଳିତ କର୍ମୀ ହିସାବରେ ତାହାକୁ ଗ୍ରହଣ କରି ନିର୍ବାଚନ ଲଢ଼ିବେ ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe