ବ୍ରଜରାଜନଗର ଉପନିର୍ବାଚନ: ବିଜେଡିକୁ ବେଲପାହାଡ଼ ଚିନ୍ତା, ଲୁଚିଗଲେ କି ଅନ୍ତର୍ଘାତୀ ?

ବ୍ରଜରାଜନଗର ଉପନିର୍ବାଚନ: ବିଜେଡିକୁ ବେଲପାହାଡ଼ ଚିନ୍ତା, ଲୁଚିଗଲେ କି ଅନ୍ତର୍ଘାତୀ ?

ଝାରସୁଗୁଡ଼ା : ଗତ ପୌର ନିର୍ବାଚନରେ ଦଳରେ ରହି ଦଳ ବିରୋଧରେ କାମ କରିଥିବା କିଛି ବିଜେଡି ନେତା ଓ କର୍ମୀ ଆଗାମୀ ଉପନିର୍ବାଚନରେ କିଭଳି ଭୂମିକା ଗ୍ରହଣ କରିବେ ତାକୁ ନେଇ ଏବେ ଚିନ୍ତାରେ ବିଜେଡି। ବ୍ରଜରାଜନଗର ଉପନିର୍ବାଚନ ରାଜ୍ୟ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଦଳ କାହାକୁ ଟିକେଟ୍‌ ଦେବ ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ। ଫଳରେ ନିର୍ବାଚନକୁ ନେଇ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁନି। ଗତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ୯ ରୁ ୯ ଜିଲ୍ଲା ପରିଷଦ ସିଟ୍ ଦଖଲ କରିବ ବୋଲି ବିଜେଡି ଦାବି କରିଥିବା ବେଳେ ସେଥିରେ ସଫଳ ମଧ୍ୟ ହୋଇଥିଲା। ଏଥିରେ ଦଳ ବଡ଼ ଉତ୍ସାହିତ ହୋଇଥିଲା। ପଞ୍ଚାୟତ ନିର୍ବାଚନ ପରେ ପରେ ଜିଲ୍ଲାର ପୌର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ମଧ୍ୟ ଦଳର ନେତାମାନେ ୩ ରୁ ୩ ନଗରପାଳ ଆସନ ହାତେଇବୁ ବୋଲି ପ୍ରଚାର କରିଥିଲେ। ନିର୍ବାଚନ ଫଳ ଆସିଲା ବେଳକୁ ବେଲପାହାଡ଼ ନଗରପାଳ ଆସନ କଂଗ୍ରେସ ହାତକୁ ଚାଲିଯାଇଥିଲା। ଏଥିରେ ବିଜେଡି ଅପ୍ରସ୍ତୁତ ହୋଇ ପଡ଼ିଥିଲା। ଏଥିପାଇଁ ରାଜ୍ୟ ନେତୃତ୍ବ ଆଗରେ ଜିଲ୍ଲା ନେତୃତ୍ବ ଲଜ୍ଜିତ ହୋଇଥିବା ଚର୍ଚ୍ଚା ହୋଇଥିଲା।

ଜିଲ୍ଲାରେ ଥିବା ଦୁଇଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଦୁଇଟି ପୌରସଂସ୍ଥା ବ୍ରଜରାଜନଗର ଓ ବେଲପାହାଡ଼ ରହିଛି। ସଦ୍ୟ ସମାପ୍ତ ପୌର ସଂସ୍ଥାରେ ବିଜେଡି ବେଲପାହାଡ଼ ଆସନ ହରାଇଛି। ଜିଲ୍ଲାରେ ମନ୍ତ୍ରୀ ନବ ଦାସଙ୍କ ଅଖଣ୍ଡ କ୍ଷମତା ରହିଥିବା ବେଳେ ସାମାନ୍ୟ ପୌର ନିର୍ବାଚନରେ ଗୋଟିଏ ନଗରପାଳ ଆସନ ହରାଇବା ଦଳ ପାଇଁ ଏକ ବଡ଼ ଆହ୍ବାନ ବୋଲି ମଧ୍ୟ କହାଯାଇଥିଲା। ମନ୍ତ୍ରୀ ଶ୍ରୀ ଦାସ କଳାହାଣ୍ଡି ଜିଲ୍ଲା ଦାୟିତ୍ବରେ ରହି ସେଠାକାର ପରିସ୍ଥିତି ବଦାଳାଇବାରେ ସକ୍ଷମ ହୋଇଥିବା ବେଳେ ବେଲପାହାଡ଼ ଆସନ କିଭଳି କଂଗ୍ରେସ ହାତକୁ ଚାଲିଗଲା ତାହା ଦଳର ମୁଖ୍ୟଙ୍କୁ ସହଜରେ ହଜମ ହେବ ବା କିଭଳି ? ନବ କଂଗ୍ରେସ ଛାଡ଼ିବା ପରେ ଜିଲ୍ଲାରେ କଂଗ୍ରେସ ସତ୍ତା ହରାଇଥିବା ବେଳେ ବେଲପାହାଡ଼ରେ କିଛି ସଂଗଠନ ନଥାଇ ଜଣେ କଂଗ୍ରେସ ନଗରପାଳ ବିଜୟୀ ହେବାକୁ ନେଇ ବିଜେଡି ଭିତରେ ଏବେ ବି ଟଣାଓଟରା ଜାରି ରହିଛି। ନିର୍ବାଚନ ବେଳେ କିଛି ବିଜେଡି ନେତା ଓ କର୍ମୀ ବ୍ରଜରାଜନଗର ଏବଂ ବେଲପାହାଡ଼ ଅଞ୍ଚଳରେ ଖୋଲାଖୋଲି ଅନ୍ତର୍ଘାତୀ କାର୍ଯ୍ୟ କରିଥିବା ଦଳରେ ଚର୍ଚ୍ଚା ହୋଇଥିଲା।

ତେବେ ବ୍ରଜରାଜନଗରକୁ ସମ୍ଭାଳି ନିଆଯାଇଥିବା ବେଳେ ବେଲପାହାଡ଼କୁ ବହୁ ଚେଷ୍ଟା କରି ମଧ୍ୟ ବିଜେଡି ରକ୍ଷା କରି ପାରି ନଥିଲା। ଏହି ଅନ୍ତର୍ଘାତୀ ଗୋଷ୍ଠୀରେ କେଉଁମାନେ ଥିଲେ ଓ ସେମାନେ କାହା ଇସାରାରେ କାମ କରୁଥିଲେ ତାହା ଜିଲ୍ଲା ନେତୃତ୍ବ ଜାଣି ମଧ୍ୟ ନିରବ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପୌର ନିର୍ବାଚନ ସରି ଯାଇଥିଲେ ମଧ୍ୟ ଅନ୍ତର୍ଘାତୀ ଗୋଷ୍ଠୀରେ ସାମିଲ ନେତା ଓ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଏହି ଗୋଷ୍ଠୀ ଏବେ ବି ସକ୍ରିୟ ରହିଥିବା କୁହାଯାଉଛି। ଆଗାମୀ ଉପନିର୍ବାଚନରେ ସେମାନଙ୍କ ଭୂମିକା କ’ଣ ରହିବ ତାକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe