ଝାରସୁଗୁଡ଼ା/ଭୁବନେଶ୍ବର : ବ୍ରଜରାଜନଗର ଉପନିର୍ବାଚନ ପାଇଁ କୌଣସି ଦଳ ତାଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି। ନମାଙ୍କନ ଦାଖଲ ୧୧ ତାରିଖରେ ଶେଷ ହେଉଥିବାରୁ ୧୦ ତାରିଖ ସୁଦ୍ଧା ସବୁ ଦଳ ତାଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରନ୍ତି। ଏହି ନିର୍ବାଚନରେ ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବାକୁ ଥିବାରୁ କିଏ କେଉଁ ଦଳର ପ୍ରାର୍ଥୀ ହେବେ ତାକୁ ନେଇ ସବୁଠି ଉତ୍କଣ୍ଠା ଦେଖାଦେଇଛି। ଉପନିର୍ବାଚନ ଶାସକ ଦଳ ସପକ୍ଷରେ ଯାଉଥିବା ଦୃଷ୍ଟିରୁ ବିଜେଡି ପ୍ରାର୍ଥୀ କିଏ ହେବ ତାକୁ ନେଇ ଅଧିକ ଚର୍ଚ୍ଚା ହେଉଛି। ବିଜେଡି ପକ୍ଷରୁ କୌଣସି ନେତା ଏଥର କାହାରି ନା ନେଉ ନଥିବାରୁ ସସ୍‌ପେନ୍‌ସ ଅଧିକ ଘନୀଭୂତ ହେବାରେ ଲାଗିଛି। ବିଗତ ଦିନରେ କୌଣସି ସଦସ୍ୟଙ୍କ ଦେହାନ୍ତ ହେଲେ ତୁରନ୍ତ ଦଳର ସୁପ୍ରିମୋ ତାଙ୍କ ପରିବାରର କୌଣସି ସଦସ୍ୟଙ୍କ ନାମ ପ୍ରସ୍ତାବ କରୁଥିଲେ, ମାତ୍ର ବ୍ରଜରାଜନଗର କ୍ଷେତ୍ରରେ ଏପରି ହୋଇନାହିଁ। ସ୍ବର୍ଗତ କିଶୋର ମହାନ୍ତିଙ୍କ ବିୟୋଗକୁ ୪ ମାସ ବିତିଯାଇଥିଲେ ସୁଦ୍ଧା ‌ବିଜେଡିର କୌଣସି ଟାଣୁଆ ନେତା ତାଙ୍କ ପରିବାର ସଦସ୍ୟଙ୍କ ନାମ ନେଉନାହାନ୍ତି। ହେଲେ କିଶୋରଙ୍କ ପତ୍ନୀ ନିଜ ଆଡ଼ୁ ସେ ଉପନିର୍ବାଚନରେ ଲଢ଼ିବା ପାଇଁ ଆଗ୍ରହୀ ବୋଲି କହିଛନ୍ତି।

Advertisment

ବିଜେଡିର ନିରବତା ସନ୍ଦେହ ସୃଷ୍ଟି କରୁଛି। ଜଣେ ସଦସ୍ୟଙ୍କ ବିୟୋଗ ପରେ ତାଙ୍କ ପରିବାର ସଦସ୍ୟଙ୍କୁ ପ୍ରାର୍ଥୀ କରିବା ପରମ୍ପରା ଅନେକ ଦିନରୁ ବିଜେଡିରେ ଚାଲି ଆସିଥିବା ବେଳେ ବ୍ରଜରାଜନଗର କ୍ଷେତ୍ରରେ କୌଣସି ବିଜେଡି ନେତା ମୁହଁ ଖୋଲୁ ନାହାନ୍ତି। ବିଜେଡି ସାଂଗଠନିକ ସଂପାଦକ ପ୍ରଣବପ୍ରକାଶ ଦାସ, ମନ୍ତ୍ରୀ ସୁଶାନ୍ତ ସିଂହ, କଟକ ମେୟର ସୁବାସ ସିଂ, ମନ୍ତ୍ରୀ ନବ ଦାସଙ୍କ ଉପସ୍ଥିତିରେ ବିଜେଡି ବୈଠକରେ ମଧ୍ୟ ପ୍ରାର୍ଥିତ୍ବ ନେଇ କୌଣସି ଆଲୋଚନା କରା ନଯାଇ ୫ ମିନିଟରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ମାନିବାକୁ ପ୍ରସ୍ତାବ ଗ୍ରହଣରେ ବୈଠକ ଶେଷ କରି ଦିଆଯାଇଥିଲା। ତେବେ ଅଳକା ମହାନ୍ତିଙ୍କୁ ହିଁ ବିଜେଡି ପ୍ରାର୍ଥୀ କରିବ ବୋଲି କୁହାଯାଉଛି। ଏପଟେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଚୟନ ପାଇଁ ପିସିସି ସଭାପତିଙ୍କ ନିର୍ଦ୍ଦେଶରେ ଯଜ୍ଞେଶ୍ବର ବାବୁଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ରାଜ୍ୟ ସ୍ତରୀୟ କମିଟି ବ୍ରଜରାଜନଗର ଯାଇ ସେଠାରେ ବିଭିନ୍ନ ନେତା ଓ କର୍ମୀଙ୍କ ସହ ଆଲୋଚନା କରି ଫେରିଛନ୍ତି। କମିଟି ୮ତାରିଖ ସୁଦ୍ଧା ପିସିସି ସଭାପତିଙ୍କୁ ରିପୋର୍ଟ ଦେବା ପରେ ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ବୋଲି କୁହାଯାଇଥିଲା। ହେଲେ ଶନିବାର ଦିନ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି ଯେ, କିଶୋର ପଟେଲ ଆମର ବ୍ରଜରାଜନଗର ପାଇଁ ପ୍ରାର୍ଥୀ ହେବେ। ଆମେ ସବୁ ତାଙ୍କ ପାଇଁ ଲଢ଼ିବୁ। କିଶୋର ପୂର୍ବରୁ କଂଗ୍ରେସ ଟିକେଟରୁ ବିଧାୟକ ହେବା ସହ ମନ୍ତ୍ରୀ ରହି ସାରିଛନ୍ତି । ଅନ୍ୟପଟେ କିଶୋରଙ୍କ ଭଳି ଅଭିଜ୍ଞ ନେତାଙ୍କୁ ଟିକେଟ ଦେଇ ବ୍ରଜରାଜନଗରରେ କଂଗ୍ରେସ ବାଜି ମାରିବ। ହେଲେ ସାଲୁଜା ବିଧାୟକ ପ୍ରାର୍ଥୀ ଚୟନ ପାଇଁ ହୋଇଥିବା ରାଜ୍ୟସ୍ତରୀୟ କମିଟିର କୌଣସି ସଦସ୍ୟ ହୋଇନଥିବାବେଳେ ସେ କିପରି ପିସିସି ସଭାପତିଙ୍କ ଘୋଷଣା ପୂର୍ବରୁ ବିଧାୟକ ପ୍ରାର୍ଥୀ କିଏ ହେବ ତାହା କହିଲେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଅପରପକ୍ଷେ ବିଜେପିରେ ମଧ୍ୟ ନିଷ୍ପତ୍ତି ଚୂଡ଼ାନ୍ତ ହୋଇପାରୁନି। ପ୍ରାର୍ଥିତ୍ବ ନେଇ ବୈଠକ ପରେ ବୈଠକ ବସୁଥିଲେ ମଧ୍ୟ ଏକାଧିକ ଆଶାୟୀ ଥିବାରୁ ଦଳ ଦ୍ବନ୍ଦ୍ବରେ ପଡ଼ିଯାଇଛି। ହେଲେ ଏବେ ଚର୍ଚ୍ଚାରେ ଆଗରେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଅଛନ୍ତି।

ଏ ନେଇ କିଶୋର ପଟେଲଙ୍କୁ ଯୋଗାଯୋଗ କରିବାରୁ କହିଛନ୍ତି, ଏଆଇସିସି ଯଦି ତାଙ୍କ ନାମ ନିର୍ବାଚନ ଲଢ଼ିବା ପାଇଁ ନାମ ଘୋଷଣା କରନ୍ତି  ତେବେ ସେ କଂଗ୍ରେସର ଜଣେ ଶୃଙ୍ଖଳିତ କର୍ମୀ ହିସାବରେ ତାହାକୁ ଗ୍ରହଣ କରି ନିର୍ବାଚନ ଲଢ଼ିବେ।