ଝାରସୁଗୁଡ଼ା : ବ୍ରଜରାଜନଗର ଉପ ନିର୍ବାଚନ ଧୀରେଧୀରେ ଉଷ୍ମ ହେବାରେ ଲାଗିଛି। ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଗତକାଲି ବିଜେପି ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନାମ ଘୋଷଣା କରାଯାଇଥିଲା। ସୋମବାର ଦିନ ବିଜେଡି ପକ୍ଷରୁ ଅଳକା ମହାନ୍ତି ଏବଂ କଂଗ୍ରେସ ପକ୍ଷରୁ କିଶୋର ପଟେଲଙ୍କ ନାମ ଘୋଷଣା କରାଯାଇଛି। ଅନ୍ୟପକ୍ଷରେ, ସିପିଆଇ ପ୍ରାର୍ଥୀ ସୋମବାର ଦିନ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ହେଉଛନ୍ତି ବ୍ରଜରାଜନଗରର ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଅଳକାଙ୍କୁ ଆଜି ପ୍ରାର୍ଥୀ ଭାବେ ମନୋନୟନ କରିଛନ୍ତି। ପ୍ରାର୍ଥୀ ଚୟନ ହେବାପରେ ଅଳକା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ତାଙ୍କ ସ୍ବାମୀଙ୍କ ଅଧୁରା କାର୍ଯ୍ୟକୁ ସମ୍ପନ୍ନ କରିବେ ବୋଲି ପ୍ରତିକ୍ରିୟାରେ କହିଥିଲେ। ଏହାର କିଛି ଘଣ୍ଟା ପରେ କଂଗ୍ରେସ ପ୍ରାର୍ଥୀ ଭାବେ କିଶୋର ପଟେଲଙ୍କ ନାମ ଘୋଷଣା କରିଥିଲେ। କିଶୋର କଂଗ୍ରେସ ସରକାର ସମୟରେ ମନ୍ତ୍ରୀ, ବିଧାନସଭା ବାଚସ୍ପତି ପଦରେ ରହିଥିଲେ। ୨୦୧୪ ନିର୍ବାଚନରେ ବିଧାୟକ ଅନୁପ ସାଏ କଂଗ୍ରେସ ଛାଡ଼ି ବିଜେଡିରୁ ଏହି ଆସନରେ ଲଢ଼ିଥିବା ବେଳେ କଂଗ୍ରେସ ଶ୍ରୀ ପଟେଲଙ୍କୁ ଏଠାରେ ଟିକେଟ ଦେଇଥିଲା। ତେବେ ଶ୍ରୀ ପଟେଲ ୩୮ ହଜାର ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ।
ଆଗାମୀ ୨ ଦିନ ମଧ୍ୟରେ କଂଗ୍ରେସ, ବିଜେଡି ଓ ବିଜେପି ଦଳର ପ୍ରାର୍ଥୀ ତାଙ୍କର ନାମାଙ୍କନ ଦାଖଲ କରିବେ। ଅନ୍ୟପକ୍ଷରେ, ସିପିଆଇ ପ୍ରାର୍ଥୀ ଭାବେ ରମେଶ ତ୍ରିପାଠୀ ଆଜି ତାଙ୍କ ସମର୍ଥକ ଓ କର୍ମକର୍ତ୍ତାଙ୍କ ସହିତ ଝାରସୁଗୁଡ଼ା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିଟର୍ଣ୍ଣିଂ ଅଫିସର ଦୟାମୟ ପାଢ଼ୀଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଥିଲେ। ଗତ ୨୦୧୯ ମସିହା ନିର୍ବାଚନରେ କଂଗ୍ରେସ ସହ ଆସନ ବୁଝାମଣା ଦୃଷ୍ଟିରୁ ଏଠାରେ ପ୍ରତିଦ୍ବନ୍ଦ୍ବିତା କରି ମାତ୍ର ୯ହଜାର ଭୋଟ୍ ପାଇଥିଲେ।
ଉଲ୍ଲେଖଯୋଗ୍ୟ ଯେ ବିଜେପି ପ୍ରାର୍ଥୀ ରାଧାରାଣୀ ଗତ ୨୦୧୪ ମସିହାରେ ଏହି ଆସନରେ ବିଜେପିରୁ ୫୦ ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ୨୦୧୯ରେ ପରାଜୟ ବରଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/election-ffffff.jpg)