୩ ପ୍ରମୁଖ ଦଳର ଶକ୍ତି ପ୍ରଦର୍ଶନ
ବିଜେଡିରୁ ୫ ମନ୍ତ୍ରୀ, ୪ ବିଧାୟକ, ଜଣେ ସାଂସଦ ସାମିଲ୍
ବିଜେପିରୁ ୨ ସାଂସଦ, ୪ ବିଧାୟକଙ୍କ ସହ ଛତିଶଗଡ଼ ସାଂସଦ ବି ସାମିଲ୍
ଝାରସୁଗୁଡ଼ା : ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି, ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଓ କଂଗ୍ରେସ ପ୍ରାର୍ଥୀ କିଶୋର ଚନ୍ଦ୍ର ପଟେଲ ନିଜନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୩ ଦଳର ପ୍ରମୁଖ ଦଳର ପ୍ରାର୍ଥୀମାନେ ବିରାଟ ପଟୁଆରରେ ଝାରସୁଗୁଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ଦୟାମୟ ପାଢ଼ୀଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି। ଆଜି ପ୍ରାର୍ଥିପତ୍ର ଦାଖଲର ଅନ୍ତିମ ଦିବସରେ ୩ ପ୍ରାର୍ଥୀ ନିଜ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ଓ ଦଳର ଅନେକ ଟାଣୁଆ ନେତାଙ୍କ ଉପସ୍ଥିତି ଗୋଟିଏ ଭିନ୍ନ ବାର୍ତ୍ତା ଦେଇଛି।
ଏହାକୁ ଦେଖିବା ପରେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ପୂର୍ବାନୁମାନ କଲେଣି ଯେ ଏହି ଉପନିର୍ବାଚନ ଲଢ଼େଇ ପିପିଲି, ବାଲେଶ୍ବର, ବିଜେପୁର ଉପନିର୍ବାଚନ ତୁଳନାରେ ଆଉ ଟିକେ ଉଷ୍ଣ ହେବ, ଠିକ୍ ୨୦୧୮ ବିଜେପୁର ଉପନିର୍ବାଚନ ଭଳି। ଏହାର ଅନ୍ୟ ଏକ କାରଣ ହେଲା; କଂଗ୍ରେସ ଜଣେ ଟାଣୁଆ ପ୍ରାର୍ଥୀଙ୍କୁ ଲଢ଼ାଇଛି। ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ କିଶୋର ପଟେଲଙ୍କ ପ୍ରଦର୍ଶନ ଉପରେ କଂଗ୍ରେସ ଆଗକୁ ବଳ ପାଇବ କି ଦୁର୍ବଳ ହେବ ତାହା ନିର୍ଭର କରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ବି ଯେବେ ବିଜେଡି ପ୍ରାୟ ସବୁଠି ତାକତ ଦେଖାଉଥିଲା, ଏହି ନିର୍ବାଚନମଣ୍ଡଳୀରୁ ଅନୁପ ସାଏ ଏକାଧିକବାର ଜିତିଥିଲେ। ପରେ ଗୋଟିଏ ଥର ବିଜେପି (ରାଧାରାଣୀ ପଣ୍ଡା) ଏହି ଆସନ ଦଖଲ କରିଛି। ଏଣୁ ଏଠାରେ ସେମାନଙ୍କର ପତିଆରା ଟିକେ ଅଧିକ। ଅନ୍ୟପକ୍ଷରେ ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକାଙ୍କ ସହିତ ଅନୁକମ୍ପା ଭୋଟ ରହିବ, ବିଜେଡିର ସମର୍ଥନ ବି।
/sambad/media/post_attachments/wp-content/uploads/2022/05/brajrajngar-2-300x167.jpg)
ବୁଧବାର ଦିନ ପ୍ରଥମେ ବିଜେଡି ପକ୍ଷରୁ ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ନାମାଙ୍କନ ଦାଖଲ କରିଥିଲେ। ଏଥିପାଇଁ ଏକ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏଥିରେ ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ନବକିଶୋର ଦାସ, ମନ୍ତ୍ରୀ ସୁଶାନ୍ତ ସିଂହ, ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ, ରାଜ୍ୟ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଝାରସୁଗୁଡ଼ା ପର୍ଯ୍ୟବେକ୍ଷକ ତଥା କଟକ ମହାନଗର ନିଗମ ମେୟର ସୁବାସ ସିଂହ, ସହ ପର୍ଯ୍ୟବେକ୍ଷକ ବିଷ୍ଣୁ କେଡ଼ିଆ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ବିଜେପୁର ବିଧାୟିକା ରୀତା ସାହୁ, ପୂର୍ବତନ ସାଂସଦ ଡ. ପ୍ରଭାସ ସିଂ ପ୍ରମୁଖ ଉପସ୍ଥିତ ଥିଲେ।
ଏହାପରେ, ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡା ଓ କଂଗ୍ରେସ ପ୍ରାର୍ଥୀ କିଶୋର ଚନ୍ଦ୍ର ପଟେଲ ଶୋଭାଯାତ୍ରାରେ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ। ଶ୍ରୀମତୀ ପଣ୍ଡାଙ୍କ ସହିତ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଛତିଶଗଡ଼ ରାୟଗଡ଼ ସାଂସଦ ଗୋମତି ସାଏ, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ବରଗଡ଼ ସାଂସଦ ସୁରେଶ ପୂଜାରୀ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ, ତଲସରା ବିଧାୟକ ଭବାନୀ ଭୋଇ, ରାଜ୍ୟ ସାଧାରଣ ସମ୍ପାଦକ ରବି ନାରାୟଣ ନାୟକ, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ସନତ ଗଡ଼ତିଆ, ଅଶ୍ୱିନୀ ଷଡ଼ଙ୍ଗୀ, ଦେବେନ୍ଦ୍ର ମହାପାତ୍ରଙ୍କ ସମେତ ଜିଲ୍ଲାର ବହୁ ବିଜେପି ପଦାଧିକାରୀ ଓ କର୍ମୀ ଉପସ୍ଥିତ ଥିଲେ। କଂଗ୍ରେସ ପକ୍ଷରୁ ମଧ୍ୟ ଏକ ବିରାଟ ଶୋଭାଯାତ୍ରାରେ ପହଞ୍ଚି ପ୍ରାର୍ଥୀ କିଶୋର ଚନ୍ଦ୍ର ପଟେଲ ତାଙ୍କର ନାମାଙ୍କନ ଦାଖଲ କରିଥିଲେ। ରାଜଗାଙ୍ଗପୁର ବିଧାୟକ ରଞ୍ଜନ ଏକ୍କା, ଜିଲ୍ଲା ସଭାପତି ଭାରତ ଅଗସ୍ତି, ବେଲପାହାଡ଼ ନଗରପାଳ ବୁଲୁ ପଣ୍ଡା, ମହେନ୍ଦ୍ର ନାୟକ, ପ୍ରମୋଦ ପଣ୍ଡା, ବ୍ରଜରାଜନଗର ଟାଉନ କଂଗ୍ରେସ ସଭାପତି ପ୍ରଫୁଲ୍ଲ ପଣ୍ଡା, ସୁବ୍ରତ ପ୍ରଧାନ, କିରଣ ଦାସ, ଗୀତା ପାନ, ଲିଙ୍ଗ ବଢ଼େଇ, ସୁନୀଲ ଦାଶ, ଗୁଡୁ ଦାସ, ସଂଜୟ ସିଂ, ଦେବେଶ ପଣ୍ଡା, ହେମସଗାର ପଟ୍ଟନାୟକ, ରିତେଶ ପଟେଲ ତଥା କଂଗ୍ରେସ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2022/05/brajrajngar-3-300x198.jpg)
ନାମାଙ୍କନ ପୂର୍ବରୁ ବୁଧବାର ଦିନ ଝାରସୁଗୁଡ଼ା ସହରରେ ତିନି ଦଳର ପତାକା ଛାଇ ଯାଇଥିଲା। ସହରରେ ତିନି ଦଳର ପତାକା ଲାଗିଥିବା ମାଳମାଳ ବାଇକ୍ ଓ ନାମୀଦାମୀ କାର୍ର ଭିଡ଼ ଦେଖିବାକୁ ମିଳିଥିଲା। ସେହିପରି ଆଜି ଜିଲ୍ଲାରେ ଶାସକ ଦଳର ୫ ମନ୍ତ୍ରୀ, ଉଭୟ ଦଳରୁ ୪ ସାଂସଦ ଏବଂ ୩ ଦଳରୁ ୯ ବିଧାୟକଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ତିନି ଦଳର ବଡ଼ବଡ଼ ନେତାଙ୍କ ଉପସ୍ଥିତି ମଧ୍ୟ ନଜର ଆସିଥିଲା। ବିଜେଡିର ୫ ମନ୍ତ୍ରୀ, ୪ ବିଧାୟକ ଓ ଜଣେ ସାଂସଦ ଉପସ୍ଥିତ ଥିବାବେଳେ ବିଜେପିରୁ ୪ ବିଧାୟକ ଏବଂ ଓଡ଼ିଶାରୁ ୨ ଜଣ ଏବଂ ଛତିଶଗଡ଼ର ଜଣେ ସାଂସଦଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲେ। ଅର୍ଥାତ୍ ଲଢ଼େଇ ଜୋରଦାର ହେବାକୁ ଯାଉଛି ତାହାର ଝଲକ ଆଜିର ଶୋଭାଯାତ୍ରା ଓ ନେତାଙ୍କ ଉପସ୍ଥିତିରୁ ସ୍ପଷ୍ଟ ସୂଚନା ମିଳିଥିଲା। ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଜଣେ ବିଧାୟକ ଓ ଦଳର ବଡ଼ ନେତାଙ୍କ ସହିତ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ବୋଲି ବାର୍ତ୍ତା ଦେଇଥିଲା।
ଅନ୍ୟପକ୍ଷରେ, ବ୍ରଜରାଜନଗର ଉପନିର୍ବାଚନ ନିମନ୍ତେ ବୁଧବାର ଦିନ ପ୍ରାର୍ଥିପତ୍ର ଦାଖଲର ଶେଷ ଦିବସ ସୁଦ୍ଧା ମୋଟ ୧୪ ଜଣ ତାଙ୍କର ନାମାଙ୍କନ ଦାଖଲ କରିଥିବା ଜଣାଯାଇଛି। କେବଳ ଆଜି ୧୧ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ପୂର୍ବରୁ ୩ ଜଣ ନାମାଙ୍କନ ଦାଖଲ କରିଥିଲେ। ଆଜି କଂଗ୍ରେସ, ବିଜେପି ଓ ବିଜେଡି ଦଳ ବ୍ୟତୀତ ଅନ୍ୟ ଯେଉଁମାନେ ନାମାଙ୍କନ ଦାଖଲ କରିଥିଲେ ସେମାନେ ହେଲେ ସୁପ୍ରୀତି ବେହେରା, ପାର୍ବତୀ ବେହେରା, ତପନ ସ୍ବାଇଁ, ମନୋଜ ପଧାନ, ଅଭୟ ଭାରତୀ, ଶେଖାୱତ ରାଜପୁତ ଜୈନ, ମନୋଜ ମେହେର, ସୀତାରାମ ବେହେରା, ଦୀନବନ୍ଧୁ ବିଶ୍ବାଳ ତାଙ୍କର ନାମାଙ୍କନ ଦାଖଲ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/brajrajngar1.jpg)