ବ୍ରଜରାଜନଗର ଉପନିର୍ବାଚନ: ଶାସକ ଦଳକୁ କଡ଼ା ଟକ୍କର ଦେବେ କଂଗ୍ରେସ ଓ ବିଜେପି

ଝାରସୁଗୁଡା : ଦ୍ବିତୀୟଥର ପାଇଁ ଉପନିର୍ବାଚନ ସାମ୍‌ନା କରୁଛି ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ। ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ଏହି ଉପନିର୍ବାଚନ ଟିକେ ଭିନ୍ନ ହେବ ବୋଲି ଅନୁମାନ କରାଯାଉଛି। ପ୍ରାୟ ଉପ ନିର୍ବାଚନର ଫଳାଫଳ ସରକାରୀ ଦଳ ସପକ୍ଷରେ ଯାଇଥାଏ। ତେବେ ଭୋଟରଙ୍କ ପୁଞ୍ଜିଭୂତ ଅସନ୍ତୋଷ ତଥା ଅନ୍ୟାନ୍ୟ କାରଣ ଅନେକ ସମୟରେ କ୍ଷମତାସୀନ ଦଳକୁ କ୍ଷତି ମଧ୍ୟ ପହଞ୍ଚାଇଥାଏ। ବ୍ରଜରାଜନଗର ଏଭଳି ଏକ ନିର୍ବାଚନମଣ୍ଡଳୀ, ଯେଉଁଠାରେ ଭୋଟର ସବୁବେଳେ ସ୍ବତନ୍ତ୍ର  ଜନାଦେଶ ଦେଇଥାନ୍ତି। ବାମପନ୍ଥୀ ଓ କଂଗ୍ରେସର ଦୁର୍ଗ କୁହାଯାଉଥିବା ଏହି ନିର୍ବାଚନମଣ୍ଡଳୀକୁ ବିଜେପି ଓ ବିଜେଡି ମଧ୍ୟ ଅକ୍ତିଆର କରିସାରିଥିବାରୁ ଏବେ ଆଉ କାହାରି ଦୁର୍ଗ ବୋଲି କହିବା ଠିକ୍‌ ହେବନାହିଁ। ଏଥର ଦଳ ଅପେକ୍ଷା ପ୍ରାର୍ଥୀଙ୍କୁ ଲୋକ‌େ ଅଧିକ ଗୁରୁତ୍ବ ଦେଇ ପାରନ୍ତି ବୋଲି କୁହାଯାଉଛି। ଏହି ନିର୍ବାଚନରେ କଂଗ୍ରେସ ଓ ବିଜେପି ପକ୍ଷରୁ ଦୁଇ ଜଣ ପୁରୁଖା ଓ ଅନୁଭବୀ ନେତାଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ବିଜେଡି ପ୍ରାର୍ଥିନୀ ନୂଆକରି ରାଜନୀତିରେ ପାଦ ଥାପିଛନ୍ତି।

ନିର୍ବାଚନ ଆରମ୍ଭରୁ ଅନେକ ପ୍ରସଙ୍ଗ ଉଠୁଥିବାବେଳେ ପରବର୍ତ୍ତୀ ସମୟରେ ଏହି ପ୍ରସଙ୍ଗ ଗୌଣ ହୋଇଯାଇଥାଏ। ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଅନେକ ସମସ୍ୟା ରହିଛି। ଏହି ସମସ୍ୟାଗୁଡ଼ିକ ଉପନିର୍ବାଚନରେ ବିଜୟୀ ଦଳ ବା ପ୍ରାର୍ଥୀ ଯେତେ ପ୍ରତିଶ୍ରୁତି ଦେଲେ ମଧ୍ୟ ପୂରଣ କରିବା ସେତେ ସହଜ ନୁହେଁ। ୨୦୧୯ ନିର୍ବାଚନରେ ଶାସକ ଦଳରୁ କିଶୋର ମହାନ୍ତି ବିଜୟୀ ହୋଇଥିଲେ। ତାଙ୍କ ଅକାଳ ବିୟୋଗ ଯୋଗୁଁ କୌଣସି ଆଖିଦୃଶିଆ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସମ୍ଭବପର ହୋଇନଥିଲା। ଏହାର ମଧ୍ୟ‌ ଅନ୍ୟ କାରଣ ରହିଛି।  ଗତ ଦୁଇବର୍ଷ କରୋନା ମହାମାରୀରେ ବିଭିନ୍ନ ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପ୍ରସଙ୍ଗ ବ୍ୟତୀତ ଦଳୀୟ ସ୍ଥିତି ମଧ୍ୟ ଏବେ ଚର୍ଚ୍ଚାକୁ ଆସିଛି।

ଝାରସୁଗୁଡ଼ା ରାଜନୀତିରେ ବିଜେଡି ସର୍ବାଗ୍ରେ ରହିଥିଲେ ମଧ୍ୟ ଏହି ଉପନିର୍ବାଚନରେ ଦଳ ମଧ୍ୟରେ ସେଭଳି ସମନ୍ବୟ ନଥିବା ଦେଖାଯାଇଛି। ସଦ୍ୟ ସମାପ୍ତ ପୌର ନିର୍ବାଚନରେ ଦଳର କିଛି କର୍ମକର୍ତ୍ତ‌ା ଅନ୍ତର୍ଘାତୀ କାର୍ଯ୍ୟ କାରିଥିବାରୁ ବିଜେଡି ବେଲପାହାଡ଼ ନଗରପାଳ ଆସନ ହରାଇଥିଲା। ଏହି ଅନ୍ତର୍ଘାତୀ କାର୍ଯ୍ୟରେ ସଂପୃକ୍ତ ଥିବା ଏକ ଗୋଷ୍ଠୀ ଏବେ ଉପନିର୍ବାଚନରେ ସକ୍ରିୟ ହୋଇ ଉଠିଥିବା ଦେଖାଯାଇଛି। ଦୀର୍ଘଦିନ ଧରି ସୁପ୍ତ ଅବସ୍ଥାରେ ଥିବା କଂଗ୍ରେସ ଏହି ଉପନିର୍ବାଚନ ବେଳେ ପୁନର୍ଜୀବିତ ହୋଇଉଠିଛି। ଦଳ ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି କିଶୋର ପଟେଲଙ୍କ ଭଳି ଜଣେ ଦକ୍ଷ ପ୍ରାର୍ଥୀଙ୍କୁ ଛିଡ଼ା କରିବା ପରେ ଦଳର କର୍ମୀମାନଙ୍କ ମଧ୍ୟ‌ରେ ଉତ୍ସାହ ବୃଦ୍ଧି ପାଇଛି। ଶ୍ରୀ ପଟେଲ ଅନେକ ଶ୍ରମିକ ସଂଗଠନର ନେତୃତ୍ବ ନେଉଥିବାବେଳେ ଏଠାରେ ଥିବା କଂଗ୍ରେସ ଭୋଟ ହାତେଇବା ପା‌ଇଁ ତାଙ୍କୁ କୌଣସି ସମସ୍ୟା ନଥିବା ଅନୁମାନ କରାଯାଉଛି।

ବିଜେପି ପ୍ରାର୍ଥିନୀ ରାଧାରାଣୀ ପଣ୍ଡା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ବୋହୂ। ଏଠାରୁ ସେ ଥରେ ବିଧାୟକ ହୋଇଥିଲେ। ଜନସାଧାରଣଙ୍କ ସହିତ ସିଧାସଳଖ ସଂପର୍କ ଥିବା ଶ୍ରୀମତୀ ପଣ୍ଡାଙ୍କର ମଧ୍ୟ ସ୍ଥାୟୀ ଭୋଟ ବ୍ୟାଙ୍କ ରହିଛି। ଫଳରେ ତାଙ୍କୁ ଏହା ବେଶ୍‌ ସୁହାଇବା ସମ୍ଭାବନା ରହିଛି। ଏସବୁ ବ୍ୟତୀତ ଏହି ନିର୍ବାଚନ ପ୍ରଚାର ପାଇଁ ବିଜେପି ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ସହାୟତା ନେଉଥିବା ବେଳେ କଂଗ୍ରେସ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତାଙ୍କ ସାହାଯ୍ୟ ନେବାକୁ ଯୋଜନା କରିଛି। ବିଜେଡି କ୍ଷମତାରେ ଥିବାରୁ ଏହି ନିର୍ବାଚନ ତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବାରୁ ବିଜେଡିର ସବୁ ମନ୍ତ୍ରୀ, ବିଧାୟକ ଏଠାରେ ଡେରା ପକାଇବେ ବୋଲି ଜଣାଯାଇଛି। ଲଢ଼େଇ ତୀବ୍ର ହେବା ନେଇ ଏବେଠୁ ସ୍ପଷ୍ଟ ଦେଖା ଯାଉଛି।

ସମ୍ବନ୍ଧିତ ଖବର