ଝାରସୁଗୁଡ଼ା : ବ୍ରଜରାଜନଗର ଉପନିର୍ବାଚନ ପାଇଁ ଏବେ ଉଠୁଛି ପଡ଼ୁଛି ଝାରସୁଗୁଡ଼ା। ୧୯୯୮ ମସିହାରେ ବ୍ରଜରାଜନଗରରେ ପ୍ରଥମ ଉପନିର୍ବାଚନ ହୋଇଥିଲା। ସେତେବେଳେ ବ୍ରଜରାଜନଗରର ବିଧାୟକ ଥିବା ବିଶିଷ୍ଟ ବାମପନ୍ଥୀ ନେତା ପ୍ରସନ୍ନ କୁମାର ପଣ୍ଡାଙ୍କ ବିୟୋଗ ପରେ ସେଠାକାର ଭୋଟର ଉପନିର୍ବାଚନକୁ ସାମ୍ନା କରିଥିଲେ। ଏହାର ୨୪ ବର୍ଷ ପରେ ଏଠାରେ ଆଉ ଏକ ଉପନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ସରକାରୀସ୍ତରରେ ସମସ୍ତ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଥିବା ବେଳେ ନିର୍ବାଚନରେ ବଡ଼ ଲଢ଼େଇର ସମ୍ମୁଖୀନ ହେବାକୁ କଂଗ୍ରେସ, ବିଜେଡି ଓ ବିଜେପି ସମସ୍ତେ ଅଣ୍ଟାଭିଡ଼ି ବାହାରି ପଡ଼ିଛନ୍ତି। ଏଥିପାଇଁ ରାଜ୍ୟର କୋଣ ଅନୁକୋଣରୁ ପ୍ରତିଦିନ ନେତାଙ୍କ ସୁଅ ଛୁଟିବାରେ ଲାଗିଛି। ୩୮ଟି ପଞ୍ଚାୟତ ଓ ୨ଟି ପୌରାଞ୍ଚଳକୁ ନେଇ ଗଠିତ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଏବେ ଗାଁ ଗାଁରେ ଚାଲିଛି ସଭା, ସମାବେଶ ଓ କର୍ମୀ ସମ୍ମିଳନୀ। ତାପମାତ୍ରା ୪୨ ରୁ ୪୪ ଡିଗ୍ରି ରହୁଥିଲେ ମଧ୍ୟ ଏହାକୁ ନେତା ଓ କର୍ମୀ ଖାତିର କରୁ ନହାନ୍ତି। ପଞ୍ଚାୟତ ପଞ୍ଚାୟତ ଘୂରି ବୁଲି ସମର୍ଥନ ଜୁଟାଇବାରେ ଲାଗି ପଡ଼ିଛନ୍ତି।
/sambad/media/post_attachments/wp-content/uploads/2022/05/0901e6d0-377f-4554-b498-8444151f1f4e-300x200.jpg)
ଉପକୂଳ ଅଞ୍ଚଳରୁ ଆସିଥିବା ନେତାମାନେ ଏଠାକାର ଗ୍ରୀଷ୍ମପ୍ରବାହ ନେଇ ପୂର୍ବ ଉପଲବ୍ଧି ନଥିବାରୁ କଷ୍ଟ ଅନୁଭବ କରୁଥିବା ଦେଖା ଯାଇଛି। ସବୁଠାରୁ ଅଧିକ ନେତା ଶାସକ ବିଜେଡି ଦଳର ହୋଇଥିବା ବେଳେ ବିଜେପି ଓ କଂଗ୍ରେସର ଅଳ୍ପ ସଂଖ୍ୟକ ନେତା ଏଠାରେ ଦେଖା ଯାଉଛନ୍ତି। ବିଜେଡିର ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ସମୀର ଦାସ, ମନ୍ତ୍ରୀ ଟୁକୁନି ସାହୁ, ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଯୋଜନା କମିସନ୍ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା, ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓଙ୍କ ସମେତ ୨୦/୩୦ ବିଧାୟକ ଏଠାରେ ଡେରା ପକାଇ ସାରିଛନ୍ତି। କଟକ ମେୟର ସୁବାସ ସିଂ ଗତ ପଞ୍ଚାୟତ ନିର୍ବାଚନଠାରୁ ଏଠାରେ ରହି ଆସୁଛନ୍ତି। ମନ୍ତ୍ରୀ ନବ ଦାସ ସବୁ ମନ୍ତ୍ରୀ ଓ ବିଧାୟକଙ୍କ ସହିତ ସମନ୍ବୟ ରଖି କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରୁଥିବା ଦେଖା ଯାଇଛି।
ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ବିଶେଷ ହୋଟେଲ ବ୍ୟବସ୍ଥା ନଥିବା ବେଳେ ବେଲପାହାଡ଼ଠାରେ ଥିବା ଗୋଟିଏ ହୋଟେଲର ସବୁ କୋଠରି ବୁକ୍ ହୋଇ ରହିଛି। ଅଧିକାଂଶ ମନ୍ତ୍ରୀ, ସାଂସଦ, ପୂର୍ବତନ ସାଂସଦ ଝାରସୁଗୁଡ଼ାର ତାରକା ହୋଟେଲମାନଙ୍କରେ ରହୁଥିବା ବେଳେ ହୋଟେଲ ବାହାରେ ଦାମୀ ଓ ବିଳାସପୂର୍ଣ୍ଣ କାରଗୁଡ଼ିକର ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି। ଝାରସୁଗୁଡ଼ାରେ ଥିବା ବଡ଼ ବଡ଼ ହୋଟେଲ ଏବେ ମନ୍ତ୍ରୀଙ୍କ ପାଇଁ ସଂରକ୍ଷିତ ହୋଇ ରହିଛି। ଆଜି କଂଗ୍ରେସର ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଓ ଜୟଦେବ ଜେନା ଆସି ଝାରସୁଗୁଡ଼ାରେ ପହଞ୍ଚି ଏକ ହୋଟେଲରେ ଅବସ୍ଥାନ କରୁଛନ୍ତି। କଂଗ୍ରେସର ଆଉ କେହି ନେତା ଏ ପର୍ଯ୍ୟନ୍ତ ଆସି ନଥିବା ଜଣାଯାଇଛି। ବିଜେପି ପକ୍ଷରୁ ସାଂସଦ ସୁରେଶ ପୂଜାରୀ ଆସି ନିର୍ବାଚନ ମଣ୍ଡଳୀ ବୁଲୁଥିବା ବେଳେ ଅନ୍ୟ କେହି କେନ୍ଦ୍ରୀୟ ଓ ରାଜ୍ୟ ନେତୃବର୍ଗ ଆସି ନଥିବା ଦେଖା ଯାଇଛି। ୧୯୯୮ ଉପନିର୍ବାଚନଠାରୁ ଏହି ଉପନିର୍ବାଚନ ଭିନ୍ନ ହେବ ବୋଲି ସ୍ଥାନୀୟ ଭୋଟର କହୁଛନ୍ତି। ପ୍ରଥମ ଥର ବ୍ରଜରାଜନଗରରେ ହୋଇଥିବା ଉପନିର୍ବାଚନ ଯେଉଁମାନେ ଦେଖିଛନ୍ତି ସେମାନେ ଦ୍ବିତୀୟ ଥର ହେବାକୁ ଥିବା ଏହି ଉପନିର୍ବାଚନର ପ୍ରସ୍ତୁତି ଦେଖି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/election-fffff.jpg)