ବ୍ରଜରାଜନଗର ନିର୍ବାଚନମଣ୍ଡଳୀ : ବିଦ୍ରୋହୀଙ୍କ ଟାର୍ଗେଟ୍‌ରେ ରାଧା ଓ ଅନୁପ

ଝାରସୁଗୁଡ଼ା, (ପ୍ରଶାନ୍ତ କୁମାର ମିଶ୍ର): ଏକଦା କଂଗ୍ରେସ ଓ ବାମପନ୍ଥୀ ଦଳର ଏକ ଅଭେଦ୍ୟ ଦୁର୍ଗ ଭାବରେ ପରିଚିତ ଥିଲା ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀ। ଏବେ କିନ୍ତୁ ଏଠାରେ ନା ଅଛି କଂଗ୍ରେସର ପତିଆରା ନା ଅଛି କମ୍ୟୁନିଷ୍ଟର ଦବ୍‌ଦବା। ଗତ ୨୦୧୪ ମସିହାରେ ପ୍ରଥମ ଥର ପାଇଁ ବିଜେପି ଏଠାରେ ଖାତା ଖୋଲିଥିଲା। ୧୯୬୧ ମସିହା ଠାରୁ ୨୦୧୪ ମସିହା ମଧ୍ୟରେ ଏହି ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହୋଇଯାଇଥିବା ୧୩ ଗୋଟି ବିଧାନସଭା ନିର୍ବାଚନରେ କମ୍ୟୁନିଷ୍ଟ ପାର୍ଟି ସର୍ବାଧିକ ୬ ଥର, କଂଗ୍ରେସ ଦଳ ୫ ଥର, ଓଡ଼ିଶା ଜନ କଂଗ୍ରେସ ଓ ବିଜେପି ଥରେ ଲେଖାଁଏ ଏହି ଆସନ ଦଖଲ କରିଛନ୍ତି।

୨୦୦୦ ମସିହାରୁ ତିନୋଟି ନିର୍ବାଚନରେ ନିରନ୍ତର ବିଜୟୀ ହୋଇ ହ୍ୟାଟ୍ରିକ୍‌ କରିଥିବା କଂଗ୍ରେସ ପ୍ରାର୍ଥୀ ଅନୁପ କୁମାର ସାଏ ଜଣେ ବେଶ୍‌ ପ୍ରଭାବଶାଳୀ ନେତା। ମାତ୍ର, ୨୦୧୪ ନିର୍ବାଚନରେ ରାଧାରାଣୀ ତାଙ୍କୁ ୬ ହଜାର ୭ ଶହ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଥିଲେ। ରାଜନୈତିକ ବିଶେଷଜ୍ଞଙ୍କ ମତରେ ନିର୍ବାଚନର ଠିକ୍‌ ପୂର୍ବରୁ ଅନୁପ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିବାରୁ ଏକ ବୃହତ୍‌ ଗୋଷ୍ଠୀ ତାଙ୍କୁ ବିରୋଧ କରିଥିଲେ। ଯାହାକି, ତାଙ୍କ ପରାଜୟର ମୁଖ୍ୟ କାରଣ।

ଏବେ ମଧ୍ୟ ସେହି ବିରୋଧୀ ଗୋଷ୍ଠୀ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ବେଶ୍‌ସକ୍ରିୟ ଥିବା ଜଣାଯାଇଛି। କିଛି ଦିନ ପୂର୍ବରୁ ଏହି ଗୋଷ୍ଠୀ ଭୁବନେଶ୍ବର ନବୀନ ନିବାସରେ ପହଞ୍ଚି ଅନୁପ ସାଏଙ୍କ ପ୍ରତି ତାଙ୍କର ବିରୋଧ ପ୍ରକଟ କରିଥିଲେ। ଏହି ବିଦ୍ରୋହୀ ଗୋଷ୍ଠୀ ବ୍ରଜରାଜନଗରରେ ଅନେକ ଥର ପୋଷ୍ଟର ମାରି ‘ଅନୁପ୍‌ ହଟାଓ …ବିଜେଡି ବଚାଓ’ ନାରା ଦେଇ ଆସିଛନ୍ତି। ଅନେକଥର ଇସ୍ତଫାର ଧମକ ମଧ୍ୟ ଦେଇଛନ୍ତି। ଆଗାମୀ ନିର୍ବାଚନରେ ଅନୁପ୍‌ଙ୍କ ବିଜେଡି ଟିକେଟ ପାଇବାରେ ଏହି ବିଦ୍ରୋହୀ ଗୋଷ୍ଠୀ ଅନ୍ତରାୟ ସୃଷ୍ଟି କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏହି ବିଦ୍ରୋହୀ ମାନଙ୍କୁ ଜିଲ୍ଲାର ଜଣେ ବରିଷ୍ଠ ବିଜେଡି ନେତା ପୃଷ୍ଠ‌ପୋଷକତା ଯୋଗାଉଥିବା ମଧ୍ୟ ଅଭିଯୋଗ ହୋଇ ଆସୁଛି।

ସେହିପରି ବିଜେପି ବିଧାୟିକା ଶ୍ରୀମତୀ ପଣ୍ଡା ମଧ୍ୟ ଏହି ଆସନରେ ଏବେ ବିରୋଧାଭାସର ସମ୍ମୁଖୀନ ହେଉଛନ୍ତି। ଶ୍ରୀମତୀ ପଣ୍ଡା ଜିଲ୍ଲା ବିଜେପିର ଜିଲ୍ଲା ସଭାନେତ୍ରୀ ଥିବାବେଳେ ସଂଗଠନକୁ ସୁଦୃଢ଼ କରିବାରେ ଅବହେଳା କରୁଥିବା ବହୁ ବିଜେପି କର୍ମୀ ଅଭିଯୋଗ କରି ଆସୁଛନ୍ତି। ଅତୀତରେ ତିନିଜଣ ମହିଳା ବିଜେପି କର୍ମକର୍ତ୍ତାଙ୍କୁ ଦଳରୁ ନିଲମ୍ବନ କରିବା ଘଟଣାକୁ ନେଇ ମୁହଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସଂପୃକ୍ତ ମହିଳା କର୍ମୀ ମାନେ ବିଜେପି ସଭାନେତ୍ରୀ ତାଙ୍କୁ ନିଲମ୍ବନ କରିବା ଅଗଣତାନ୍ତ୍ରିକ ଓ ଅସାମ୍ବିଧାନିକ ଅଟେ ବୋଲି କହି ଦଳର ରାଜ୍ୟ ସଭାପତିଙ୍କ ପର୍ଯ୍ୟନ୍ତ ଯାଇଥିଲେ। ରାଧାଙ୍କ ବିରୋଧରେ ମଧ୍ୟ ପୋଷ୍ଟାର ୱାର୍‌ ଜୋର୍‌ ଧରିଛି। ବିଜେଡି ଓ ବିଜେପି ଉଭୟ ଦଳରେ ବିଦ୍ରୋହୀଙ୍କ ସ୍ବର ଶାଣିତ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ପ୍ରାର୍ଥୀଙ୍କୁ ନେଇ ଉଭୟ ଦଳରେ ମୁଣ୍ଡବ୍ୟଥା ଆରମ୍ଭ ହେବା ସ୍ବାଭାବିକ।

ଅନ୍ୟପକ୍ଷରେ, ଏହି ନିର୍ବାଚନମଣ୍ଡଳୀରେ କଂଗ୍ରେସର ନେତୃତ୍ବ ନେଉଥିବା ପୂର୍ବତନ ବାଚସ୍ପତି କିଶୋର ପଟେଲ ଗତ ୨୦୧୪ ନିର୍ବାଚନରେ ୩୮ ହଜାର ୧୭୫ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। ନବ ଦାସ କଂଗ୍ରେସ ଛାଡ଼ି ବିଜେଡିକୁ ଯିବା ପରେ ଜିଲ୍ଲା କଂଗ୍ରେସରେ ଏହାର ପ୍ରଭାବ ପଡ଼ିଛି। କିଶୋର ପଟେଲ ମଧ୍ୟ କିଛି ଦିନ ହେଲା ଅସୁସ୍ଥ ହୋଇ ରାଜ୍ୟ ବାହାରେ ଚିକିତ୍ସିତ ହେଉଥିବା ଜଣାଯାଇଛି। କଂଗ୍ରେସ ଦଳ ଏଠାରେ କମ୍ୟୁନିଷ୍ଟ ପାର୍ଟି ସହିତ ଆସନ ବୁଝାମଣା କରିବା ନେଇ ରାଜ୍ୟ ନେତୃବୃନ୍ଦ ଆଲୋଚନା କରୁଥିବା ଜଣାଯାଇଛି। ଏଭଳି ସ୍ଥିତିରେ ରାଧା ଓ ଅନୁପ ବିଦ୍ରୋହୀଙ୍କ ଠାରୁ କିଭଳି ମୁକୁଳିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର