ବ୍ରଜବନ୍ଧୁ ମେଧାବୃତ୍ତି ପରୀକ୍ଷା: ଭାଗ ନେଲେ ୭୩ ଜଣ ଛାତ୍ରଛାତ୍ରୀ

ବାଲେଶ୍ବର: କେଏମ୍‌ବିବି ବିଜ୍ଞାନ ଉଚ୍ଚ ମାଧ୍ୟମିକ ସ୍କୁଲ୍‌ ଏବଂ ସମ୍ବାଦ ପକ୍ଷରୁ ସାରା ରାଜ୍ୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ବ୍ରଜବନ୍ଧୁ ମେଧାବୃତ୍ତି ପରୀକ୍ଷା ଅନୁଷ୍ଠିତ ଅନୁଷ୍ଠିତ ହେଉଛି। ଏହି କ୍ରମରେ ପ୍ରଥମ ପର୍ଯ୍ୟାୟ ଅନ୍‌ଲାଇନ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ନେଇ ରବିବାର ବାଲେଶ୍ବର ସଂସ୍କରଣରେ ଦ୍ବିତୀୟ ପର୍ଯ୍ୟାୟ ଅଫ୍‌ଲାଇନ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରୁ ୭୩ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସକାଳ ୧୦. ୩୦ରୁ ପରୀକ୍ଷା ଆରମ୍ଭ ହୋଇ ୧୧. ୩୦ ମିନିଟ୍‌ରେ ଶେ‌ଷ ହୋଇଥିଲା। ଏହି ଅବସରରେ ଏକ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ଗୌତମ ଶଙ୍କର ସ୍ବାଇଁଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋ‌ଷ କୁମାର ତ୍ରିପାଠୀ ଯୋଗ ଦେଇ ଜୀବନରେ ପାସ୍‌ ଫେଲ୍‌କୁ ବିଚାର ନ କରି ସବୁ ପରୀକ୍ଷାକୁ ସାମ୍ନା କରିବା ଉଚିତ ବୋଲି କହିଥିଲେ। ପରୀକ୍ଷାରୁ ଆମେ ନିଜର ଦକ୍ଷତା ପ୍ରମାଣିତ କରିପାରିବା ଏବଂ ଆଗକୁ ବଢ଼ିବାରେ ଏହି ପରୀକ୍ଷା ବେଶ୍‌ ସହାୟକ ହୋଇଥାଏ। ଜଣେ ଭଲ ବିଦ୍ୟାର୍ଥୀ ହେବା ପାଇଁ ଏକାଗ୍ରତା ସହିତ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନିହାତି ଆବଶ୍ୟକ ବୋଲି ଛାତ୍ରଛାତ୍ରୀଙ୍କୁ ପ୍ରଫେସର ତ୍ରିପାଠୀ କହିଥିଲେ। ସମ୍ମାନିତ ଅତିଥି ଭାବେ କନକ ନ୍ୟୁଜ୍‌ ଇନ୍‌ପୁଟ୍‌ ହେଡ୍‌ ସ୍ବୟମ୍‌ପ୍ରକାଶ ମହାପାତ୍ର ଓ କେଏମ୍‌ବିବି କଲେଜର ବରିଷ୍ଠ ଅଧ୍ୟାପକ ପବିତ୍ର କୁମାର ପାଲ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ମତବ୍ୟକ୍ତ କରିଥିଲେ। ଏହି ମେଧାବୃତ୍ତି ପରୀକ୍ଷାରେ ବାଲେଶ୍ବରରୁ ଛାତ୍ର ତାରାନିବାସ ଜେନା, ମୟୂରଭଞ୍ଜରୁ ଛାତ୍ର ଓମ୍‌କାର ରଥ ଓ ଭଦ୍ରକରୁ ଛାତ୍ର ସୌମ୍ୟରଂଜନ ମହାନ୍ତି ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ୫ ହଜାର ଟଙ୍କା ଲେଖାଏ ପୁରସ୍କାର ପାଇଥିଲେ। ଏହି ପରୀକ୍ଷା ଦେଇ ଛାତ୍ରଛାତ୍ରୀମାନେ ଖୁସି ହୋଇଥିବା ବେଳେ ଏହା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବେଳେ ସେମାନଙ୍କ ପାଇଁ ଉପଯୋଗୀ ହେବ ବୋଲି କହିଥିଲେ। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା‌ରେ ସହଯୋଗ କରିଥିଲେ।

ସୂଚନାଥାଉକି, ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ଦିଗରେ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ କେଏମ୍‌ବିବି ବିଜ୍ଞାନ ଉଚ୍ଚ ମାଧ୍ୟମିକ ସ୍କୁଲ୍‌ ଏବଂ ସମ୍ବାଦ ପକ୍ଷରୁ ସାରା ରାଜ୍ୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରଙ୍କୁ ନେଇ ବ୍ରଜବନ୍ଧୁ ମେଧାବୃତ୍ତି ପରୀକ୍ଷା ଏକାଧିକ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥାଏ। ଅନ୍ତିମ ପର୍ଯ୍ୟାୟ ପ୍ରତିଯୋଗିତାରେ ଯେଉଁମାନେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିବେ, ସେମାନଙ୍କୁ ଯଥାକ୍ରମେ ୫୦ ହଜାର, ୨୫ ହଜାର ଓ ୧୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର