ଝାରସୁଗୁଡ଼ା: କଳାହୀରାର ନଗରୀ ଝାରସୁଗୁଡ଼ାର ବ୍ରଜରାଜନଗର ଏବେ ଅପରାଧୀଙ୍କ ଚରାଭୂଇଁ। କେତେବେଳେ କୋଇଲା ବ୍ୟବସାୟ, କେତେବେଳେ ଟେଣ୍ଡର ଫିକ୍ସିଂ ତ ଆଉ କେତେବେଳେ ରାଜନୀତି ପାଇଁ ଗଡ଼ୁଛି ମୁଣ୍ଡ। ନିକଟରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଏହି ପ୍ରସଙ୍ଗକୁ ପୁଣିଥରେ ଉଜ୍ଜୀବିତ କରିଦେଇଛି। ଗତ ଦୁଇ ଦଶନ୍ଧିର ଏକ ଚିତ୍ରକୁ ଆଖି ଆଗକୁ ନେଲେ ଝାରସୁଗୁଡ଼ାରେ ୮ଟି ହାଇପ୍ରୋଫାଇଲ୍ ମର୍ଡର ହୋଇଛି। ୧୯୯୯ ମସିହା ଏପ୍ରିଲ୍ ୯ ତାରିଖରେ ବ୍ରଜରାଜନଗରରେ କୋଇଲା ଖଣିର ଟେଣ୍ଡର କାର୍ଯ୍ୟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଥିଲା। ଏହି ଘଟଣାରେ ଗୋଟିଏ ଗୋଷ୍ଠୀର ଆକ୍ରମଣରେ ତତ୍କାଳୀନ ସହର କଂଗ୍ରେସ ସଭାପତି ବୁଲୁ ଦାସଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଗୁଳିମାଡ଼ରୁ ବର୍ତ୍ତି ଯାଇଥିଲେ କାନ୍ତା ଦାସ। ଠିକ୍ ୪ ବର୍ଷ ପରେ ଅର୍ଥାତ୍ ୨୦୦୩ ମେ ୩ ତାରିଖରେ ତତ୍କାଳୀନ ଜିଲ୍ଲା କଂଗ୍ରେସ ସଭାପତି ତଥା କୋଇଲା ବ୍ୟବସାୟୀ ସାମୁ କେଡ଼ିଆଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ୍‌ କାନ୍ତା ଦାସଙ୍କୁ ଗିରଫ କରିଥିଲା।

Advertisment

ମାତ୍ର କାନ୍ତାଙ୍କୁ କୋର୍ଟ ଚାଲାଣ କରିବା ସମୟରେ ୨ ଅଜ୍ଞାତ ଦୁର୍ବୃତ୍ତ ଆସି କୋର୍ଟ ସମ୍ମୁଖରେ ବୋମା ମାଡ଼କରି ତାଙ୍କୁ ହତ୍ୟା କରିଥିଲେ। କେଇ ଘଣ୍ଟା ଭିତରେ ବୋମା ମାଡ଼ କରିଥିବା ଉଭୟ ଦୁର୍ବୃତ୍ତଙ୍କୁ ପୁଲିସ୍ ଏନ୍‌କାଉଣ୍ଟରରେ ମାରିଥିଲା। ଫଳରେ, ସେହିଠାରେ ହିଁ ଉକ୍ତ ମାମଲାର ଯବନିକା ପଡ଼ିଥିଲା। ଯଦିଓ ପରବର୍ତ୍ତୀ ସମୟରେ ଏହି ହତ୍ୟାକାଣ୍ଡର ଫାଇଲ୍‌ ପୁଣିଥରେ ଖୋଲିବା ପାଇଁ ଅନେକ ଦାବି ହୋଇଥିଲା, ତଥାପି କୌଣସି ସୁଫଳ ମିଳିନଥିଲା। ୨୦୦୮ ମସିହା ଅଗଷ୍ଟ ୧୫ ତାରିଖ ରାତିରେ କୋଇଲା ବ୍ୟବସାୟୀ ସ୍ବରୂପ ଦାସଙ୍କୁ ବ୍ରଜରାଜନଗରର ମନ୍ଦଲିଆଠାରେ ଅତର୍କିତ ଭାବେ ଗୁଳିକରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ୍ ଗ୍ୟାଙ୍ଗଷ୍ଟର ବିକ୍ରମ ମଲ୍ଲିକ ଓ ସହଯୋଗୀ ସୁଶୀଳ ବେହେରାକୁ ଗିରଫ କରିଥିଲା। ଏହାର ୨ ବର୍ଷ ନପୂରୁଣୁ ୨୦୧୦ ଜୁନ୍ ୨୪ ତାରିଖରେ ବ୍ରଜରାଜନଗରର ଟନେଲ୍ ରୋଡରେ କୋଇଲା ବ୍ୟବସାୟୀ ଅର୍ଜୁନ୍ ସିଂହଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା।

ମନ୍ତ୍ରୀଙ୍କୁ ହତ୍ୟାପରେ ଏହିସବୁ ଘଟଣାକୁ ନେଇ ଚର୍ଚ୍ଚା
୩ ମାମଲା ଏବେ ବି ରହସ୍ୟାବୃତ୍ତ
ବନ୍ଧୁକ, ବୋମା ଆସୁଛି କୁଆଡ଼ୁ?

ବେଶ୍ କେଇବର୍ଷ ବ୍ୟବଧାନ ପରେ ୨୦୧୯ ମସିହା ଜୁନ୍ ୪ ତାରିଖରେ ବ୍ରଜରାଜନଗର ବସ୍‌ଷ୍ଟାଣ୍ଡ୍‌ ନିକଟରେ ଅମିତ ଧଳଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ଘଟଣାର ପ୍ରତିଶୋଧ ନେବାକୁ ଯାଇ ସେହିବର୍ଷ ନଭେମ୍ବର ୫ ତାରିଖରେ ବ୍ରଜରାଜନଗର ଷ୍ଟେସନ୍ ସମ୍ମୁଖରେ କୁଖ୍ୟାତ ଅପରାଧୀ ସୋନୁ ଘୋଷର ଭାଇ ମଣ୍ଟୁକୁ ଗୁଳିକରି ହତ୍ୟା କରାଯାଇଥିଲା। ଗତ ଜାନୁଆରି ୨୯ ତାରିଖରେ ପୁଣି ଏହି ବ୍ରଜରାଜନଗରରେ ହିଁ ତତ୍କାଳୀନ ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟା ଅଭିଯୁକ୍ତକୁ ପୁଲିସ୍‌ ଗିରଫ କରିଛି। ମାତ୍ର ଏହି ହତ୍ୟାକାଣ୍ଡର କାରଣ ବି ଏଯାଏ ପୁଲିସ୍‌ ତଦନ୍ତ ଭିତରେ ରହିଯାଇଛି।
ଗୁରୁତ୍ବପୂର୍ଣ୍ଣ ହେଉଛି ଏହା ମଧ୍ୟରୁ ୩ ମାମଲା ଏବେ ବି ରହସ୍ୟାବୃତ୍ତ ହୋଇ ରହିଯାଇଛି। ଏହାକୁ ବାଦ୍‌ ଦେଇ ଏହି ଅବଧି ମଧ୍ୟରେ ୧୦ରୁ ଅଧିକ ବଡ଼ ଗ୍ୟାଙ୍ଗୱାର୍ ଓ ବ୍ୟବସାୟିକ ଶତ୍ରୁତାଜନିତ ହତ୍ୟାକାଣ୍ଡ ବି ଦେଖିବାକୁ ମିଳିଛି। ହାତ ପାଆନ୍ତାରେ ବେଆଇନ ବନ୍ଧୁକ, ଗୁଳି, ବୋମା ମିଳିବା ଏହିସବୁ ହତ୍ୟାକାଣ୍ଡର ଅନ୍ୟତମ କାରଣ ବୋଲି ବି କୁହାଯାଉଛି। ତେବେ, ବନ୍ଧୁକ ଓ ବୋମା ଆସୁଛି କେଉଁଠି ବୋଲି ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।