ବ୍ରଜରାଜନଗର ଉପନିର୍ବାଚନ: ହାତରେ ଆଉ ଦୁଇ ଦିନ, ହଜି ଯାଇଛି ନେତାଙ୍କ ନିଦ

ଝାରସୁଗୁଡ଼ା: ଆସନ୍ତା ୩୧ ତାରିଖ ଦିନ ବ୍ରଜରାଜନଗର ଉପନିର୍ବାଚନ ଲାଗି ଭୋଟ୍‌ ଗ୍ରହଣ ହେବ। ୨୯ ତାରିଖ ସନ୍ଧ୍ୟାରେ ପ୍ରଚାର ଅଭିଯାନ ଶେଷ ହେବ। ଫଳରେ ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କୁ ପ୍ରଚାର ପାଇଁ ଆଉ ହାତରେ ମାତ୍ର ଦୁଇ ଦିନ ସମୟ ରହିଛି। ୨୦ ଦିନ ଧରି ଏଥିପାଇଁ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଏବେ ଅନ୍ତିମ ସମୟରେ ଏହା ଅଧିକ ତୀବ୍ର ହୋଇଛି। ବ୍ରଜରାଜନଗର ଉପନିର୍ବାଚନ ପାଇଁ ଏବେ ଝାରସୁଗୁଡ଼ା ଜିଲ୍ଲା ଉଠୁଛି ପଡ଼ୁଛି। ମାଳ ମାଳ ନେତା ମନ୍ତ୍ରୀ ଏଠାରେ ଡେରା ପକାଇଥିବା ବେଳେ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ କମିସନ ଦ୍ବାରା ନିଯୁକ୍ତ ପର୍ଯ୍ୟବେକ୍ଷକମାନେ ଆସି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ସେହିପରି ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌, ଷ୍ଟେଟ୍‌ ଆର୍ମଡ୍‌ ଫୋର୍ସ‌୍  ବାହିନୀ ଆସି ପହଞ୍ଚି ଯାଇଛନ୍ତି। ଜିଲ୍ଲାପାଳ ଓ ଏସ୍‌ପିଙ୍କ ତତ୍ତ୍ବାବଧାନରେ ବିଭିନ୍ନ ସହର ଓ ବ୍ଲକ ମୁଖ୍ୟାଳୟରେ ପୁଲିସ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହେଉଛି। ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନେ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ପ୍ରଚାର ଅଭିଯାନକୁ ତ୍ବରାନିତ କରିଛନ୍ତି। ପ୍ରଚଣ୍ଡ ଖରାତାତିକୁ ଖାତିର ନକରି ନେତା, ମନ୍ତ୍ରୀ ଓ କର୍ମୀ ରାତିଦିନ ଏକ କରି ଦେଇଛନ୍ତି। ଗାଁ ଗଣ୍ଡା, ଆମ୍ବତୋଟା, ନଦୀପଠା ଯେଉଁଠି ଦେଖ ରାଜନୈତିକ ଦଳ ତାଙ୍କର କର୍ମୀ ସମ୍ମିଳନୀ ଚାଲିଛି।

ଏହି ନିର୍ବାଚନ ଶାସକ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ବିଜେପି ଓ କଂଗ୍ରେସ ମଧ୍ୟ ଆସନକୁ ହାତେଇବାକୁ ଉଦ୍ୟମ ଜାରି ରଖିଛନ୍ତି। ସିପିଆଇ ମଧ୍ୟ ନିର୍ବାଚନରେ ପ୍ରଚାର ଆଗେଇ ଚାଲିଛି। ତେବେ ବିଜେଡିର ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା ଓ କଂଗ୍ରେସର କିଶୋର ଚନ୍ଦ୍ର ପଟେଲଙ୍କ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେବା ପ୍ରାୟ ଥୟ ହୋଇଛି। ତିନିଦଳ ପ୍ରଚାରରେ କେହି କାହାଠାରୁ କମ୍‌ ନଥିବା ଦେଖିବାକୁ ମିଳୁଛି। ସବୁ ଦଳର ତାରକା ପ୍ରଚାରକ ତାଙ୍କ ପ୍ରାର୍ଥୀଙ୍କ ପାଇଁ ଘନଘନ ପ୍ରଚାର କରୁଛନ୍ତି। ବିଜେଡି ପ୍ରଚାରରେ ମନ୍ତ୍ରୀ, ବିଧାୟକ, ସାଂସଦ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ, ନିଗମ ଅଧ୍ୟକ୍ଷ, ବିଭିନ୍ନ ଛାମୁଆ ସଂଗଠନର କର୍ମକର୍ତ୍ତା ଓ ତାଙ୍କ ସମର୍ଥକଙ୍କୁ ନିୟୋଜିତ କରିଛି। ପ୍ରତି ପଞ୍ଚାୟତରେ ଜଣେ ଜଣେ ମନ୍ତ୍ରୀ ବିଧାୟକଙ୍କୁ ଅବସ୍ଥାପିତ କରିଛି। ଏମାନେ ଭିନ୍ନଭିନ୍ନ ଗୋଷ୍ଠୀରେ ପ୍ରଚାର କରୁଛନ୍ତି। ମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ଉପସ୍ଥିତିରେ ପ୍ରତିଦିନ ଗୋଟିଏ ଦୁଇଟି ମହିଳା ସମାବେଶ ଅନୁଷ୍ଠିତ ହେଉଛି।

ଏଥିରେ ବିଜେଡି ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ଅରୁଣ ସାହୁ, ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ସମୀର ଦାସ, ମନ୍ତ୍ରୀ ବିକ୍ରମ ଆରୁଖ, ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ଟୁକୁନି ସାହୁ, ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା, ଅତନୁ ସବ୍ୟସାଚୀ ନାୟକ, ଦେବୀ ମିଶ୍ର, ପର୍ଯ୍ୟବେକ୍ଷକ ତଥା କଟକ ମେୟର ସୁବାସ ସିଂହ, ସହ ପର୍ଯ୍ୟବେକ୍ଷକ ବିଷ୍ଣୁ କେଡ଼ିଆ ପ୍ରମୁଖ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଅନ୍ୟପଟେ ସ୍ନେହାଂଗ୍ନିନୀ ଛୁରିଆ, ଦୀପାଳି ଦାସ, ରୀତା ସାହୁ ପ୍ରମୁଖ ମହିଳାମାନଙ୍କୁ ସଂଗଠିତ କରି ପ୍ରଚାର କାର୍ଯ୍ୟରେ ଲାଗିଛନ୍ତି। ମନ୍ତ୍ରୀ ନବ ଦାସ ସଂପୂର୍ଣ୍ଣ ପ୍ରଚାର କାର୍ଯ୍ୟ ତଦାରଖ କରୁଥିବା ଦେଖା ଯାଇଛି। କଂଗ୍ରେସ ପକ୍ଷରୁ ମଧ୍ୟ ସମାନ ଢଙ୍ଗରେ ପ୍ରଚାର କାର୍ଯ୍ୟ ପରିଚାଳନା କରାଯାଉଛି। ଏଆଇସିସି ସାଧାରଣ ସଂପାଦକ ତଥା ରାଜ୍ୟ ପ୍ରଭାରୀ ଚେଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ବିଧାୟକ  ନରସିଂହ ମିଶ୍ର, ଯଜ୍ଞେଶ୍ବର ବାବୁ , ବିଧାୟକ ସନ୍ତୋଷ ସିଂ ସାଲୁଜା, ବିଧାୟକ ରାଜନ ଏକ୍କା, ବିଜୟଲକ୍ଷ୍ମୀ ସାହୁ, ବିଧାୟକ ସୁର ରାଉତରାୟ, ତାରା ପ୍ରସାଦ ବାହିନୀପତି ପ୍ରମୁଖ ନିର୍ବାଚନ ପରିଚାଳନା କରୁଥିବା ଜଣାଯାଇଛି।

ବିଜେପି ପକ୍ଷରୁ ମଧ୍ୟ ସେଇଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ପ୍ରଚାର କରି ଫେରି ଯାଇଥିବା ବେଳେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟସଭା ସାଂସଦ ବିଜୟ ସିଂ ତୋମାର, ବିଧାୟକ ଜୟନାରାୟଣ ମିଶ୍ର, ସାଂସଦ ସୁରେଶ ପୂଜାରୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପ୍ରତାପ ଷଡ଼ଙ୍ଗୀ, ବିଧାୟକ କୁସୁମ ଟେଟେ, ଖାରବେଳ ସ୍ବାଇଁ, ବିଧାୟକ ମୋହନ ମାଝୀ, ପୂର୍ବତନ ବିଧାୟକ ତଥା କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, କନକ ବର୍ଦ୍ଧନ ସିଂହଦେଓ, ପିଙ୍କି ପ୍ରଧାନ, ସାଂସଦ ବସନ୍ତ ପଣ୍ଡା, ବିଧାୟକ ଶଙ୍କର ଓରାମ, ବିଧାୟକ ନାଉରୀ ନାୟକ, ଭୋଜପୁରୀ ଅଭିନେତା ତଥା ଉତ୍ତର ପ୍ରଦେଶ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଦୀନେଶ ଲାଲ ଯାଦବ ପ୍ରମୁଖ  ଡେରା ପକାଇ ପ୍ରଚାର କାର୍ଯ୍ୟ ପରିଚାଳନା କରୁଛନ୍ତି। ସେହିପରି ସିପିଆଇ ପ୍ରାର୍ଥୀ ରମେଶ ତ୍ରିପାଠୀ ସିପିଆଇ କର୍ମୀ ଓ ବିଭିନ୍ନ ଟ୍ରେଡ଼୍‌ ୟୁନିୟନ୍‌ ସଦସ୍ୟ ମାନଙ୍କୁ ନେଇ ପ୍ରଚାର ଓ ରୋଡ଼୍‌ ସୋ’ କରୁଥିବା ଜଣାଯାଇଛି। ସ୍ବାଧୀନ ପ୍ରାର୍ଥୀ ଆଦିତ୍ୟ ପ୍ରଧାନ ତାଙ୍କ ସମର୍ଥକମାନଙ୍କୁ ନେଇ ଘରକୁ ଘର ଓ ହାଟବଜାର ବୁଲି ପ୍ରଚାର କରୁଥିବା ବେଳେ ଆଉ ଜଣେ ସ୍ବାଧୀନ ପ୍ରାର୍ଥୀ ସୁପ୍ରୀତ ବେହେରା  ତାଙ୍କ ବାପା ଓ ପତ୍ନୀଙ୍କ ସହିତ କିଛି ସମର୍ଥକଙ୍କୁ ନେଇ ପ୍ରଚାର କରୁଥିବା ଦେଖା ଯାଇଛି। ‌ପ୍ରଚାରକୁ ଆଉ ମାତ୍ର ୨ ଦିନ ଥିବା ବେଳେ ଏବେ ନେତାଙ୍କ ନିଦ ହଜି ଯାଉଥିବା ଦେଖା ଯାଇଛି।

ସମ୍ବନ୍ଧିତ ଖବର