ସ୍ମୃତିରେ ବ୍ରଜରାଜନଗର ନିର୍ବାଚନ: ପରାଜୟ ପରେ ବି ବିଜୟର ଖୁସି

ବ୍ରଜରାଜନଗର, (ଉପନଚରଣ ସାହୁ) : ନିର୍ବାଚନରେ ପରାଜୟକୁ କେହି କେବେ ସହଜରେ ଗ୍ରହଣ କରି ନଥା’ନ୍ତି। ସେ ପାର୍ଟି ହେଉ ବା ପ୍ରାର୍ଥୀ। ନିର୍ବାଚନରେ ବିଜୟର ସ୍ବାଦ ଚାଖିବା ସମସ୍ତଙ୍କର ଗୋଟିଏ ସ୍ବପ୍ନ। ହେଲେ; ବ୍ରଜରାଜନଗରରେ ଏମିତି ଏକ ଘଟଣା ଘଟିଥିଲା, ତାହା ମନେପଡ଼ିଲା ମାତ୍ରକେ ଦୁଇଜଣ ନେତାଙ୍କ ଚେହେରା ଭାସିଆସ‌େ। ସେମାନଙ୍କ ପାଟି‌ରୁ ଆପେଆପେ ବାହାରିଆସେ, ସେ‌ତେବେଳେ ଏମିତି ବି ଦିନଥିଲା। ରାଜନୀତି‌ରେ ବି ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ‘ପରାଜୟ ପରେ ବି ବିଜୟର ଖୁସି’ କେମିତି ମନାଯାଇପାରେ ବ୍ରଜରାଜନଗର ହେଲଛି ଏହାର ଏକ ଜ୍ବଳନ୍ତ ଉଦାହରଣ, ଯେଉଁଠି ଉପନିର୍ବାଚନର ଉଷ୍ମତା ଗ୍ରୀଷ୍ମ ପ୍ରବାହର ଉଷ୍ମତାକୁ ବଳି ଯାଇଛି। ସବୁ ଦଳର ନେତା ଗାଁ ଗାଁ ବୁଲି ଭୋଟ୍‌ ମାଗୁଛନ୍ତି। ନିର୍ବାଚନରେ କିଏ ବାଜି ମାରିବେ, ତାହାକୁ ନେଇ ସବୁଠି ଚର୍ଚ୍ଚା।

ଦୁଇ ନେତାଙ୍କ ମଧ୍ୟରୁ ଜଣେ ହେଉଛନ୍ତି, ଡ.ଭବାନୀ ଦୀକ୍ଷିତ। ଶ୍ରୀ ଦୀକ୍ଷିତ କଂଗ୍ରେସ ଟିକେଟ୍‌ରେ ଦୁଇଥର ନିର୍ବାଚନ ଲଢ଼ିଥିଲେ ମଧ୍ୟ ତାଙ୍କୁ ପରାଜୟ ସ୍ବାଦ ଚାଖିବାକୁ ପଡ଼ିଛି। ପ୍ରଥମେ ୧୯୮୫ ମସିହା ଓ ଏହାର ୧୦ ବର୍ଷ ପରେ ୧୯୯୫ରେ ନିର୍ବାଚନ ଲଢ଼ିଥିଲେ। ଦୁଇଥର ତାଙ୍କର ପ୍ରତିଦ୍ବନ୍ଦ୍ବୀ ଥିଲେ ସେସମୟର ସିପିଆଇ ନେତା ପ୍ରସନ୍ନ ପଣ୍ଡା। ଶ୍ରୀ ପଣ୍ଡା ୬ ଥର ସିପିଆଇ ଟିକେଟ୍‌ରେ ବିଜୟୀ ହୋଇଥିଲେ। ୧୯୯୫ ଥିଲା ତାଙ୍କର ଶେଷ ନିର୍ବାଚନ ଲଢ଼େଇ।

ଏହି ନିର୍ବାଚନରେ ସମସ୍ତଙ୍କୁ ଚକିତ କଲାଭଳି ଏକ ଘଟଣା ଘଟିଥିଲା। ସେତେବେଳେ କଂଗ୍ରେସ ପକ୍ଷରୁ ଶ୍ରୀ ଦୀକ୍ଷିତଙ୍କୁ ଦ୍ୱିତୀୟଥର ପାଇଁ ପ୍ରାର୍ଥୀ କରାଯାଇଥିଲା। ଘମାଘୋଟ ପ୍ରଚାର ବି ଚାଲିଥିଲା। କଂଗ୍ରେସ ଓ ଜନତା ଦଳ ଭିତରେ ସମଗ୍ର ରାଜ୍ୟରେ ଜୋରଦାର ଟକ୍କର। କିନ୍ତୁ, ବ୍ରଜରାଜନଗରରେ ସିପିଆଇ ଓ ଶ୍ରୀ ପଣ୍ଡାଙ୍କ ପ୍ରଭାବ ଆଗରେ ଉଭୟ ଦଳ ଥିଲେ ନିଷ୍ପ୍ରଭ। ବ୍ରଜରାଜନଗର ଆସନକୁ ହାତେଇବାକୁ କଂଗ୍ରେସ ଜୋରଦାର ପ୍ରୟାସ ଚଳାଇଥିଲା। ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଣ୍ଡେଇକେଲା ଗ୍ରାମରେ ୨ଟି ବୁଥ୍‌ ଥାଏ। ଏହି ଗ୍ରାମ ସବୁ ସମୟରେ ସିପିଆଇକୁ ସମର୍ଥନ ଦେଇ ଆସୁଥିଲେ। କିନ୍ତୁ ସେହି ନିର୍ବାଚନରେ କାହିଁକି କେଜାଣି ଗ୍ରାମର କିଛିଲୋକ ଶ୍ରୀ ପଣ୍ଡାଙ୍କ ଉପରେ ଖପ୍ପା ଥିଲେ। ଦିନେ ସନ୍ଧ୍ୟାରେ ଶ୍ରୀଦୀକ୍ଷିତ ଉକ୍ତ ଗଁାରେ ନିର୍ବାଚନ ପ୍ରଚାରରେ ପହଞ୍ଚିଥିଲେ। ସେଠି କଂଗ୍ରେସ ପକ୍ଷରୁ ଏକ ସଭାର ଆୟୋଜନ କରାଯାଇଥିଲା। ଗ୍ରାମରେ ପହଞ୍ଚିବା ପରେ ତାଙ୍କୁ  ଭବ୍ୟ ସ୍ୱାଗତ କରିଥିଲେ ଗ୍ରାମବାସୀ। ଫୁଲହାରରେ ଲୋକେ ପୋତିଦେଲା ଭଳି ଅନୁଭବ କରିଥିଲେ। ଆଉ ଜୋସ୍‌ ଏମିତି ଥିଲା ଥିଲା ଯେ (ବୁଢ଼ା) ପ୍ରସନ୍ନବାବୁଙ୍କୁ ଏଥର ଭୋଟ ଦେବେନାହିଁ ବୋଲି ନିଷ୍ପତ୍ତି ନେଇଥିବା କିଛି ଲୋକ କହିଥିଲେ। ଲୋକମାନଙ୍କ ଏହି ମନ୍ତବ୍ୟ କିନ୍ତୁ ଶ୍ରୀଦୀକ୍ଷିତଙ୍କୁ ଆଘାତ ଦେଇଥିଲା। ସେ ସେଠାରେ କିଛି ନକହି ଅନ୍ୟ ଗ୍ରାମକୁ ପ୍ରଚାରରେ ଚାଲିଯାଇଥିଲେ। ସେଦିନ କିନ୍ତୁ ତାଙ୍କୁ କିଛି ଭଲ ଲାଗି ନଥିଲା। ଯେଉଁ ମାଟିପାଇଁ ପ୍ରସନ୍ନବାବୁ ଏତେ କାମ କରିଛନ୍ତି। ଯେଉଁ ମାଟିର ଲୋକଙ୍କ ପାଇଁ ସେ ଏତେ ଲଢ଼େଇ କରିଛନ୍ତି, ତାଙ୍କୁ ଏପରି କହିବାକୁ ସେ ସହଜରେ ଗ୍ରହଣ କରିପାରି ନଥିଲେ। ସେ ସମ୍ବଲପୁର ଯାଇ ଏହି କଥା ସେ ସମୟର ସିପିଆଇ ନେତା ପ୍ରଫେସର ଦୁର୍ଗା ନାୟକଙ୍କୁ କହିଥିଲେ। ପରଦିନ ଦୁର୍ଗାବାବୁ କଣ୍ଢେଇକେଲା ଯାଇ ୩ ଦିନ ସେଠାରେ ରହି ଲୋକଙ୍କ ଅସନ୍ତୋଷ ଦୂର କରିଥିଲେ।

ଶ୍ରୀ ଦୀକ୍ଷିତ ତାଙ୍କ ପ୍ରତିଦ୍ବନ୍ଦ୍ବୀ। ଚାହିଁଥିଲେ ଏହି ଅସନ୍ତୋଷରୁ ସେ ଫାଇଦା ଉଠାଇ ପାରିଥାନ୍ତେ। ହେଲେ, ସେ ସିପିଆଇ ଓ ପ୍ରସନ୍ନବାବୁଙ୍କ ପ୍ରତି ଥିବା ଅସନ୍ତୋଷ ଦୂର କରିବାକୁ ଚେଷ୍ଟା କରିଥିଲେ। ପୂଜ୍ୟପୂଜା ଓ ମାଟିର ଗର୍ବକୁ ସମ୍ମାନ ଦେବା ପରମ୍ପରା କେବଳ ବ୍ରଜରାଜନଗର ମାଟିରେ ଦେଖିବାକୁ ମିଳେ ବୋଲି ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ। ଏଠି ନିର୍ବାଚନ ମାଟିର ବିକାଶ ପାଇଁ ଲଢ଼ାଯାଏ, ଏହା ଏହି ମାଟିର ପରମ୍ପରା। ନିର୍ବାଚନ ସମୟରେ ଦେଖାହେଲେ ସେ ପ୍ରସନ୍ନବାବୁଙ୍କ ପାଦ ଛୁଇଁ ନମସ୍କାର କରୁଥିଲେ। ଉକ୍ତ ନିର୍ବାଚନରେ ଶ୍ରୀଦୀକ୍ଷିତ ଅଳ୍ପ ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଥିଲେ। ଉକ୍ତ ଗାଁର ଭୋଟ୍‌ ହାସଲ କରିପାରିଥିଲେ ହୁଏତ ସେ ବିଜୟୀ ହୋଇପାରିଥାନ୍ତେ। କିନ୍ତୁ ପ୍ରସନ୍ନବାବୁଙ୍କ ଭଳି ଜଣେ ସଂଗ୍ରାମୀନେତାଙ୍କୁ ଏପରି ଶବ୍ଦ କହି ଅଞ୍ଚଳବାସୀଙ୍କ ସେବାରୁ ବଞ୍ଚିତ କରିବା ତାଙ୍କୁ ଠିକ୍‌ ଲାଗି ନଥିଲା। ତେଣୁ ସେ ଏ କଥା ପ୍ରତିଦ୍ବନ୍ଦ୍ବୀ ଦଳର ନେତାଙ୍କୁ କହିଥିଲେ। ନିର୍ବାଚନ ପରେ ପ୍ରସନ୍ନ ବାବୁ ପ୍ରତିଦ୍ବନ୍ଦ୍ବୀଙ୍କୁ କହିଥିଲେ, ମୁଁ ଜିତିଥିଲେ ମଧ୍ୟ ପ୍ରକୃତ ବିଜୟ ତୋର ଥିଲା । ପ୍ରସନ୍ନବାବୁଙ୍କ ହୃଦୟକୁ ଏମିତି ଜିତିବା ପରେ ଶ୍ରୀ ଦୀକ୍ଷିତ କହିଥିଲେ, ‘ଏହି ଖୁସି ନିର୍ବାଚନ ବିଜୟଠାରୁ କେଇଗୁଣ ଅଧିକ।’

ପ୍ରକାଶ ଥାଉ କି, ଭବାନୀ ଦୀକ୍ଷିତ ହେଉଛନ୍ତି ବ୍ରଜରାଜନଗରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଉପେନ୍ଦ୍ର ଦୀକ୍ଷିତଙ୍କ ପୁତୁରା। ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ପ୍ରଫେସର ଭାବେ ଅଧ୍ୟାପନା କରିା ପରେ ଦିଲ୍ଲୀରେ ରହୁଛନ୍ତି। ସେ ‘ୱାର୍ଲଡ ଫୋକସ୍‌ ଆଣ୍ଡ ସିଏନ୍‌ଏଫ୍‌’ ପତ୍ରିକାର ପରିଚାଳନା ସଂପାଦକ ଅଟନ୍ତି।

ସମ୍ବନ୍ଧିତ ଖବର