ବନ୍ୟା ନିୟନ୍ତ୍ରଣ, ଦେଶକୁ ଆଲୋକିତ କରିବାକୁ ତ୍ୟାଗ ଦେଇଥିବା ବ୍ରଜରାଜନଗର ଆଜି ଉପେକ୍ଷିତ: ଧର୍ମେନ୍ଦ୍ର

ବ୍ରଜରାଜନଗରରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର , ରୋଡ ସୋ’

ବ୍ରଜରାଜନଗର/ଝାରସୁଗୁଡା: ରାଜ୍ୟରେ ହୀରାକୁଦ ଡ୍ୟାମ ନିର୍ମାଣ କରି ବନ୍ୟା ନିୟନ୍ତ୍ରଣ କରିବା, ଜଳସେଚନର ବ୍ୟବସ୍ଥା କରିବା ଏବଂ ଦେଶର ବିଭିନ୍ନ ଅଂଚଳକୁ ଆଲୋକିତ କରିବା ପାଇଁ କୋଇଲାରୁ ବିଦ୍ୟୁତ ଉତ୍ପାଦନ ନିମନ୍ତେ ଅନେକ ଥର ତ୍ୟାଗ ଦେଇଥିବା ବ୍ରଜରାଜନଗର ବର୍ଷ ବର୍ଷ ଧରି ଉପେକ୍ଷିତ ହୋଇ ରହିଛି। ଏଥିପାଇଁ ଓଡ଼ିଶାରେ ୨୨ ବର୍ଷ ଧରି ଶାସନରେ ଥିବା ସ୍ଥାଣୁ ସରକାର ଦାୟୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମଙ୍ଗଳବାର ବ୍ରଜରାଜନଗରରେ ବିଧାୟିକା ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ସମର୍ଥନରେ ମାରାଥନ ନିର୍ବାଚନ ପ୍ରଚାର କରିବା ଅବସରରେ ଏହା କହିଛନ୍ତି। ଲଖନପୁର ବାଗମୁଣ୍ଡାଠାରେ ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ଜନ ସମାବେଶରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ବ୍ରଜରାଜନଗର ଅଂଚଳର ଗୋଟିଏ ଐତିହ୍ୟ ଓ ପରମ୍ପରା ଅଛି। ହୀରାକୁଦ ଡ୍ୟାମ ବ୍ରଜରାଜନଗର ଓ ଲଖନପୁର ଅଧିବାସୀଙ୍କ ତ୍ୟାଗ ବଳରେ ନିର୍ମାଣ ହୋଇଛି। ସେମାନଙ୍କ ତ୍ୟାଗ ବଳରେ ମହାନଦୀରେ ଡ୍ୟାମ୍‌ ନିର୍ମାଣ ହେବାରୁ ଓଡ଼ିଶା ଆଜି ବନ୍ୟାରୁ ସୁରକ୍ଷିତ ହୋଇଛି। ଅନେକ ଅଞ୍ଚଳ ଜଳସେଚିତ ହୋଇଛି। ସେମାନଙ୍କ ବଳିଦାନ କାରଣରୁ ଏ ଅଞ୍ଚଳର କୋଇଲା ଉତ୍ପାଦନ ଯୋଗୁଁ ଓଡ଼ିଶା ଓ ଭାରତବର୍ଷର ଅନେକ ଅଞ୍ଚଳ ଆଲୋକିତ ହେଉଛି। ସେହି ତୁଳନାରେ ଏହି ଅଞ୍ଚଳର ରୋଜଗାର ଓ ଅନ୍ୟାନ୍ୟ ମୌଳିକ ସୁବିଧା ବିକଶିତ ହୋଇପାରି ନାହିଁ। ସ୍ୱାସ୍ଥ୍ୟ ଭିତିଭୂମି ବିପର୍ଯ୍ୟସ୍ତ। ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନାହିଁ । ସ୍ଥାନୀୟ ଅଞ୍ଚଳର ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛି ବୋଲି ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରି କହିଥିଲେ, ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ପଠାଉଥିବା ଟଙ୍କାକୁ ଦଳୀୟ ଆଧାରରେ ବଣ୍ଟାଯାଉଛି। ବିନା ହାତ ଗୁଞ୍ଜାରେ କିଛି କାମ ହେଉନାହିଁ। ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ହିତାଧିକାରୀ ଉତ୍ତମ ସ୍ୱାସ୍ଥ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଏ ସବୁ ଆଜି ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ଚଳିତ ଉପନିର୍ବାଚନରେ ବ୍ରଜରାଜନଗରବାସୀ ଏହାର ଉଚିତ୍ ଜବାବ ଦେବେ ବୋଲି ସେ କହିଛନ୍ତି। ସେହିପରି ସେ କହିଥିଲେ, ଝାରସୁଗୁଡାରେ ୫୩୧ କୋଟି ଟଙ୍କାର ଡିଏମଏଫ୍ ପାଣ୍ଠି ସଂଗ୍ରହ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା କାରଣରୁ ଏଠାରେ ବିନା ଟେଣ୍ଡରରେ କାମ ହେଉଛି।

ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆବାସ ଯୋଜନାରେ ବାସଗୃହ, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଖାଦ୍ୟଶସ୍ୟ, ସୌଭାଗ୍ୟ ଯୋଜନାରେ ବିଜୁଳି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସହ ଅନେକ ଜନକଲ୍ୟାଣକାରୀ ଯୋଜନାର ଲାଭ ମିଳୁଛି। ଲଖନପୁର ଏବଂ ବ୍ରଜରାଜନଗରବାସୀ କେନ୍ଦ୍ର ମୋଦୀ ସରକାରଙ୍କ ଅନେକ ବିକାଶମୂଳକ କାମର ସାକ୍ଷୀ ହୋଇଛି। ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଝାରସୁଗୁଡ଼ା କିଭଳି ଉପକୃତ ହୋଇଛି ସେ ସଂପର୍କରେ କେନ୍ଦ୍ରମନ୍ତ୍ରୀ ତଥ୍ୟ ଉପସ୍ଥାପନ କରିଥିଲେ।

ଏହା ସହିତ ମୋଦୀ ସରକାରରେ ଓଡ଼ିଶା ପ୍ରଥମ ଥର ପାଇଁ ରେଳ ବଜେଟରେ ସର୍ବାଧିକ ୯ ହଜାର ୭୩୪ କୋଟି ଟଙ୍କା ଅନୁଦାନ ପାଇଛି। ତାଳଚେର-ବିମଳାଗଡ଼ ରେଳପଥ ଦ୍ୱାରା ଝାରସୁଗୁଡ଼ା ଓ ବ୍ରଜରାଜନଗରର ଲୋକମାନେ ବିଶେଷ ଉପକୃତ ହେବେ। ବ୍ରଜରାଜନଗରଠାରେ ପୁରୀ-ନ୍ୟୁ ଋଷିକେଶ ଉତ୍କଳ ଏକ୍ସପ୍ରେସ ଓ ପୁରୀ ଲୋକମାନ୍ୟ ତିଲକ ଏକ୍ସପ୍ରେସ ରହଣିର ବ୍ୟବସ୍ଥା ହୋଇଛି। ସେହିପରି ଓଡ଼ିଶାରେ ୬ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଓଡ଼ିଶାରେ ଜାତୀୟ ସଡ଼କପଥ ପ୍ରକଳ୍ପର କାମ ହୋଇଥିବା ସୂଚନା ଦେଇଥିଲେ।

‘କେନ୍ଦ୍ରରୁ ଆସୁଥିବା ଟଙ୍କା ଦଳୀୟ ଆଧାରରେ ବଣ୍ଟାଯାଉଛି’

ଲୋକଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗଠିତ ଡିଏମଏଫ ରାଜ୍ୟ ସରକାରଙ୍କ ପାଇଁ ବାଟବଣା

ଓଡ଼ିଶାରେ ମୋଦୀ ଶାସନ ଆସିବାର ମୂଳଦୁଆ ପକାଇବ ବ୍ରଜରାଜନଗର

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳିର ରମ୍ପେଲା, ଦଳଗାଁ, ଚାରପାଲି, ଅଢାପରା, ବାଗମୁଣ୍ଡା, ପଂଚଗାଁ, କନକତୋରା ସମେତ ବିଭିନ୍ନ ସ୍ଥାନରେ ପ୍ରଚାର ସହ ବେଲପାହାଡ଼ ପୌରାଞ୍ଚଳ ଓ ବ୍ରଜରାଜନଗର ପୌରାଞ୍ଚଳରେ ରୋଡ ସୋ’ରେ ସାମିଲ ହୋଇଥିଲେ। ଏହ‌ି ଅବସରରେ ସେ କହିଥିଲେ, ଲଖନପୁର ଓ ବ୍ରଜରାଜନଗର ଅଞ୍ଚଳ ପ୍ରତି ମୋର ବିଶେଷ ଶ୍ରଦ୍ଧା ରହିଛି। ସ୍ଥାନୀୟ ଅଧିବାସୀ ଦୀର୍ଘ ବର୍ଷ ଧରି ବିଜେପିକୁ ଆଶୀର୍ବାଦ କରି ଆସିଛନ୍ତି। ଗଣତନ୍ତ୍ରରେ ହକ୍‌, ଅଧିକାର ଓ ନ୍ୟାୟର ଲଢ଼େଇ ପାଇଁ ନେତୃତ୍ୱ ଚୟନ ହୁଏ। ବ୍ରଜରାଜନଗର ଓଡ଼ିଶାରେ ମୋଦୀ ଶାସନ ଆସିବାର ମୂଳଦୁଆ ପକାଇବ। ବ୍ରଜରାଜନଗରବାସୀ ଆମ ଦଳର ନେତ୍ରୀଙ୍କୁ ପଦ୍ମ ଫୁଲରେ ଭୋଟ ଦେଇ ନିଶ୍ଚୟ ଜୟଯୁକ୍ତ କରିବେ। ଓଡ଼ିଶାରେ ମୋଦୀ ପଠାଉଥିବା ଟଙ୍କାର ମୁଖର ସ୍ୱର ବିଜେପି ନେତ୍ରୀ ରାଧାରାଣୀ ପଣ୍ଡା ହେବେ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଉଲ୍ଲେଖନୀୟ ଯେ, ବାଗମୁଣ୍ଡା ଠାରେ ଆୟୋଜିତ ଜନସଭାରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡ଼ି ଜିଲ୍ଲା ସାଧାରଣ ସମ୍ପାଦକ ପୀତାମ୍ବର ମିଶ୍ର, ତାଙ୍କ ଧର୍ମପତ୍ନୀ ଏବଂ ଅନେକ ସମର୍ଥକ ଦଳରେ ମିଶିଥିଲେ । ସେମାନଙ୍କୁ ଦଳରେ ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ କୃତିତ୍ୱ ଉଭୟକୁ ସ୍ୱୀକାର କରି ଦଳରେ ମିଶିଥିବାରୁ ଧନ୍ୟବାଦ ଜଣାଇଥିଲେ ।

ସମ୍ବନ୍ଧିତ ଖବର