ବ୍ରହ୍ମ ବିଭ୍ରାଟ ରିପୋର୍ଟର ଅନୁଧ୍ୟାନ କରିବେ ୩ ଜଣିଆ କମିଟି

ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ

ପୁରୀ: ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ପ୍ରଥମ ବୈଠକ ଆଜି ସଂଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ବୈଠକରେ ୨୦୧୮-୧୯ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପିତ ହୋଇଛି। ୧୮୫ କୋଟି ଟଙ୍କାର ବଜେଟ୍‌ ପ୍ରସ୍ତୁତ ହୋଇଥିବା ବେଳେ ଆୟ ସହ ବ୍ୟୟକୁ ସମାନ ରଖାଯାଇଛି। ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। ୪ ଘଣ୍ଟା ଧରି ଅନୁଷ୍ଠିତ ଏହି ବୈଠକରେ ଘଟ ପରିବର୍ତନ, ଜଷ୍ଟିସ୍‌ ବିପି ଦାସ କମିଟି ରିପୋର୍ଟ ଉପରେ ବି ଆଲୋଚନା ହୋଇଛି। ଏଥିସହ ନାଟମଣ୍ଡପର ମରାମତି ଓ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ବିଭିନ୍ନ ସୁବିଧା ଅସୁବିଧା ଉପରେ ମଧ୍ୟ ବୈଠକରେ ଆଲୋଚିତ ହୋଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା ଗଣମାଧ୍ୟମକୁ ଦେଇଥିବା ସୂଚନା ମୁତାବକ, ଆଜି ୭ଟି ଏଜେଣ୍ଡା ଉପରେ ବୈଠକରେ ଆଲୋଚନା ହୋଇଥିଲା। ପ୍ରଥମେ ଗଜପତି ମହାରାଜ ଦିବ୍ୟସିଂହ ଦେବ ନୂଆ କମିଟିକୁ ସ୍ୱାଗତ କରିବା ପରେ ସେମାନଙ୍କ ଭୂମିକା ସଂପର୍କରେ ଅବଗତ କରାଇଥିଲେ। ଦ୍ଵିତୀୟରେ ଶ୍ରୀମନ୍ଦିର ପରିଚାଳନା କମିଟିର ସବ୍‌କମିଟି ଉପରେ ଆଲୋଚନା ହୋଇଥିଲା। ପୂର୍ବରୁ ୧୧ଟି ସବ୍‌କମିଟି ରହିଥିଲା ବେଳେ ଏହି ସଂଖ୍ୟା ୧୨କୁ ବୃଦ୍ଧି କରାଯାଇଥିଲା। ୧୧ଟି କମିଟିରେ ନୂଆକରି ଅଡିଟ୍‌ ସବ୍‌ କମିଟିକୁ ଯୋଡ଼ାଯାଇଛି। ତୃତୀୟ ପର୍ଯ୍ୟାୟରେ ବଜେଟ୍‌ ଉପସ୍ଥାପନ କରାଯାଇଥିଲା। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୮୫ କୋଟି ୮୦ ଲକ୍ଷ ୯୫ହଜାର ୫୨୮ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ୧୬୯କୋଟି ୫ ଲକ୍ଷ ୫୧ ହଜାର ୮୮୩ ଟଙ୍କା ଆୟ ହୋଇଥିଲା ବେଳେ ୧୬୫ କୋଟି ୪୯ ଲକ୍ଷ ୫ ହଜାର ୫୬୭ ଟଙ୍କା ବ୍ୟୟ ହୋଇଛି। ଆସନ୍ତା ୨୮ ତାରିଖରେ ପୁଣି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ବଜେଟ୍‌ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସ୍ଥିରୀକୃତ ହୋଇଥିଲା। ୩/୪ ଦିନ ଭିତରେ ଅର୍ଥ ସବ୍‌କମିଟିକୁ ବଜେଟ୍‌ ରିପୋର୍ଟ ଦିଆଯିବ। ଅର୍ଥ ସବ୍‌କମିଟି ଏହାର ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ଆସନ୍ତା ୨୮ ତାରିଖରେ ଏ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସ୍ଥିର କରାଯାଇଛି। ବୈଠକରେ ପୂର୍ବତନ ମୁଖ୍ୟ ପ୍ରଶାସକଙ୍କଠାରୁ ହସ୍ତଗତ ନବକଳେବର ଘଟ ପରିବର୍ତନ ସଂକ୍ରାନ୍ତ ରିପୋର୍ଟ ଜଉମୁଦଦିଆ କଭର ପରିଚାଳନା ପରିଷଦ ଆଗରେ ଉପସ୍ଥାପନ କରାଯାଇଥିଲା। ୭ ପୃଷ୍ଠାର ଏହି ରିପୋର୍ଟ ଉପସ୍ଥାପନ ପରେ ପରିଚାଳନା ପରିଷଦ ମତକ୍ରମେ ୩ଜଣିଆ ସବ୍‌କମିଟି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହି ବିଶେଷଜ୍ଞ କମିଟି ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ବସି ରିପୋର୍ଟ ଅନୁଧ୍ୟାନ କରି ପରିଚାଳନା କମିଟିକୁ ରିପୋର୍ଟ ଦେବେ। ରିପୋର୍ଟ ଅନୁଯାୟୀ ପରିଚାଳନା ପରିଷଦ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନେବ ବୋଲି ସ୍ଥିରୀକୃତ ହୋଇଥିଲା। ସେହିପରି ରାଜ୍ୟ ସରକାର ଅନୁମୋଦନ କରି ପରିଚାଳନା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଜଷ୍ଟିସ୍‌ ବିପି ଦାସ କମିଟି ଦେଇଥିବା ଅନ୍ତରୀଣ ରିପୋର୍ଟ ଉପରେ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ସହିତ ଜଡ଼ିତ ରିପୋର୍ଟ ସେବାୟତ ନିଯୋଗ ଓ ସାଧାରଣ ରିପୋର୍ଟ ଛତିଶା ନିଯୋଗ ସାମ୍ନାରେ ଆଲୋଚନା ହେବ। ଆଲୋଚନାର ନିର୍ଯ୍ୟାସ ପରେ ପୁଣି ପରିଚାଳନା ପରିଷଦ ଆଗରେ ଉପସ୍ଥାପନ ପରେ ବିଧିବଦ୍ଧ ନିଷ୍ପତ୍ତି ନିଆଯିବ। ନାଟ ମଣ୍ଡପ ମରାମତି ସଂପର୍କରେ ବି ଆଲୋଚନା ହୋଇଥିଲା। ବହୁଦିନ ହେବ ଅଚଳ ହୋଇ ରହିଥିବା ରତ୍ନମଣ୍ଡପର ସବ୍‌କମିଟିର ଆଜି ପୁନର୍ଗଠନ କରାଯାଇଛି। ଶେଷ ପର୍ଯ୍ୟାୟରେ ଭକ୍ତଙ୍କ ସୁବିଧା ସୁଯୋଗ ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ଭକ୍ତମାନଙ୍କୁ ଜଗମୋହନଙ୍କୁ ଛଡ଼ାଯିବ କି ନାହିଁ ପ୍ରଶ୍ନରେ ଆଗ ରତ୍ନମଣ୍ଡପର ଅନୁଧ୍ୟାନ ପରେ ଏ ଉପରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ଦାସ କହିଥିଲେ। ଆଜିର ବୈଠକରେ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ, ଆରକ୍ଷୀ ଅଧୀକ୍ଷକ ସାର୍ଥକ୍‌ ଷଡ଼ଙ୍ଗୀଙ୍କ ସମେତ ପରିଚାଳନା ପରିଷଦର କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର