କେ.ସଚ୍ଚିଦାନନ୍ଦଙ୍କୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସମ୍ମାନ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୨ତମ ପ୍ରତିଷ୍ଠା ଦିବସ

ବ୍ରହ୍ମପୁର: ବର୍ତ୍ତମାନ ଭାରତର ଅର୍ଥନୀତି ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି। ଏଭଳି ଏକ ଆହ୍ଵାନରୁ ଯୁବ ପିଢ଼ି ସୁଯୋଗ ନେବା ଉଚିତ ବୋଲି ବୋଲି ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୨ତମ ପ୍ରତିଷ୍ଠା ଦିବସ ସମାରୋହରେ ମୁ୍‌ଖ୍ୟ ଅତିଥି ଭାବେ ଯୋଗ ଦେଇ ନାଲ୍‌କୋର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି। ସେ କହିଥିଲେ, ଆସନ୍ତା ସାତ ବର୍ଷ ଭାରତର ଅର୍ଥନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ଏଥିରୁ ସୁଯୋଗ ସୃଷ୍ଟି କରିବାକୁ ପଡ଼ିବ। ବର୍ତ୍ତମାନ ଯୁବପିଢ଼ି ସେଥିପାଇଁ ପ୍ରସ୍ତୁତ ରହିବାକୁ ଆହ୍ଵାନ ସେ ଦେଇଥିଲେ। ବିଶେଷ କରି ବିଶ୍ୱବିଦ୍ୟାଳୟ ଭଳି ଶିକ୍ଷା ଅନୁଷ୍ଠାନ ଗୁଡିକ ମଧ୍ୟ ଏଥିପାଇଁ ସତର୍କ ରହିବାକୁ ହେବ। ସେହି ଢାଞ୍ଚାରେ ପାଠ୍ୟକ୍ରମ ପ୍ରସ୍ତୁତ କରି ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ସମ୍ବଲପୁର ଆଇଆଇଏମ୍‌ର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ, ସମ୍ମାନିତ ଅତିଥି ଭାବେ ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଖ୍ୟାତ କବି ପ୍ରଫେସର କେ.ସଚ୍ଚିଦାନନ୍ଦଙ୍କୁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜାତୀୟ ସମ୍ମାନରେ ସମ୍ନାନିତ କରାଯିବା ସହ ଏକ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରା ଯାଇଥିଲା। ପରିବେଶବିତ୍‌ ପ୍ରଫୁଲ୍ଲ ସାମନ୍ତରାୟଙ୍କୁ ଅଙ୍ଗବସ୍ତ୍ର ଓ ଘୁଡ଼ୁକି ବାଦକ ନୀଳକଣ୍ଠ ତରାଇଙ୍କୁ ଦକ୍ଷିଣ ଓଡ଼ିଶା ଲୋକ ସଂସ୍କୃତି ସମ୍ମାନ ଓ ଲୋକ ସଂସ୍କୃତି ପୁରସ୍କାର ପ୍ରଦାନ ସ୍ୱରୁପ କୋଡ଼ିଏ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରା ଯାଇଥିଲା। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପିଜି ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଶ୍ୱବିଦ୍ୟାଳୟ କୁଳସଚିବ ଶୈଳେନ୍ଦ୍ର କୁମାର ଦ୍ୱିବେଦୀ ବାର୍ଷିକ ବିବରଣୀ ପାଠ କରିଥିଲେ। ଏଥିସହ ବିଶ୍ୱବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ, ଗବେଷକ, ଗବେଷିକାଙ୍କୁ ସ୍ୱର୍ଣ୍ଣ ପଦକ ପୁରସ୍କାର ପ୍ରଦାନ କରା ଯାଇଥିଲା।

ସମ୍ବନ୍ଧିତ ଖବର