ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌ ୨୦୨୦ ତୃତୀୟ ସଂସ୍କରଣର ଶୁଭାରମ୍ଭ

ଲୋଗୋ ଉନ୍ମୋଚିତ

ଭୁବନେଶ୍ବର: ‌ରାଜ୍ୟର ସର୍ବବୃହତ ଗଣମାଧ୍ୟମ ସଂସ୍ଥା ‘ସମ୍ବାଦ ଗ୍ରୁପ୍’ ତରଫରୁ ଉଦ୍ୟୋଗ ଜଗତର ବହୁ ଚର୍ଚ୍ଚିତ ଓ ପ୍ରତୀକ୍ଷିତ ବାର୍ଷିକ ପୁରସ୍କାର ‘ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌ ୨୦୨୦’ର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି। ପ୍ରଥମ ଦୁଇଟି ସଂସ୍କରଣର ବହୁଳ ସଫଳତା ପରେ ତୃତୀୟ ସଂସ୍କରଣ ଆରମ୍ଭ ହୋଇଛି। ଆଜି ସମ୍ବାଦ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଲୋଗୋ ଉନ୍ମୋଚିତ ହୋଇଛି। ସମ୍ବାଦ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ, ମୁଖ୍ୟ ପରିଚାଳନା ଅଧିକାରୀ କମଳାକାନ୍ତ ମହାପାତ୍ର, ଉପ ମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କର, ମୁଖ୍ୟ ମହାପ୍ରବନ୍ଧକ (ବାର୍ତା) ଅରବିନ୍ଦ ଦାସ, ଉପ ମହାପ୍ରବନ୍ଧକ (ବିଜ୍ଞାପନ) କଲ୍ୟାଣେନ୍ଦୁ ନାୟକ, ସହକାରୀ ମହାପ୍ରବନ୍ଧକ (ଅର୍ଥ) ପ୍ରଭାସ କୁମାର ସାହୁ, ଉପ ମହାପ୍ରବନ୍ଧକ (ବାର୍ତା) ଭବାନୀ ଶଙ୍କର ତ୍ରିପାଠୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଓଡ଼ିଶାରୁ ଆରମ୍ଭ ହୋଇ ଦେଶବିଦେଶରେ ଖ୍ୟାତିି ଅର୍ଜନ କରିଥିବା ବ୍ରାଣ୍ଡ୍‌ଗୁଡ଼ିକୁ ସ୍ବୀକୃତି ପ୍ରଦାନ କରିବା ଲାଗି ‘ସମ୍ବାଦ’ର ଏହା ହେଉଛି ଅନନ୍ୟ ପ୍ରୟାସ। ଓଡ଼ିଶାକୁ ଗର୍ବିତ କରିଥିବା ବ୍ରାଣ୍ଡ୍‌ ଓ କଂପାନିର ଅଭିବୃଦ୍ଧି ଉତ୍ସବକୁ ପାଳନ କରିବା ଲାଗି ଏହି ପୁରସ୍କାର ଏକ ବୃହତ ମଞ୍ଚ ପ୍ରଦାନ କରୁଛି। ୨୦୨୦ ଜାନୁଆରି ୧୭ ତାରିଖରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ। ଏଥିପାଇଁ ଅନଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ବର୍ଷ ଯୋଗ୍ୟ ବ୍ରାଣ୍ଡ୍‌ଗୁଡ଼ିକୁ ଅଧିକ ଦକ୍ଷତାର ସହ ଚୟନ କରାଯିବାର ବ୍ୟବସ୍ଥା କରାଯାଇଛି। ସମ୍ବାଦ ପକ୍ଷରୁ ଏ ନେଇ ଏକ ସ୍ବତନ୍ତ୍ର ୱେବ୍‌ସାଇଟ୍‌ www.sambadawards.in ପ୍ରସ୍ତୁତ କରାଯାଇଛି। ଆବେଦନକାରୀମାନେ ପ୍ରତିଯୋଗିତା ଏବଂ ପୁରସ୍କାର ସମ୍ପର୍କିତ ବିସ୍ତୃତ ବିବରଣୀ ଏହି ୱେବ୍‌ସାଇଟ୍‌ରୁ ପାଇପାରିବେ। ଓଡ଼ିଶାରେ ମୁଖ୍ୟ କାର୍ଯ୍ୟାଳୟ ଥିବା, ନିଜର ଉତ୍ପାଦ ଓ ସେବା ରାଜ୍ୟ ତଥା ରାଜ୍ୟ ବାହାରେ ଉପଲବ୍ଧ କରାଇପାରିଥିବା ଏବଂ ଅତି କମ୍‌ରେ ତିନି ବର୍ଷର କାରବାର କରିଥିବା କଂପାନିଗୁଡ଼ିକ ଏହି ପୁରସ୍କାର ଲାଗି ଆବେଦନ କରିପାରିବେ। ‌ପୁରସ୍କାରର କେଉଁ ବର୍ଗ ଲାଗି ଆବେଦନ କରିବେ; ତାହା କଂପାନିଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛି। ସେମାନେ ନିଜ ଆଡୁ ବର୍ଗ ଚୟନ କରି ଆବେଦନ କରିବେ ଏବଂ ସେଥିପା‌ଇଁ ନିଜ ବିଷୟରେ ଆବଶ୍ୟକ ବିବରଣୀ ପ୍ରଦାନ କରିବେ। ଚଳିତ ବର୍ଷ ଏହି ପୁରସ୍କାରକୁ ପାଞ୍ଚଟିି ବର୍ଗରେ ପ୍ରଦାନ କରାଯିବ। ପ୍ରତିବର୍ଷ ଏହି ପୁରସ୍କାରକୁ ନେଇ ଉଦ୍ୟୋଗ ଜଗତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥାଏ। ବହୁ ସଂଖ୍ୟକ ଶିଳ୍ପ ସଂସ୍ଥା ଓ ଉଦ୍ୟୋଗପତି ଏହି ପୁରସ୍କାର ହାସଲ କରିବାକୁ ପ୍ରତିଦ୍ବନ୍ଦ୍ବିତା କରିଥାନ୍ତି।

ସମ୍ବନ୍ଧିତ ଖବର