ଓସିଏଲ୍‌ ଓଡ଼ିଶାରେ ନିଯୁକ୍ତି ସୁଯୋଗକୁ ବ୍ୟାପକ କରିଛି: ଗଣେଶ ଜିରକୁଣ୍ଟଓ୍ଵାର

ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ‘ସମ୍ବାଦ’ କର୍ପୋରେଟ୍‌ ଏକ୍ସଲେନ୍ସ ଆଓ୍ଵାର୍ଡ-୨୦୧୮

ଏହି ପୁରସ୍କାର ସଂପର୍କରେ ଆପଣଙ୍କ ମତ କ’ଣ?
ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରି ରାଜ୍ୟ ବାହାରେ ସୁନାମ ଅର୍ଜନ କରିଥିବା ସଫଳ ଶିଳ୍ପୋଦ୍ୟୋଗୀମାନଙ୍କୁ ସମ୍ମାନିତ କରିବା ‘ସମ୍ବାଦ’ର ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହାଦ୍ୱାରା ଶିଳ୍ପୋଦ୍ୟୋଗୀମାନେ ଉତ୍ସାହିତ ହେବେ ଏବଂ ରାଜ୍ୟରେ ଶିଳ୍ପର ଉନ୍ନତି ହେବ।
ଶିଳ୍ପାୟନର ପ୍ରମୁଖ ଲକ୍ଷ୍ୟ ନିଯୁକ୍ତି, ଏ କ୍ଷେତ୍ରରେ ଓଡ଼ିଶାରେ ଆପଣଙ୍କ କମ୍ପାନିର ଅବଦାନ କେତେ?
୧୯୫୦ରେ ଓସିଏଲ୍‌ ଇଣ୍ଡିଆ ଓଡ଼ିଶାରେ ଶିଳ୍ପ ସ୍ଥାପନ କରିବା ଦିନରୁ ବିଗତ ସାତ ଦଶନ୍ଧି ଧରି ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିଚାଲିଛି। ସ୍ଥାନୀୟ ଲୋକେ ଏହାର ପ୍ରମୁଖ ହିତାଧିକାରୀ। ସ୍ଥାନୀୟ ଯୁବକ-ଯୁବତୀ ଓ ବିଶେଷକରି ଆଦିବାସୀଙ୍କ ପାଇଁ ନିଯୁକ୍ତି ସୁଯୋଗକୁ ବ୍ୟାପକ କରିବା ଲକ୍ଷ୍ୟରେ କମ୍ପାନି ଦକ୍ଷତା ବିକାଶ ତାଲିମକୁ ଗୁରୁତ୍ୱ ଦେଇଛି। ରାଜଗାଙ୍ଗପୁରସ୍ଥିତ ଡାଲମିଆ ଶିଳ୍ପ ତାଲିମ ପ୍ରତିଷ୍ଠାନରେ ସେମାନଙ୍କୁ ବିଭିନ୍ନ ଧନ୍ଦାମୂଳକ ଓ ଶିଳ୍ପ ତାଲିମ ପ୍ରଦାନ କରାଯିବା ସହ ଭବିଷ୍ୟତ ପାଇଁ କ୍ୟାରିଅର କାଉନ୍‌ସେଲିଂ ଦିଆଯାଉଛି। ସ୍ଥାନୀୟ ମହିଳାଙ୍କ ସଶକ୍ତିକରଣ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଜୀବିକା ସହାୟତା କାର୍ଯ୍ୟକ୍ରମ ତ୍ୱରାନ୍ଵିତ କରାଯାଇଛି।
ଓଡ଼ିଶାରେ କମ୍ପାନିର ସ୍ଥିତି ଓ ଭବିଷ୍ୟତ ସମ୍ପର୍କରେ କ’ଣ କହିବେ?
ରାଜଗାଙ୍ଗପୁରରେ ବାର୍ଷିକ ୪୦ ଲକ୍ଷ ଟନ୍‌ ଉତ୍ପାଦନ କ୍ଷମତାର ସିମେଣ୍ଟ ଓ ୨୯ ଲକ୍ଷ ଟନ୍‌ର କ୍ଲିଙ୍କର୍‌ (କଠିନ ଅଙ୍ଗାର) କାରଖାନା କାର୍ଯ୍ୟକ୍ଷମ ଥିବା ବେଳେ କଟକ ଟାଙ୍ଗିସ୍ଥିତ କପିଳାସ ସିମେଣ୍ଟ ଓ୍ଵାର୍କ୍ସରେ ୧୭ ଲକ୍ଷ ଟନ୍‌ ଉତ୍ପାଦନ କ୍ଷମତାର ସିମେଣ୍ଟ କାରଖାନା ଅଛି। ରାଜଗାଙ୍ଗପୁରରେ ବାର୍ଷିକ ୨୨ ଲକ୍ଷ ୫୦ ଟନ୍‌ ଉତ୍ପାଦନ କ୍ଷମତାର ଏକ ନୂଆ ସିମେଣ୍ଟ ପ୍ଲାଣ୍ଟ ଓ ୩୦ ଲକ୍ଷ ଟନ୍‌ କ୍ଷମତାର କ୍ଲିଙ୍କର୍‌ ୟୁନିଟ୍‌ ସ୍ଥାପନ ନିମନ୍ତେ କମ୍ପାନିର ସମ୍ପ୍ରସାରଣ ଯୋଜନା ଅଛି। ତାହା ସମ୍ପୂର୍ଣ୍ଣ ହେବା ପରେ ଓଡ଼ିଶାରେ କମ୍ପାନିର ବାର୍ଷିକ ସିମେଣ୍ଟ ଉତ୍ପାଦନ ୬୨.୫ ଲକ୍ଷ ଟନ୍‌ ଓ କ୍ଲିଙ୍କର୍‌ ଉତ୍ପାଦନ ୫୯ ଲକ୍ଷ ଟନ୍‌ରେ ପହଞ୍ଚିବ।
ସିଏସ୍‌ଆର୍‌ କାର୍ଯ୍ୟକ୍ରମରେ ଆପଣଙ୍କ କମ୍ପାନି ଏବେ କେଉଁ ପ୍ରକଳ୍ପ ହାତକୁ ନେଇଛି?
ସାମାଜିକ କର୍ତ୍ତବ୍ୟବୋଧ କାର୍ଯ୍ୟକଳାପ ଜରିଆରେ କମ୍ପାନି ଆଞ୍ଚଳିକ ସାମାଜିକ ଓ ଆର୍ଥିକ ବିକାଶକୁ ସର୍ବଦା ଗୁରୁତ୍ୱ ଦେଇଆସିଛି। ସିଏସ୍‌ଆର୍‌ କାର୍ଯ୍ୟକ୍ରମରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ଦକ୍ଷତା ବିକାଶ ଓ ଭିତ୍ତିଭୂମି ଉନ୍ନୟନକୁ ପ୍ରାଧାନ୍ୟ ଦିଆଯାଉଛି। ସ୍ଥାନୀୟ ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ କମ୍ପାନି ସହାୟତା ପ୍ରଦାନ କରିବା ସହ ଗତ ଆର୍ଥିକ ବର୍ଷରେ ୨୦୦୦ ବିଦ୍ୟାର୍ଥୀଙ୍କୁ ୩୦ଟି କେନ୍ଦ୍ରରେ କୋଚିଂ ଦିଆଯାଇଛି। ଓସିଏଲ୍‌ର ପୂର୍ଣ୍ଣ ସହଯୋଗରେ ରାଜଗାଙ୍ଗପୁରରେ ସ୍ଥାପିତ ଏଲ୍‌ଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନରେ ଗତ ଦୁଇ ବର୍ଷ ମଧ୍ୟରେ ୪୫ ହଜାରରୁ ଅଧିକ ରୋଗୀ ଚିକିତ୍ସିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦୦୦ରୁ ଅଧିକ ରୋଗୀଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର ମାଗଣାରେ କରାଯାଇଛି। ଦୁର୍ଗମ ଅଞ୍ଚଳର ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ପହଞ୍ଚ ପାଇଁ କମ୍ପାନି ଲାଞ୍ଜିବେର୍ଣ୍ଣାରେ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରିବା ସହ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ଜରିଆରେ ୩୬ ହଜାରରୁ ଅଧିକ ରୋଗୀଙ୍କ ଚିକିତ୍ସା କରାଯାଇଛି।
ଶିଳ୍ପ ସଂସ୍ଥାମାନେ ସିଏସ୍‌ଆର୍‌ କାର୍ଯ୍ୟକଳାପକୁ ମୁଖ୍ୟତଃ ଶିଳ୍ପାଞ୍ଚଳ ମଧ୍ୟରେ ସୀମିତ ରଖିଥାନ୍ତି, ଓସିଏଲ୍‌ ତାହାକୁ ଅନ୍ୟତ୍ର ସମ୍ପ୍ରସାରିତ କରିଛି କି?
ଆଗାମୀ ଦଶ ବର୍ଷ ମଧ୍ୟରେ ୧୦ଟି କେନ୍ଦ୍ର ମାଧ୍ୟମରେ ୬୦ ହଜାର ଯୁବକ-ଯୁବତୀଙ୍କୁ କୌଶଳ ତାଲିମ ପ୍ରଦାନ ନିମନ୍ତେ ଡାଲ୍‌ମିଆ ଭାରତ ଫାଉଣ୍ଡେସନ୍‌ ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍‌ଏସ୍‌ସିସି) ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଆମ ଶିଳ୍ପାଞ୍ଚଳ ରାଜଗାଙ୍ଗପୁରସ୍ଥିତ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ବ୍ୟତୀତ ରାଉରକେଲା ଓ ଦେବଗଡ଼ରେ କମ୍ପାନି ଇତିମଧ୍ୟରେ ଦୁଇଟି ଦକ୍ଷତା ବିକାଶ କେନ୍ଦ୍ର କାର୍ଯ୍ୟକ୍ଷମ କରିଛି। ଅନ୍ୟାନ୍ୟ ଅଞ୍ଚଳରେ ଅବଶିଷ୍ଟ କେନ୍ଦ୍ର ସ୍ଥାପନ କରାଯିବ।
ଶିଳ୍ପ ସଂସ୍ଥାଙ୍କ ସ୍ଥାୟିତ୍ୱ ପାଇଁ ଦୀର୍ଘ ମିଆଦି ପରିବେଶ ସୁରକ୍ଷା ଯୋଜନା ଆଜିର ଆହ୍ଵାନ। ଏ ଦିଗରେ କମ୍ପାନିର ଦୃଷ୍ଟିଭଙ୍ଗୀ କେମିତି?
ପରିବେଶ ଅନୁକୂଳ ବୈଷୟିକ କୌଶଳ ଅନୁସରଣ କ୍ଷେତ୍ରରେ ଡାଲ୍‌ମିଆ ଭାରତ ଶିଳ୍ପ ଗୋଷ୍ଠୀ ତଥା ଏହା ଅଧୀନସ୍ଥ ଓସିଏଲ୍‌ ଅନ୍ୟତମ ଅଗ୍ରଦୂତ। ଅନ୍ତର୍ଜାତୀୟ ସ୍ତରରେ ସିମେଣ୍ଟ କମ୍ପାନିଙ୍କ ଅଙ୍ଗାରକାମ୍ଳ ନିର୍ଗମନ ହାରାହାରି ଟନ୍‌ ପିଛା ୬୧୨ କିଲୋଗ୍ରାମ ଥିବା ବେଳେ ଓସିଏଲ୍‌ର ଅଙ୍ଗାରକାମ୍ଳ ମାତ୍ରା ୩୩୦ କେଜିରେ ସୀମିତ; ଯାହା ବିଶ୍ୱ ସ୍ତରରେ ଏକ ରେକର୍ଡ଼। କମ୍ପାନି ଦୀର୍ଘ ମିଆଦି ଯୋଜନାରେ ଶତ ପ୍ରତିଶତ ଅକ୍ଷୟ ଶକ୍ତି ବିକାଶ ନିମନ୍ତେ ଇତିମଧ୍ୟରେ ଅକ୍ଷୟ ଶକ୍ତି (ଆର୍‌ଇ-୧୦୦)ରେ ଚୁକ୍ତିବଦ୍ଧ। କମ୍ପାନି କପିଳାସ ସିମେଣ୍ଟ ଓ୍ଵର୍କ୍ସରେ ୨.୫ ମେଗାଓ୍ଵାଟ୍‌ର ଏବଂ ଓସିଏଲ୍‌ ବେଙ୍ଗଲ ସିମେଣ୍ଟ ଓ୍ଵାର୍କ୍ସରେ ୫.୫ ମେଗାଓ୍ଵାଟ୍‌ କ୍ଷମତାର ଦୁଇଟି ସୌର ଶକ୍ତି ପ୍ଲାଣ୍ଟ ସ୍ଥାପନ କରିଛି। ତାପ କୌଶଳରେ ବର୍ଜ୍ୟ ଗ୍ୟାସରୁ ଶକ୍ତି ଉତ୍ପାଦନ ନିମନ୍ତେ ରାଜଗାଙ୍ଗପୁର ପ୍ଲାଣ୍ଟରେ କାମ ଆରମ୍ଭ ହୋଇଛି। ଆଗାମୀ ଦିନରେ ଅକ୍ଷୟ ଶକ୍ତି ଉତ୍ପାଦନ ଓ ଏହାର ଉପଯୋଗ ପାଇଁ କମ୍ପାନି ସୁଯୋଗ ଅପେକ୍ଷାରେ।
ଓଡ଼ିଶା ସରକାରଙ୍କ ‘ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌’କୁ ନେଇ ଆପଣଙ୍କ ଅନୁଭୂତି କେମିତି?
ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଶିଳ୍ପ ସଂସ୍ଥାଙ୍କୁ ଆକର୍ଷିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଅନୁକୂଳ ବାତାବରଣ ସୃଷ୍ଟି କରିଛନ୍ତି। ପୁରୁଣା ପ୍ରତିବନ୍ଧକଗୁଡ଼ିକୁ ଏଡ଼ାଇବା ପାଇଁ ସିଙ୍ଗଲ୍‌ ଓ୍ଵିଣ୍ଡୋ ବ୍ୟବସ୍ଥା, ଭିତ୍ତିଭୂମି ଓ ଶିଳ୍ପ ସ୍ଥାପନ ନିମନ୍ତେ ଆନୁସଙ୍ଗିକ ସୁବିଧା ସୃଷ୍ଟି ଦିଗରେ ସରକାର ଉଦ୍ୟମରତ। ଏହି କାରଣରୁ ‘ମେକ୍‌ ଇନ୍‌ ଓଡ଼ିଶା-୨୦୧୬’ ସମ୍ମିଳନୀ ଜାତୀୟ ଓ ଅନ୍ତର୍ଜାତୀୟ ଶିଳ୍ପ ସଂସ୍ଥାକୁ ଆକର୍ଷିତ କରିଥିଲା।
ଦେଶରେ ସିମେଣ୍ଟ ଶିଳ୍ପର ଭବିଷ୍ୟତ କେମିତି?
ଭାରତୀୟ ସିମେଣ୍ଟ ଉଦ୍ୟୋଗଗୁଡ଼ିକର ଭବିଷ୍ୟତ ଉଜ୍ଜ୍ୱଳ। କାରଣ ଗୃହ ନିର୍ମାଣଠାରୁ ଆରମ୍ଭ କରି ବ୍ୟାପକ ଭିତ୍ତିଭୂମି ପ୍ରକଳ୍ପ ସିମେଣ୍ଟ ଚାହିଦା ବୃଦ୍ଧି କରିବ। ଏମିତି ଅନ୍ତର୍ଜାତୀୟ ସ୍ତରରେ ମୁଣ୍ଡ ପିଛା ସିମେଣ୍ଟ ୁପଯୋଗ ୫୦୦ କିଲୋଗ୍ରାମ ଥିବା ବେଳେ ଭାରତରେ ତାହା ମାତ୍ର ୨୦୦ କେଜି। ତେଣୁ ସିମେଣ୍ଟ ଶିଳ୍ପର ଅଭିବୃଦ୍ଧି ଅପରିହାର୍ଯ୍ୟ।

ସମ୍ବନ୍ଧିତ ଖବର