ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌-୨୦୨୧ ଲୋଗୋ ଉନ୍ମୋଚିତ

ଆବେଦନ ପ୍ରକ୍ରିୟା ଆରମ୍ଭ, ଆବେଦନ ପାଇଁ ସ୍ବତନ୍ତ୍ର ପୋର୍ଟାଲ୍ www.sambadawards.in, ୨୦୨୧ ଜାନୁଆରି ୧୫ରେ ପୁରସ୍କାର ବିତରଣ ସମାରୋହ

ଭୁବନେଶ୍ବର: ଓଡ଼ିଶାରୁ ସୃଷ୍ଟି ହୋଇ ରାଜ୍ୟ ବାହ‌ାରେ ତଥା ଦେଶବିଦେଶରେ ଖ୍ୟାତି ଅର୍ଜନ କରିଥିବା ବ୍ରାଣ୍ଡ୍‌ଗୁଡ଼ିକୁ ସମ୍ବର୍ଦ୍ଧିତ କରିବା ପରିକଳ୍ପନାରୁ ସମ୍ବାଦ ଗ୍ରୁପ୍‌ ସୃଷ୍ଟି କରିଥିବା ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌-୨୦୨୧ର ଲୋଗୋ ଆଜି ଉନ୍ମୋଚିତ ହୋଇଛି। ସମ୍ବାଦ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବିଶିଷ୍ଟ ହକି ତାରକା ପଦ୍ମଶ୍ରୀ ଦିଲୀପ ତିର୍କି ଓ ସମ୍ବାଦ ଗ୍ରୁପ୍‌ର ଅଧ୍ୟକ୍ଷ ତଥା ସମ୍ବାଦର ସମ୍ପାଦକ ‌ସୌମ୍ୟରଞ୍ଜନ ପଟ୍ଟନାୟକ ଲୋଗୋକୁ ଉନ୍ମୋଚନ କରିଛନ୍ତି। ଆଜିର ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ଶ୍ରୀଯୁକ୍ତ ତିର୍କି କହିଛନ୍ତି ଯେ ଆମ ନିଜ ଗାଁ ପାଖରେ ଥିବା ଜିନିଷ ଦେଶବିଦେଶରେ ଖ୍ୟାତି ଅର୍ଜନ କରିଥିବା ଜାଣିଲେ ଆମକୁ ଖୁସି ଲାଗେ ଏବଂ ଗର୍ବ ଅନୁଭବ ହୁଏ। ସେଭଳି ସଂସ୍ଥା ବା ଉଦ୍ୟୋଗଗୁଡ଼ିକୁ ସମ୍ବାଦ ସମ୍ବର୍ଦ୍ଧିତ କରିବା ପରେ ଆମେ ସେମାନଙ୍କ ବିଷୟରେ ଜାଣିପାରୁଛୁ ବୋଲି ସେ କହିଛନ୍ତି। ସମ୍ବାଦ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ସମ୍ମାନ ଦେଉଛି ବୋଲି ମଧ୍ୟ ସେ କହିଛନ୍ତି।

ସମ୍ବାଦ ଗ୍ରୁପ୍‌ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପଟ୍ଟନାୟକ କହିଛନ୍ତି ଯେ ଉତ୍କର୍ଷର ଉପାସକମାନଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ହେଉଛି ବ୍ରାଣ୍ଡ୍‌ସ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ। କରୋନା ସଂକ୍ରମଣ ସତ୍ତ୍ବେ ଭିନ୍ନ ଢଙ୍ଗରେ ଏହି କାର୍ଯ୍ୟକ୍ରମ ଜାରି ରଖିବାକୁ ଉଦ୍ୟମ ହୋଇଛି। କୌଣସି ପ୍ରକାରରେ ଚଳେଇନେବା ମନୋବୃତ୍ତିକୁ ପରିହାର କରି ଉତ୍କର୍ଷର ଉପାସକ ହେବାକୁ ସେ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଏହି ପୁରସ୍କାର ଜରିଆରେ ଉଦ୍ୟୋଗ ବିଷୟରେ ଜାଣିବା, ଅନ୍ୟକୁ ଜଣାଇବା, ନିଜେ ଉତ୍ସାହିତ ହେବା ଏବଂ ଅନ୍ୟମାନଙ୍କୁ ଉତ୍ସାହିତ କରିବା ବୋଲି ସେ କହିଛନ୍ତି। ପୁରସ୍କାର ବିଷୟରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରି ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଛନ୍ତି ଯେ ଓଡ଼ିଶାରୁ ଜନ୍ମ ହୋଇଥିବା ବ୍ରାଣ୍ଡ୍‌ଗୁଡ଼ିକୁ ସମ୍ବର୍ଦ୍ଧିତ କରିବା ଲାଗି ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌କୁ ୨୦୧୭ରୁ ଆରମ୍ଭ କରାଯାଇଥିଲା। ଏଥର ଏହି କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣ ଆୟୋଜନ କରାଯାଉଛି। ସ୍ବତନ୍ତ୍ର ବିଚାରକ ମଣ୍ଡଳୀଙ୍କ ଦ୍ବାରା ବିଜେତାମାନଙ୍କୁ ଚୟନ କରାଯାଉଛି। ପ୍ରତିବର୍ଷ ଏହି ପୁରସ୍କାର ଲାଗି ଆସୁଥିବା ଆବେଦନ ସଂଖ୍ୟାରେ ବୃଦ୍ଧି ଘଟୁଛି ବୋଲି ସେ ସୂଚନା ଦେଇଛନ୍ତି। ଚଳିତ ସଂସ୍କରଣର ପୁରସ୍କାର ବିତରଣ ସମାରୋହକୁ ମେ’ ଫେୟାର କନ୍‌ଭେନ୍‌ସନ୍‌ରେ ୨୦୨୧ ଜାନୁଆରି ୧୫ରେ ଆୟୋଜନ କରାଯିବ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି। ସମ୍ବାଦର ମୁଖ୍ୟ ମହାପ୍ରବନ୍ଧକ (ବାର୍ତା) ଅରବିନ୍ଦ ଦାସ ସ୍ବାଗତ ଭାଷଣ ପ୍ରଦାନ କରି ପଦ୍ମଶ୍ରୀ ଦିଲୀପ ତିର୍କିଙ୍କୁ ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ଭାବେ ଅଭିହିତ କରିବା ସହ ତାଙ୍କ ଜୀବନର ଗୌରବପୂର୍ଣ୍ଣ ମୁହୂର୍ତଗୁଡ଼ିକ ବିଷୟରେ ଆଲୋଚନା କରିଛନ୍ତି।

ଆଜି ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡସ୍‌ ୨୦୨୧ର ଲୋଗୋ ଉନ୍ମୋଚନ ସହିତ ଏହି ପୁରସ୍କାର ଲାଗି ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଆବେଦନକାରୀମାନେ www.sambadawards.in ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ସମ୍ପୂର୍ଣ୍ଣ ନିଶୁଳ୍କ ରହିଛି। ପୁରସ୍କାର ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୨୦୨୧ ଜାନୁଆରି ୬। ଅଧିକ ବିବରଣୀ ହାସଲ କରିବା ଲାଗି ଆବେଦନ କରିବାକୁ ଇଚ୍ଛୁକ ସଂସ୍ଥା [email protected]ରେ ଯୋଗାଯୋଗ କରିପାରିବେ। ଚଳିତ ବର୍ଷ ପାଞ୍ଚଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ତାହା ହେଉଛି ସିଏସ୍‌ଆର୍‌ (କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ), ଲାର୍ଜ (ବୃହତ), ମିଡିଅମ୍ (ମଧ୍ୟମ), ସ୍ମଲ (କ୍ଷୁଦ୍ର) ଏବଂ ଇମର୍ଜିଂ ଓ ଷ୍ଟାର୍ଟଅପ୍। ପ୍ରତି ବର୍ଗରେ ବ୍ରାଣ୍ଡ୍‌ ଅଫ୍‌ ଦି ଇୟର ଭାବେ ପ୍ଲାଟିନମ୍, ଗୋଲ୍ଡ ଓ ସିଲଭର୍‌ ଭଳି ତିନି ପ୍ରକାର ପୁରସ୍କାର ପ୍ରଦାନ କରାଯିବ। ଏକ ସ୍ବାଧୀନ ବିଚାରକ ମଣ୍ଡଳୀ ଆବେଦନଗୁଡ଼ିକୁ ନିରପେକ୍ଷ ଭାବେ ଯାଞ୍ଚ କରି ବିଜେତା ଉଦ୍ୟୋଗ ଚୟନ କରିବେ। ଏହି ଅବସରରେ ସମ୍ବାଦର ପ୍ରକାଶକ କମଳାକାନ୍ତ ମହାପାତ୍ର, ଡିଜିଏମ୍ (ମାନବ ସମ୍ବଳ) ବୈଜୟନ୍ତୀ କର, ଜିଏମ୍‌ (ମାର୍କେଟିଂ) ସଞ୍ଜୟ ଗୌର, ଏଜିଏମ୍ (ଅର୍ଥ) ପ୍ରଭାସ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର