ଭୁବନେଶ୍ବର : ଓଡ଼ିଶାର ଉଜ୍ଜ୍ବଳ ଅତୀତକୁ ନେଇ ଆମେ ଆଜି ବି ନିଜକୁ ଗୌରବାନ୍ବିତ ମନେ କରୁଛୁ। ତାହାର କାରଣ ହେଲା ଆମେ ଅତୀତରେ ଏକ ଶକ୍ତିଶାଳୀ ସାମ୍ରାଜ୍ୟ ଓ ସଭ୍ୟତା ଥିଲୁ। କୌଣସି କାରଣରୁ ପରବର୍ତ୍ତୀ ସମୟରେ ଆମେ ତଳକୁ ଖସି ଯାଇଥିଲୁ। କିନ୍ତୁ ଏକବିଂଶ ଶତାବ୍ଦୀରେ ଆମେ ପୁଣି ଓଡ଼ିଶାକୁ ଉପରକୁ ନେବାକୁ ପ୍ରୟାସ କରୁଛୁ। ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ବିଶାଳ ବେଳାଭୂମି, ରତ୍ନଗର୍ଭା ସମୁଦ୍ର, ବିଶାଳ ଜଙ୍ଗଲ ସମ୍ପଦ ଓ ଅମାପ ଖଣିଜ ସମ୍ପଦ ରହିଛି। ପ୍ରଗତିରେ ଶୀର୍ଷରେ ପହଞ୍ଚିବା ପାଇଁ ଓଡ଼ିଶାରେ ସବୁ ଉପାଦାନ ଭରି ରହିଛି। ତେଣୁ ଶିଳ୍ପ ବିପ୍ଳବ ୪.୦ରେ ଓଡ଼ିଶା ବିଶ୍ବର ଅଗ୍ରଣୀ ଅଞ୍ଚଳ ହୋଇପାରିବ। ଆଜି ପୂର୍ବାହ୍ନରେ ‘ସମ୍ବାଦ’ ପକ୍ଷରୁ ହୋଟେଲ ମେ ‌ଫେୟାର ପରିସରରେ ଆୟୋଜିତ ବ୍ରାଣ୍ଡ୍‌ସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ- ସମ୍ବାଦ କର୍ପୋରେଟ ଏକ୍ସେଲେନ୍ସ ଆୱାର୍ଡସ୍‌-୨୦୨୦କୁ ଉଦ୍‌ଘାଟନ କରି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।

Advertisment

ଶ୍ରୀ ପ୍ରଧାନ କହିଲେ ଯେ ବିକାଶ ପାଇଁ ମୁଖ୍ୟତଃ ୩ଟି ବର୍ଗର ବ୍ୟକ୍ତି ବା ପ୍ରତିଷ୍ଠାନର ଆବଶ୍ୟକତା ରହିଛି। ପ୍ରଥମ ବର୍ଗଟି ହେଲା ଗୋଟିଏ ସ୍ଥାନରେ ବାସ କରୁଥିବା ବୁଦ୍ଧିଜୀବୀ ବା ବୌଦ୍ଧିକ ପ୍ରତିଷ୍ଠାନ। ଦ୍ବିତୀୟରେ ଉଦ୍ୟୋଗୀ ଏବଂ ତୃତୀୟ ବର୍ଗଟି ହେଲା ନୀତି ନିର୍ଦ୍ଧାରକ। ଏମାନେ ପରସ୍ପର ସହିତ ମିଶି ନୂଆ ଗବେଷଣା ଓ ପ୍ରଯୁକ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଖୋଲାମନରେ ଆଗେଇ ଆସିଲେ ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ। ବିଶ୍ବର ଯେଉଁସବୁ ଅଞ୍ଚଳରେ ସମାଜର ଉପରୋକ୍ତ ତିନିଟି ବର୍ଗ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ଖୋଲାପଣରେ କରନ୍ତି ଏବଂ ପରସ୍ପରକୁ ସମ୍ମାନ ଜଣାନ୍ତି ସେଠାରେ ଅଧିକ ବିକାଶ ସମ୍ଭବ ହୋଇଥାଏ।

ଶ୍ରୀ ପ୍ରଧାନ ଆହୁରି କହିଲେ ଯେ ଭୁବନେଶ୍ବରରେ ଆଇଆଇଟି, ନାଇଜର, ଓୟୁଏଟି, ଉତ୍କଳ ବିଶ୍ବବିଦ୍ୟାଳୟ, ଇନଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସ, ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ ସାଇନ୍ସ, ସିପେଟ୍‌ ଭଳି ଅନେକ ଖ୍ୟାତନାମା ଶିକ୍ଷାନୁଷ୍ଠାନ ଓ ଗବେଷଣା ପ୍ରତିଷ୍ଠାନ ରହିଛି। କୋଲକାତା, ବମ୍ବେ, ଦିଲ୍ଲୀ ଏବଂ ବେଙ୍ଗାଲୁରୁ ଭଳି ସ୍ଥାନକୁ ବାଦ୍ ଦେଲେ ଦ୍ବିତୀୟ ବର୍ଗର ସହରଗୁଡ଼ିକ ମଧ୍ୟରେ ପୁନେ ଭଳି ସୁବିଧା ଭୁବନେଶ୍ବରରେ ରହିଛି। ଏତେଗୁଡ଼ିଏ ବୌଦ୍ଧିକ ପ୍ରତିଷ୍ଠାନ ଭୁବନେଶ୍ବରରେ ଥିବାରୁ ଏସବୁର ଫାଇଦା ନେବା ଏବଂ ଅନୁକୂଳ ପରିସଂସ୍ଥାନ ସୃଷ୍ଟି କରିବାର ଆବଶ୍ୟକତା ରହିଛି। ବିଶ୍ବରେ ଗତ ୧୦୦ ବର୍ଷରେ ଯେଉଁଭଳି ଢଙ୍ଗରେ କାମ ହେଉଥିଲା ଆଗାମୀ ୧୦୦ ବର୍ଷରେ ସେହି ଢଙ୍ଗରେ କାମ ହେବ ନାହିଁ। କାମର ରୂପ ବଦଳିବ। ଗୋଟିଏ ଲୋକ ଅଫିସ ନଯାଇ ୪ଟି କମ୍ପାନି ପାଇଁ କାମ କରିପାରିବ। ମାଲକାନଗିରିରେ ରହି ସିଲିକନ ଭାଲିରେ ଏବଂ ମୟୂରଭଞ୍ଜରେ ରହି ଅଷ୍ଟ୍ରେଲିଆରେ ସେବା ଯୋଗାଇ ପାରିବ। ଲାପଟପ୍ ଏବଂ ପାମଟପ୍‌ରେ ଘରେ ବସି ଅଫିସ କାର୍ଯ୍ୟ କରିପାରିବ। ଓଡ଼ିଶାକୁ ଏହାର ସୁଯୋଗ ନେବାକୁ ହେବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ।

ମନ୍ତ୍ରୀ ତାଙ୍କ ଭାଷଣରେ ଏହା ମଧ୍ୟ କହିଥିଲେ ଦାରିଦ୍ର୍ୟ ମଣିଷ ପାଇଁ ସବୁଠୁ ବଡ଼ ଅଭିଶାପ। ଦାରିଦ୍ର୍ୟକୁ ଦୂର କରିବା ପାଇଁ ହେଲେ ଆର୍ଥିକ ସ୍ବାତନ୍ତ୍ର୍ୟ ଦରକାର। ଏହାର ରାସ୍ତା କୌଣସି ନେତାମାନଙ୍କ ପାଖରେ ନାହିଁ। ଯଦି ସରକାର କରିବେ ବୋଲି ଆମେ ଦ୍ବନ୍ଦ୍ବରେ ରହିବା ତାହାହେଲେ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ଆମେ ଏହି ଜାଗାରେ ହିଁ ଠିଆହୋଇ ରହିଯିବା। ସମାଜକୁ ଏଥିପାଇଁ ନେତୃତ୍ବ ନେବାକୁ ପଡ଼ିବ। ଆଜି ଦିନରେ ଓଡ଼ିଶାକୁ ଯାହା ଆବଶ୍ୟକତା ରହିଛି; ସମ୍ବାଦ ଏହାର ବ୍ରାଣ୍ଡ୍ସ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସ‌େଲେନ୍ସ ଆୱାର୍ଡସ୍‌ ମାଧ୍ୟମରେ ଠିକ୍ ସମୟରେ କରିଥିବାରୁ ସେ ସମ୍ବାଦକୁ କୃତଜ୍ଞତା ଜଣାଇଥିଲେ। ସମ୍ବାଦର ଏହି କାର୍ଯ୍ୟକ୍ରମ ଓଡ଼ିଶାର ସାମର୍ଥ୍ୟକୁ ପ୍ରଦର୍ଶନ କରିବା ସହିତ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବ ବୋଲି ‌କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ। ଏହି ଅବସରରେ ସମ୍ବାଦ ଏବଂ ଏହାର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ୪ ଦଶନ୍ଧି ପୂର୍ବେ ଓଡ଼ିଶା ଅପେକ୍ଷାକୃତ ଭାବେ କମ୍ ବିକଶିତ ଥିବାବେଳେ ସମ୍ବାଦରେ ସେ ଶିଳ୍ପ ବିପ୍ଳବ ୩.୦ର ଉପଲବ୍ଧିକୁ କାର୍ଯ୍ୟକାରୀ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଭୟ ସମ୍ବାଦ ଏବଂ ସୌମ୍ୟବାବୁ ଓଡ଼ିଶାର ବଡ଼ ତଥା ଶକ୍ତିଶାଳୀ ବ୍ରାଣ୍ଡ୍ ବୋଲି କହିଥିଲେ।