ଓଡ଼ିଶାର ବ୍ରାଣ୍ଡ ସାରା ଦେଶର ଗର୍ବ ହୋଇପାରିବେ : ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନିଜେ ଓଡ଼ିଶାର ସବୁଠୁ ବଡ଼ ବ୍ରାଣ୍ଡ : ସୌମ୍ୟରଞ୍ଜନ

ଭୁବନେଶ୍ୱର : ଆଗାମୀ ଦିନରେ ଓଡ଼ିଶାରେ ଅନେକ ବ୍ରାଣ୍ଡ ସୃଷ୍ଟିହେବେ ଯେଉଁଗୁଡ଼ିକ କେବଳ ଆମ ରାଜ୍ୟର ନୁହେଁ ସାରା ଦେଶର ଗର୍ବ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି । ସମ୍ବାଦ ପକ୍ଷରୁ ଆୟୋଜିତ ବ୍ରାଣ୍ଡସ ଅଫ ଓଡ଼ିଶା ପ୍ରାଇଡ୍‌ ଅଫ ଇଣ୍ଡିଆ : ସମ୍ବାଦ କର୍ପୋରେଟ ଏକ୍ସଲେନ୍ସ ଆଓ୍ଵାର୍ଡ ପ୍ରଦାନ କରିବା ଅବସରରେ ସେ ଏ କଥା କହିଛନ୍ତି ।

ବ୍ରାଣ୍ଡସ ଅଫ ଓଡ଼ିଶା ପ୍ରାଇଡ୍‌ ଅଫ ଇଣ୍ଡିଆ : ସମ୍ବାଦ କର୍ପୋରେଟ ଏକ୍ସଲେନ୍ସ ଆଓ୍ଵାର୍ଡ : ୨୦୧୯

ସେ କହିଛନ୍ତି ଯେ ଆଧୁନିକ ଜଗତିକରଣ ଯୁଗରେ ଗୋଟିଏ ବ୍ରାଣ୍ଡକୁ ଗଢିବା, ତାହାକୁ ସଫଳ କରିବା, ନିୟମିଭାବେ ମୂଲ୍ୟ ସଂଯୁକ୍ତି କରିବା ଏକ ଆହ୍ଵାନମୂଳକ କାର୍ଯ୍ୟ । ଏହି ପ୍ରରିପ୍ରେକ୍ଷୀରେ ଯେଉଁ ଲୋକମାନେ ସଫଳ ବ୍ରାଣ୍ଡମାନ ଗଢିପାରିଛନ୍ତି ସେମାନେ ଆମ ସମାଜ ପାଇଁ ଆଦର୍ଶ । ବିଗତ କିଛି ବର୍ଷ ହେଲା ଓଡ଼ିଶା ବ୍ୟବସାୟ ଓ ଶିଳ୍ପ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ପୁଞ୍ଜିନିବେଶ ଆକୃଷ୍ଟ କରିବାରେ ଏହା ପୂର୍ବଭାରତରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି । ଶିଳ୍ପ ପ୍ରତିଷ୍ଠା, ଷ୍ଟାର୍ଟଅପ ଓ ଦକ୍ଷତା ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅନୂକୁଳ ନୀତି ନିବେଶକଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିପାରିଛି । ଗୋଟିଏ ବ୍ରାଣ୍ଡ ପାଇଁ ଲୋକଙ୍କ ଭରଷାହିଁଗୁରୁତ୍ୱପୂର୍ଣ୍ଣ । ଲୋକଙ୍କ ଭରଷା ତୁଟିଗଲେ ବ୍ରାଣ୍ଡ ତିଷ୍ଠି ପାରିବ ନାହିଁ । ଏଣୁ ବ୍ରାଣ୍ଡମାନେ ଲୋକଙ୍କ ଭରଷା ଅତୁଟ ରଖିବାକୁ ଉଦ୍ୟମ କରିବା ଆବଶ୍ୟକ ।ଏହା ମାଧ୍ୟମରେ ଆମେ ଶିଳ୍ପ ଓ ବାଣିଜ୍ୟର ଏକ ସଂସ୍କୃତି ତିଆରି କରିପାରିବା । ଓଡ଼ିଶାର ବ୍ରାଣ୍ଡଗୁଡ଼ିକୁ ପ୍ରେତ୍ସାହିତ କରିଥିବାରୁ ସେ ସମ୍ବାଦକୁ ଅଭିନନ୍ଦନ ଜଣାଇଥିଲେ । ଓଡ଼ିଶାର ଗଣମାଧ୍ୟମ କ୍ଷେତ୍ରରେ ସମ୍ବାଦ ନିଜେ ଏକ ଭଲ ବ୍ରାଣ୍ଡ ବୋଲି ସେ କହିଥିଲେ ।

ଏହି ଅବସରରେ ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଓଡ଼ିଶାର ସବୁଠୁ ଭଲ ବ୍ରାଣ୍ଡ । ଓଡ଼ିଶାରେ ଜନ୍ମ ହୋଇ ସେ ସାରା ଦେଶରେ ନାଁ କମାଇଛନ୍ତି । ସେ କହିଛନ୍ତି ଯେ ସମ୍ବାଦ ହେଉଛି ଉତ୍କର୍ଷର ଉପାସକ । ଏଣୁ ଶିଳ୍ପ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିଥିବା ବ୍ରାଣ୍ଡମାନଙ୍କୁ ସମ୍ବାଦ ସ୍ୱୀକୃତି ପ୍ରଦାନ କରୁଛି । ସମ୍ବାଦ ଗ୍ରୁପ ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ ।

ସମ୍ବନ୍ଧିତ ଖବର