ଭୁବନେଶ୍ବର : ବର୍ତମାନ ସମୟରେ ‘ବ୍ରାଣ୍ଡ୍‌ ଓଡ଼ିଶା’ କ୍ରୀଡ଼ା, ଶିଳ୍ପ, ପର୍ଯ୍ୟଟନ, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଏକ ବିରାଟ ପରିବର୍ତନ ଆଣିପାରିଛି। ଏଥିପାଇଁ ଓଡ଼ିଶା ବଡ଼ ଧରଣର ପୁଞ୍ଜିନିବେଶକୁ ଲଗାତାର ଭାବେ ଆକର୍ଷିତ କରିବାରେ ସଫଳ ହୋଇଛି। ଏକ ଉତ୍ତରଦାୟୀ ସରକାର ସହିତ ୫-ଟି ଏବଂ ପ୍ରକଳ୍ପକୁ ତ୍ବରାନ୍ବିତ କରିବାରେ ଆଗ୍ରହକୁ ନିବେଶକମାନେ ଅନୁଭବ କରୁଛନ୍ତି। ଆଜି ହୋଟେଲ ମେ ଫେୟାରରେ ଆୟୋଜିତ ‘ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍ ଅଫ୍‌ ଇଣ୍ଡିଆ’ ସମ୍ବାଦ କର୍ପୋରେଟ୍ ଏକ୍ସେଲେନ୍ସ ପୁରସ୍କାରର ତୃତୀୟ ସଂସ୍କରଣରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। କେବଳ ସେତିକି ନୁହେଁ, ଉଭୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ‘ସମ୍ବାଦ’କୁ ଗଣମାଧ୍ୟମ ଜଗତର ଏକ ଶକ୍ତିଶାଳୀ ଓ ବିଶ୍ବସନୀୟ ବ୍ରାଣ୍ଡ୍ ବୋଲି ବର୍ଣ୍ଣନା‌ କରିବା ସହ ଓଡ଼ିଶାର ବ୍ରାଣ୍ଡ୍ ସାଜିିଥିବା ବିଭିନ୍ନ ବ୍ୟାବସାୟିକ ସଂସ୍ଥାକୁ ଉତ୍ସାହିତ କରୁଥିବାରୁ ସମ୍ବାଦର ଭୁରି ଭୁରି ପ୍ରଶଂସା କରିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ, ଏକ ବ୍ୟାବସାୟିକ ସଂସ୍ଥା ପାଇଁ ବ୍ରାଣ୍ଡ୍‌ ପରିଚୟ ସୃଷ୍ଟି କରିବା ଗୁରୁତ୍ବପୂର୍ଣ୍ଣ। ବ୍ରାଣ୍ଡ୍‌ ସଚେତନତା ଓ ବିଶ୍ବସନୀୟତା ବିନା କୌଣସି ବ୍ୟବସାୟ ସଂସ୍ଥା ତିଷ୍ଠି ପାରିବ ନାହିଁ। ନିଜ ଗ୍ରାହକଙ୍କୁ ବାନ୍ଧି ରଖିବାରେ ହିଁ ବ୍ରାଣ୍ଡ୍‌ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। କୌଣସି ଏକ ରାଜ୍ୟ କିମ୍ବା ଦେଶର ଛବିକୁ ଗଢ଼ି ତୋଳିବାରେ ଏକ ବିଶ୍ବସ୍ତ ବ୍ରାଣ୍ଡ୍‌ର ଯଥେଷ୍ଟ ଅବଦାନ ରହିଛି। କର୍ମ ନିଯୁକ୍ତି, ସମୃଦ୍ଧି ସହିତ ସାମଗ୍ରିକ ଅର୍ଥନୈତିକ ବିକାଶରେ ବ୍ରାଣ୍ଡ୍‌ ମୂଲ୍ୟ ଯୋଗ କରିଥାଏ।

ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ ଆମ ଶିଳ୍ପ ସଂସ୍ଥାର କ୍ୟାପ୍ଟେନ୍ ଓ ବ୍ୟବସାୟୀ ନେତୃମଣ୍ଡଳୀ ହେଉଛନ୍ତି ଜଣେ ଜଣେ ବ୍ରାଣ୍ଡ୍‌ ଆମ୍ବାସଡର। ତେଣୁ ସମ୍ମିଳନୀରେ ଏକାଠି ହୋଇଥିବା ରାଜ୍ୟର ଅଗ୍ରଣୀ ବ୍ରାଣ୍ଡ୍‌ଗୁଡ଼ିକ ଓଡ଼ିଶାକୁ ନେଇ ରହିଥିବା ଧାରଣା ଓ ଏହାର ଛବିକୁ ଆହୁରି ମଜବୁତ କରିବାରେ ସହାୟକ ହେବ। ବ୍ରାଣ୍ଡ୍‌ଗୁଡ଼ିକ ଅନ୍ତଃରାଷ୍ଟ୍ରୀୟ ମାନଦଣ୍ଡ ସହିତ ତାଳ ଦେବା ଲାଗି ନିଜକୁ ସେହିଭଳି ପ୍ରସ୍ତୁତ କରନ୍ତୁ। ଗଣମାଧ୍ୟମ ଜଗତରେ ‘ସମ୍ବାଦ’ ଗ୍ରୁପ୍ ଏକ ବିଶ୍ବସନୀୟ ବ୍ରାଣ୍ଡ୍‌ ହୋଇଥିବା ବେଳେ ଏହି ଗ୍ରୁପ୍‌ ଓଡ଼ିଶାର ବ୍ରାଣ୍ଡ୍‌ଗୁଡ଼ିକର ପ୍ରଚାର ପ୍ରସାର ଦିଗରେ ପଦକ୍ଷେପ ନେଇଥିବାରୁ ଧନ୍ୟବାଦର ପାତ୍ର। ଏହି ପଦକ୍ଷେପ ଫଳରେ ରାଜ୍ୟରେ ଉଦ୍ୟୋଗୀଙ୍କ ମଧ୍ୟରେ ବ୍ରାଣ୍ଡ୍‌ ନିର୍ମାଣ ‌ସଂସ୍କୃତି ଉପରେ ଏକ ଅଦୃଶ୍ୟ ପ୍ରଭାବ ପକାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

୫ଟି ବର୍ଗରେ ୧୫ ସଂସ୍ଥାକୁ କର୍ପୋରେଟ ଏକ୍ସେଲେନ୍ସ ପୁରସ୍କାର

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିଳ୍ପ, ଶକ୍ତି, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ବିଭାଗର ରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର କହିଲେ, ୨୦ବର୍ଷର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଓଡ଼ିଶାରେ ଏକ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। ୨୦୦୦ ମସିହାରେ ରାଜ୍ୟର ସମୁଦାୟ ବଜେଟ୍ ପ୍ରାୟ ୧୧ହଜାର ୫ଶହ କୋଟି ଟଙ୍କା ରହିଥିଲା, ଆଜି ଏହା ୧ଲକ୍ଷ ୩୮‌ହଜାର କୋଟି ଟଙ୍କାରେ ପହଞ୍ଚି ପାରିଛି। ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ ହୋଇପାଇଛି। ବିପର୍ଯ୍ୟୟ ପରିଚାଳନାରେ ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ଓଡ଼ିଶାକୁ ପ୍ରଶଂସା କରିଛନ୍ତି। ଶିଶୁ ଓ ମାତୃ ମୃତ୍ୟୁ ହ୍ରାସ କରିବାରେ କେନ୍ଦ୍ର ସରକାର ରାଜ୍ୟକୁ ପ୍ରଶଂସା କରିଛନ୍ତି। କୃ‌ଷି ଉତ୍ପାଦନ ପାଇଁ କେନ୍ଦ୍ର ସରକାର ୬ଥର ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ଦେଶରେ ଜଣେ ଭଲ ରାଜନୈତିଜ୍ଞ ଓ ଦୁଇ ଦୁଇ ଥର ଶ୍ରେଷ୍ଠ ପ୍ରଶାସକ ଭାବେ ପୁରସ୍କୃତ ହୋଇଛନ୍ତି। ଓଡ଼ିଶା ନିଜର ପୂର୍ବ ଗୌରବ ଫେରାଇ ଆଣିବା ଲାଗି ଅହରହ ଚେଷ୍ଟା କରୁଛି। ଓଡ଼ିଶାରେ ବ୍ୟବସାୟ ପାଇଁ ଯେଉଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି ଏହାକୁ ଆଗେଇ ନେବା ପାଇଁ ସମ‌ସ୍ତେ ଆଗେଇ ଆସିବା ଦରକାର। ନକ୍ସଲ ପ୍ରଭାବିତ ଓ ତୃଣମୂଳସ୍ତରରେ ଥିବା ଲୋକଙ୍କ ଜୀବନ ଶୈଳୀରେ ପରିବର୍ତନ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ସ୍ବପ୍ନ ଦେଖିଛନ୍ତି। ଓଡ଼ିଶାକୁ ୧ଟ୍ରିଲିଅନ୍ ଡଲାର ଅର୍ଥନୀତିରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି। ଏହି ଅର୍ଥନୀତିକୁ ନେଇ ସମାଜର ଅନ୍ତିମ ସ୍ତରରେ ରହିଥିବା ବ୍ୟକ୍ତିଙ୍କ ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଉଦ୍ୟମ ଜାରି ରହିଛି। ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସହିତ ଶ୍ରୀଜଗନ୍ନାଥ, କୋଣାର୍କ ଓ ଶ୍ରୀଲିଙ୍ଗରାଜଙ୍କୁ ବିଶ୍ବସ୍ତରରେ ପହଞ୍ଚାଇବା ଲାଗି ମଧ୍ୟ ସରକାର ଚେଷ୍ଟା କରୁଛନ୍ତି। ଦେଶର ପ୍ରଥମ ୧୦ଟି ରାଜ୍ୟ ଭିତରେ ଓଡ଼ିଶା ପରିଗଣିତ ହୋଇଛି। ଆଗାମୀ ଦିନରେ ଏହାକୁ ପ୍ରଥମ ରାଜ୍ୟର ମାନ୍ୟତା ଦେବା ଲାଗି ଲକ୍ଷ୍ୟ ରହିଥିବା ଶ୍ରୀ ମିଶ୍ର କହିଥିଲେ।

‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ବ୍ରାଣ୍ଡ୍‌ ଓ ପ୍ରାଇଡ୍‌କୁ ଯୋଡ଼ିବା ପାଇଁ ଏହି କାର୍ଯ୍ୟକ୍ରମ। ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଶାର ଚିରସ୍ଥାୟୀ ବ୍ରାଣ୍ଡ୍‌। ସେହିପରି ଅନେକ ଘାତପ୍ରତିଘାତ ଭିତରେ ଓଡ଼ିଶାକୁ ୨୦ ବର୍ଷ ହେଲା ସ୍ଥାୟୀ ଶାସନ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଓଡ଼ିଶାର ଏକ ବିଶ୍ବସ୍ତ ବ୍ରାଣ୍ଡ୍‌ ପାଲଟିଛନ୍ତି। ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ରର ସଂସ୍କାର ଓ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ପ୍ରଶଂସାଭାଜନ ହୋଇଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡ଼ିଶାର ଏକ ଉଦୀୟମାନ ବ୍ରାଣ୍ଡ୍ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ସେ ‌ଆହୁରି କହିଲେ ଯେ କୌଣସି ଜାତି, ସମାଜ, ଅର୍ଥନୀତି ବା ଅନୁଷ୍ଠାନ ଉତ୍କର୍ଷର ଉପାସକ ନ ହେଲେ ତାହା ସଫଳତା ହାସଲ କରିପାରିବ ନାହିଁ। ଉତ୍କର୍ଷର ଉପାସକଙ୍କୁ ଗୋଟିଏ ଛାତ ତଳେ ଏକାଠି କରି ଏବଂ ସମ୍ମାନ ପ୍ରଦାନ କରି ଆମେ ଆନନ୍ଦିତ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା ନେୟାର ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ କହିଲେ, ଏହି ସମ୍ମାନ ପାଇଁ କେବଳ ଭୁବନେଶ୍ବର ନୁହେଁ; ବାଲେଶ୍ବର, ଢେଙ୍କାନାଳ, ସମ୍ବଲପୁରରୁ ଏକାଧିକ ସଂସ୍ଥାଙ୍କ ଆବେଦନ ଆ‌ସିଥିଲା। ଏହିସବୁ ଉଦ୍ୟୋଗ ବା ସଂସ୍ଥା ଓଡ଼ିଶା ସମେତ ବାହାର ରାଜ୍ୟରେ ଭଲ ପ୍ରଦର୍ଶନ କରୁଛନ୍ତି। ଏଭଳି ପରିସ୍ଥିତିରେ ସଂସ୍ଥାମାନଙ୍କୁ ଚୟନ କରିବା ବଡ଼ କଷ୍ଟକର ରହିଥିଲା। ତୃତୀୟ ଥର ଲାଗି ଏଭଳି ଏକ କର୍ପୋରେଟ୍ ସମ୍ମାନ ପ୍ରଦାନ ଉତ୍ସବ ଆୟୋଜନ କରି ଆମେ ଗର୍ବିତ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ।

ଏହି ଅବସରରେ ଓଡ଼ିଶାରେ ଆରମ୍ଭ ହୋଇ ଓଡ଼ିଶା ବାହାରେ ବ୍ୟବସାୟ କରୁଥିବା ୫ଟି ବର୍ଗରେ ମୋଟ ୧୫ଟି କମ୍ପାନି ଓ ସଂସ୍ଥାକୁ ମୁଖ୍ୟମନ୍ତ୍ରୀ ସମ୍ବାଦ କର୍ପୋରେଟ୍‌ ଏକ୍ସେଲେନ୍ସ ପୁରସ୍କାର-୨୦୨୦ ପ୍ରଦାନ କରିଥିଲେ।

ପୁରସ୍କୃତ ସଂସ୍ଥା
ସିଏସ୍‌ଆର୍‌ (କର୍ପୋରେଟ୍‌ ସାମାଜିକ ଦାୟିତ୍ବ)
ପ୍ଲାଟିନମ୍: ପାରାଦୀପ ଫସଫେଟ୍ ଲିମିଟେଡ୍
ଗୋଲ୍‌ଡ: ୟୁଏଏଲ୍-ଓଡ଼ିଶା
ସିଲ୍‌ଭର: ସି ଭି ରମଣ କଲେଜ ଅଫ୍‌ ଇଞ୍ଜିନିୟରିଂ
ଲାର୍ଜ (ବୃହତ)
ପ୍ଲାଟିନମ୍: ମେ‘ଫେୟାର ହୋଟେଲସ୍‌  ଆଣ୍ଡ୍ ରିସୋର୍ଟସ୍‌ ଲିମିଟେଡ୍
ଗୋଲ୍ଡ: ଇମାମି ‌ପେପର ମିଲ୍ସ ଲିମି‌ଟେଡ୍‌
ମିଡିଅମ୍ (ମଧ୍ୟମ)
ପ୍ଲାଟିନମ୍: ନରଭେରାମ୍ ପାୱାର ଆଣ୍ଡ୍ ଷ୍ଟିଲ୍ ଲିମିଟେଡ୍‌
ଗୋଲ୍ଡ: ଇସିପି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍
ସିଲଭର୍‌: ଗୃହସ୍ଥୀ ଉଦ୍ୟୋଗ ପ୍ରାଇଭେଟ୍ ଲିମିଟେଡ୍
ସ୍ମଲ୍‌(କ୍ଷୁଦ୍ର)
ପ୍ଲାଟିନମ୍: ଜଗଦମ୍ବା ପଲିମର୍ସ ପ୍ରାଇଭେଟ୍ ଲିମି‌ଟେଡ୍‌
ଗୋଲ୍ଡ: ମୁରର୍‌କା ବିସ୍କୁଟସ୍‌ ପ୍ରାଇଭେଟ୍ ଲିମିଟେଡ୍
ସିଲଭର୍‌: ସୀମା ଇ-ଭେଇକିଲ୍ ଆଣ୍ଡ ସୋଲାର ପ୍ରାଇଭେଟ୍‌ ଲିମିଟେଡ୍
ସିଲଭର୍‌: ଦିବ୍ୟ ମଲ୍‌ଟିଗ୍ରେନସ୍‌ ପ୍ରାଇଭେଟ୍ ଲିମିଟେଡ୍‌
ଇମର୍ଜିଂ (ଉଦୀୟମାନ)
ପ୍ଲାଟିନମ୍: ଫୋନିକ୍ସ ରୋବୋଟିକ୍ସ ପ୍ରାଇଭେଟ୍ ଲିମିଟେଡ୍‌
ଗୋଲ୍ଡ: ହାଇଟେକ୍ ଇଣ୍ଡଷ୍ଟ୍ରିଜ୍
ସିଲ୍‌ଭର: ରେଡ୍‌କ୍ୟୁବ୍ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍‌