ନୂଆ ଉଦ୍ୟୋଗ ପାଇଁ ପରିବେଶ ଅନୁକୂଳ : ମୁଖ୍ୟମନ୍ତ୍ରୀ

ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌-୨୦୧୯

ପୁରସ୍କୃତ ହେଲେ ୧୭ଟି ସଂସ୍ଥା

ଭୁବନେଶ୍ବର : ନୂଆ ଉଦ୍ୟୋଗ ସୃଷ୍ଟି କରିବା ପାଇଁ ଓଡ଼ିଶାରେ ଉତ୍ସାହଜନକ ପରିବେଶ ରହିଛି। ଆଗାମୀ ଦିନରେ ଓଡ଼ିଶାର ଅଧିକରୁ ଅଧିକ ବ୍ରାଣ୍ଡ୍‌ ଭାରତର ଗର୍ବ ଭାବେ ଉଭା ହେବେ। ଆମେ ସଫଳତାର ସହ ବାଣିଜ୍ୟ ଏବଂ ଶିଳ୍ପକୁ ନେଇ ଏକ ସୁନ୍ଦର ସଂସ୍କୃତି ବିକଶିତ କରିପାରିବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଶିଳ୍ପ ଜଗତକୁ‌ ଏମିତି ଆଶାବାଦୀ ଥିବା ଜଣାଇଛନ୍ତି।

‘ସମ୍ବାଦ’ ପକ୍ଷରୁ ଆଜି ହୋଟେଲ୍ ମେ ଫେୟାରରେ ଆୟୋଜିତ ‘ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯’ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ୧୭ଟି ସଂସ୍ଥାକୁ ‘ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ’ ପୁରସ୍କାର ପ୍ରଦାନ କରିଥ‌ିଲେ। କର୍ପେ‌ାରେଟ୍ ସାମାଜିକ ଦାୟିତ୍ବବୋଧ(ସିଏସ୍‌ଆର୍‌), ବୃହତ, ମଧ୍ୟମ, କ୍ଷୁଦ୍ର ଏବଂ ଉଦୀୟମାନ(ଏମର୍ଜିଂ) ଭଳି ପାଞ୍ଚଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ବାସ୍ତବରେ ସେମାନେ ହିଁ ଭାରତର ଗର୍ବ ବୋଲି କହିଥିଲେ। ‘ସମ୍ବାଦ’କୁ ସେ ଏକ ଶ୍ରେଷ୍ଠ ବ୍ରାଣ୍ଡ୍‌ ଭାବେ ବର୍ଣ୍ଣନା କରିଥିବା ବେଳେ ଏହି ପ୍ରୟାସ ପାଇଁ ଅଭିନନ୍ଦନ ଜଣାଇଥିଲେ।

ଶ୍ରୀ ପଟ୍ଟନାୟକ କହିଲେ, ବଜାର ଅର୍ଥନୀତି ଓ ଜଗତୀକରଣ ଯୁଗରେ କର୍ପୋରେଟ୍ ଜଗତ ପାଇଁ ବିପୁଳ ସୁଯୋଗ ଏବଂ ଆହ୍ବାନ ରହିଛି। ଏକ ବ୍ରାଣ୍ଡ୍‌ ବିକଶିତ କରି ତାହାକୁ ଲୋକମାନଙ୍କ ମଧ୍ୟରେ ଆଦୃତ କରାଇବା ସହିତ ନିୟମିତ ମୂଲ୍ୟଯୋଗ ଜାରି ରଖିବା ଏକ ବଡ଼ ଆହ୍ବାନ। ଯେଉଁମାନେ ବିଶ୍ବାସଯୋଗ୍ୟ ବ୍ରାଣ୍ଡ୍‌ ବିକଶିତ କରିପାରିଛନ୍ତି, ସେମାନେ ହିଁ ଆଜିର ଯୁଗର ଶ୍ରେଷ୍ଠ। ମୁଁ ‌ସେମାନଙ୍କୁ ମୋ ହୃଦୟରୁ ପ୍ରଶଂସା କରୁଛି।
ରାଜ୍ୟରେ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଲେ, ବିଗତ କିଛି ବର୍ଷ ଭିତରେ ବ୍ୟବସାୟ ଓ ଶିଳ୍ପକୁ ନେଇ ଜାତୀୟ ସ୍ତରରେ ଓଡ଼ିଶା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆମର ସ୍ବତନ୍ତ୍ର ନୀତି ନିବେଶକ ଏବଂ ନୂଆ ଉଦ୍ୟୋଗୀମାନଙ୍କ ବିଶ୍ବାସ ବଢ଼ାଇଛି। ଗତ ନଭେମ୍ବରରେ ଅନୁଷ୍ଠିତ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ରେ ୪.୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ଏଥିଯୋଗୁ ୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଓଡ଼ିଶାରେ ଅଭିନବ ଚିନ୍ତାଧାରା ରଖିଥିବା ୩୦୦ରୁ ଅଧିକ ଷ୍ଟାର୍ଟଅପ୍ ସଂସ୍ଥା ପଞ୍ଜୀକୃତ ହୋଇଛନ୍ତି।

ସମ୍ବାଦ ଗ୍ରୁପ୍‌ର ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଓଡ଼ିଶାର ବ୍ରାଣ୍ଡ୍‌ ବିଷୟରେ ଚିନ୍ତା କରିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ପ୍ରଥମେ ମନକୁ ଆସିଥାଏ। କାରଣ ଓଡ଼ିଶାରେ ଜନ୍ମ ହୋଇ ଦେଶରେ ନିଜର ଖ୍ୟାତି ଲାଭ କରିଥିବା ସଫଳ ବ୍ୟକ୍ତି ହେଉଛନ୍ତି ନବୀନ ପଟ୍ଟନାୟକ। ସେ ଆଜି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆମକୁ ଉତ୍ସାହିତ କରିଛନ୍ତି। ଉତ୍କର୍ଷର ଉପାସକ ହୋଇ ‘ସମ୍ବାଦ’ ସଫଳ ହୋଇଥିବା ବ୍ୟକ୍ତିମାନଙ୍କୁ ସାଧାରଣ ଲୋକଙ୍କ ସହିତ ଯୋଡ଼ୁଛି।। ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ପ୍ରୟାସ କରାଯାଇଛି।
ଏହି ଅବସରରେ ଗତ ନଭେମ୍ବରରେ ଓଡ଼ିଶାରେ ସଫଳତାର ସହିତ ପୁରୁଷ ବିଶ୍ବକପ୍ ହକିକୁ ରାଜ୍ୟ ସରକାର ଆୟୋଜନ କରି ପାରିଥିବା ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିଥିଲେ। ୧୯୭୫ ବିଶ୍ବକପ୍ ହକି ବିଜେତାର ଖେଳାଳିମାନେ ହକି ବିଶ୍ବକପ୍ ଆୟୋଜନରେ ଓଡ଼ିଶାର ସାମର୍ଥ୍ୟକୁ ନେଇ କିଭଳି ଶତମୁଖ ହୋଇଯାଇଥିଲେ ତାହା ଶ୍ରୀ ପଟ୍ଟନାୟକ ଆଲୋକପାତ କରିଥିଲେ।

ସ୍ବାଗତ ଭାଷଣ ପ୍ରଦାନ କରି ସମ୍ବାଦ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଲେ, ଓଡ଼ିଶାର ଅନେକ ବ୍ରାଣ୍ଡ୍‌ ରହିଛି ଯେଉଁମାନେ ରାଜ୍ୟ ବାହାରେ ମଧ୍ୟ ବହୁତ ପରିଚିତ। ଉପଭୋକ୍ତା ଉତ୍ପାଦ ହେଉ କିମ୍ବା ସେବା, ସୂଚନା ପ୍ରଯୁକ୍ତି ହେଉ ଅଥବା ମେଡିକାଲ୍, କନ୍‌ସଲ୍‌ଟାନ୍ସି, ରପ୍ତାନି। ସେମାନଙ୍କୁ ନେଇ ଆମେ ଗର୍ବିତ। ଓଡ଼ିଶାରେ ସୃଷ୍ଟି ହୋଇଥିବା ଏବଂ ସେମାନଙ୍କ ଉତ୍ପାଦକୁ ରାଜ୍ୟ ବାହାରେ ତଥା ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ପ୍ରସାର କରାଇଥିବା ବ୍ରାଣ୍ଡ୍‌ ଏବଂ କଂପାନିଗୁଡ଼ିକୁ ଏହି ପୁରସ୍କାର ଜରିଆରେ ସମ୍ମାନିତ କରାଯାଉଛି। ସେମାନଙ୍କୁ ସ୍ବୀକୃତି ପ୍ରଦାନ କରିବା ହେଉଛି ଏହି ପୁରସ୍କାର ମୁଖ୍ୟ ଲକ୍ଷ୍ୟ। ପ୍ରଥମ ସଂସ୍କରଣ ତୁଳନାରେ ଏଥର ବିପୁଳ ପରିମାଣର ଆବେଦନ ପହଞ୍ଚିଥିଲା। ଢେଙ୍କାନାଳ ଠାରୁ ଆରମ୍ଭ କରି ସୋର ପର୍ଯ୍ୟନ୍ତ ରାଜ୍ୟର କୋଣ ଅନୁକୋଣରୁ ଆବେଦନ ଆସିଥିଲା। କେତେକ ବର୍ଗରେ ପୁରସ୍କାର ଚୟନ କରିବା ଅତ୍ୟନ୍ତ କଷ୍ଟକର ଥିଲା। ସେଥିପାଇଁ ଏଥର ଦୁଇଟି ଜୁରି ସ୍ପେସିଆଲ୍ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ଏହି ପୁରସ୍କାର ଟ୍ରଫିକୁ ତିଆରି କରିଥିବା ବାଳକାଟିର କାରିଗରଙ୍କୁ ସେ ପ୍ରଶଂସା କରିଛନ୍ତି।

କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କର୍ପୋରେଟ୍ ସଂସ୍ଥାର ମୁଖ୍ୟ, ବରିଷ୍ଠ ଅଧିକାରୀ ଏବଂ ପ୍ରତିନିଧିଙ୍କ ସମେତ କାର୍ଯ୍ୟକ୍ରମର ପ୍ରାୟୋଜକମାନେ ଉପସ୍ଥିତ ଥିଲେ।

ପୁରସ୍କାର ବିଜେତା

ସିଏସ୍‌ଆର୍‌
ପ୍ଲାଟିନମ୍-ମହାନଦୀ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌
ଗୋଲ୍ଡ-ନ୍ୟାସନାଲ୍‌ ଆଲୁମିନିୟମ କଂପାନି
ସିଲ୍‌ଭର୍‌-ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ୍ ଫେରୋଆଲଏଜ୍ ଲିମିଟେଡ୍

ଲାର୍ଜ (ବୃହତ୍)
ପ୍ଲାଟିନମ୍-କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍‌ ସୋସିଆଲ୍ ସାଇନ୍‌ସେସ୍‌
ଗୋଲ୍ଡ-ଓମ୍ ଅଏଲ୍‌ ଆଣ୍ଡ୍‌ ଫ୍ଲୋର୍‌ ମିଲ୍ସ ଲିମି‌ଟେଡ୍‌
ସିଲ୍‌ଭର୍‌-ବାଲେଶ୍ବର ଆଲଏଜ୍ ଲିମିଟେଡ୍‌

ମିଡିଅମ୍ (ମଧ୍ୟମ)
ପ୍ଲାଟିନମ୍-ଜ୍ୟୋତି ମୋଟର୍ସ ପ୍ରାଇଭେଟ୍ ଲିମିଟେଡ୍‌
ଗୋଲ୍ଡ-ରାମସ୍‌ ଆସର୍ଟେଡ୍‌ କୋଲ୍ଡ ଷ୍ଟୋରେଜ୍ ଲିମିଟେଡ୍
ସିଲ୍‌ଭର୍‌-ୟୁଏଏଲ୍‌ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌
ଜୁରି ସ୍ପେସିଆଲ୍‌-ସମ୍ବଲପୁରୀ ବସ୍ତ୍ରାଳୟ

କ୍ଷୁଦ୍ର (ସ୍ମଲ୍‌)
‌ପ୍ଲାଟିନମ୍-ଓଭୋ ଫାର୍ମ ପ୍ରାଇଭେଟ୍ ଲିମିଟେଡ୍
ଗୋଲ୍ଡ-ଡାଲ୍‌ମା କମ୍ଫର୍ଟସ୍‌ ଆଣ୍ଡ୍‌ ଏଣ୍ଟରଟେନ୍‌ମେଣ୍ଟ୍‌ କଂପାନି
ସିଲ୍‌ଭର୍‌- ଜ୍ୟୋତି ବ୍ୟାଟେରି ଇଣ୍ଡଷ୍ଟ୍ରିଜ୍
ସିଲ୍‌ଭର୍‌-ଆଲ୍‌ଫା ଟ୍ରାନ୍ସଫର୍‌ମର୍ସ ଲିମିଟେଡ୍
ଜୁରି ସ୍ପେସିଆଲ୍‌-କୋଶଳ ଇଞ୍ଜିନିୟର୍ସ

ଏମର୍ଜିଂ (ଉଦୀୟମାନ)
ପ୍ଲାଟିନମ୍‌-ହେଲ୍‌ଥ ଆଣ୍ଡ୍‌ କେୟାର ଏଣ୍ଟରପ୍ରାଇଜେସ୍‌
ଗୋଲ୍ଡ-ସିମ୍ ଆଣ୍ଡ୍‌ ଟ୍ରିମ୍ ଫେସନ୍ ପ୍ରାଇଭେଟ୍ ଲିମିଟେଡ୍

ସମ୍ବନ୍ଧିତ ଖବର