ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ : ସମ୍ବାଦ କର୍ପୋରେଟ୍‌ ଏକ୍ସେଲେନ୍ସ ଆୱାର୍ଡସ୍‌-୨୦୨୦

ସ୍ମଲ୍‌

ଜଗଦମ୍ବା ପଲିମର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ (ପ୍ଲାଟିନମ୍‌)
ବାଲେଶ୍ବରର ଗଣେଶ୍ବରପୁର ଶିଳ୍ପାଞ୍ଚଳରେ ରହିଛି ଜଗଦମ୍ବା ପଲିମର୍ସ ପ୍ରାଇଭେଟ ଲିମିଟେଡ ଯାହା ୧୯୯୯ରୁ ଏହାର ଯାତ୍ରା ଆରମ୍ଭ କରିଥିଲା। ଏହା ହେଉଛି ରାଜ୍ୟର ଅନ୍ୟତମ ଅଗ୍ରଣୀ ତଥା ସର୍ବବୃହତ ପ୍ଲାଷ୍ଟିକ ଇଞ୍ଜେକ୍ସନ ମୋଲ୍‌ଡିଂ କଂପାନି। ‘ଅଙ୍କୁର’ ବ୍ରାଣ୍ଡ୍‌ ନାମରେ ଏହା ପ୍ଲାଷ୍ଟିକ୍ ଉତ୍ପାଦ, ଆସବାବପତ୍ର, ବୋତଲ, ଆଦି ବିକ୍ରି କରୁଛି। ଏହା ହେଉଛି ଏକ ଆଇଏସଓ ୯୦୦୧:୨୦୦୮ ସାର୍ଟିଫାଏଡ କଂପାନି। ଏହା ଉତ୍ପାଦ ଗ୍ରାହକଙ୍କ ଦ୍ବାରା ବିଶେଷ ଭାବେ ଆଦୃତ ହୋଇଛି। ଉତ୍ପାଦ ନିର୍ମାଣ କରିବା ଲାଗି ଜଗଦମ୍ବା ପଲିମର୍ସ କାରଖାନାରେ ଅତ୍ୟାଧୁନିକ ମେସିନ୍ ଓ ଉପକରଣ ରହିଛି ଯାହାକୁ ମାଇକ୍ରୋ ପ୍ରୋସେସର ଜରିଆରେ ପରିଚାଳନା କରାଯାଉଛି। ଏଥିପାଇଁ ଉଚ୍ଚ ତାଲିମପ୍ରାପ୍ତ ବୈଷୟିକ ଟିମ୍ ମଧ୍ୟ ରହିଛି। କଂପାନିର ଏକ ଗବେଷଣା ଏବଂ ବିକାଶ କେନ୍ଦ୍ର ସହିତ ଟେଷ୍ଟିଂ ବ୍ୟବସ୍ଥା ମଧ୍ୟ ରହିଛି। ଏହି ସଂସ୍ଥା ଟେଲିଭିଜନ୍ କ୍ୟାବିନେଟ୍‌ ଠାରୁ ଆରମ୍ଭ କରି ଏବିଏସ୍‌ ପ୍ଲାଷ୍ଟିକ୍ ବବିନ୍‌ସ, ଅପ୍ଟିକ୍ ଫାଇବର୍‌ କେବୁଲ୍ ଏବଂ କୁଲର୍‌ ପାଇଁ ବିଭିନ୍ନ ପ୍ରକାର ଉପକରଣ ନିର୍ମାଣ କରୁଛି। ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କଂପାନି ନିୟମିତ ବ୍ୟବଧାନରେ ଏହାର ଉତ୍ପାଦନ କ୍ଷମତାର ସଂପ୍ରସାରଣ କରୁଛି। ଆକର୍ଷଣୀୟ ଡିଜାଇନ ଓ ରଙ୍ଗରେ ଏହାର ଉତ୍ପାଦଗୁଡ଼ିକ ବଜାରରେ ଉପଲବ୍ଧ କରାଉଛି। କଂପାନି ବ୍ଲୋ-ମୋଲ୍‌ଡେଡ୍‌ ଓ ଥର୍ମୋଓୟାର ଉତ୍ପାଦ ନିର୍ମାଣ କରିବାକୁ ଯୋଜନା ରଖିଛି।

ମୁରର୍‌କା ବିସ୍କୁଟ୍ସ (ଗୋଲ୍ଡ)
କଟକରେ ସ୍ଥାପିତ ମୁରର୍‌କା ବିସ୍କୁଟ୍ସ ପ୍ରାଇଭେଟ ଲିମିଟେଡ ହେଉଛି ମୁରର୍‌କା ଗ୍ରୁପ୍‌ର ଏକ କମ୍ପାନି। ଖ୍ୟାତନାମା ଶିଳ୍ପପତି ସୁନିଲ ମୁରର୍‌କା ଏହି କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ମୁସ୍‌କାନ୍ ବିସ୍କୁଟ୍ସ ଆଣ୍ଡ ସ୍ନାକ୍ସ ବ୍ରାଣ୍ଡ୍‌ରେ ଏହି କମ୍ପାନି ଏହାର ଉତ୍ପାଦ ବଜାରରେ ବିକ୍ରି କରୁଛି। ୧୯୯୭ ମସିହାରେ ମୁରର୍‌କା ଗ୍ରୁପ୍‌ର ପ୍ରତିଷ୍ଠା ସ୍ବର୍ଗତ ବିଶ୍ବନାଥ ମୁରର୍‌କା କରିଥିବାବେଳେ ଏହାର ନିର୍ଦ୍ଦେଶକଭାବେ ଅନିଲ ମୁରର୍‌କା କାର୍ଯ୍ୟ କରୁଛନ୍ତି। ୧୯୯୭ରେ ପ୍ରତିଷ୍ଠା ହୋଇ ଅନେକ ଘାତ ପ୍ରତିଘାତ ମଧ୍ୟରେ ବି ଏହି କମ୍ପାନି ଆଜି ସଗର୍ବେ ଏହାର ବ୍ୟବସାୟ କରି ଆସୁଛି। ପ୍ରାୟ ୬୫ ପ୍ରକାରର ବିସ୍କୁଟ ଏବଂ ସ୍ନାକସ କମ୍ପାନି ପ୍ରସ୍ତୁତ କରୁଛି। ଓଡ଼ିଶାର କମ୍ପାନି ହୋଇଥିଲେ ମଧ୍ୟ ଏହାର ଉତ୍ପାଦର ମାନ କୌଣସି ବହୁରାଷ୍ଟ୍ରୀୟ କମ୍ପାନି ତୁଳନାରେ କିଛି କମ୍‌ ନୁହେଁ। ଓଡ଼ିଶା ସହିତ ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର ଏବଂ ହରିୟାଣାରେ କମ୍ପାନିର ଉତ୍ପାଦ ଉପଲବ୍ଧ ହେଉଛି। କେବଳ ବ୍ୟବସାୟ ନୁହେଁ, ବିଭିନ୍ନ ବେସରକାରୀ ସଂଗଠନ ସହ ମିଶି ସୁନିଲ ରାଜ୍ୟର ବହୁ ଉନ୍ନତିମୂଳକ କାର୍ଯ୍ୟ କରି ଆସୁଛନ୍ତି। ଏଥିପାଇଁ ତାଙ୍କୁ ବହୁ ଖ୍ୟାତନାମା ପ୍ରତି‌ଷ୍ଠାନ ପକ୍ଷରୁ ବିଭିନ୍ନ ପୁରସ୍କାର ଓ ସମ୍ମାନ ମଧ୍ୟ ମିଳିଛି। ନିକଟରେ କମ୍ପାନି ମସଲା ବ୍ୟବସାୟରେ ପ୍ରବେଶ କରିଛି।

ସୀମା ଇ-ଭେଇକିଲ୍‌ ଆଣ୍ଡ୍‌ ସୋଲାର୍‌ ପ୍ରାଇଭେଟ୍‌ ଲିମିଟେ୍‌ଡ (ସିଲଭର୍‌)
ପରିବେଶ ପ୍ରଦୂଷଣକୁ ରୋକିବା ଏବଂ ସବୁଜ ପରିବେଶ ପ୍ରତି ରହିଥିବା ଆଗ୍ରହରୁ ସୀମା ଇ-ଭେଇକିଲ ଆଣ୍ଡ ସୋଲାର ପ୍ରାଇଭେଟ୍ ଲିମିଟେଡ୍‌ ସୃଷ୍ଟି ହୋଇଥିଲା। ଏହା ଦୁଇ ଚକିଆ ଇଲେକ୍ଟ୍ରିକ ଯାନ ନିର୍ମାଣ କରୁଛି। କଂପାନିର କାରଖାନା ସମ୍ବଲପୁରର ଧନକଉଡ଼ାରେ ରହିଛି। ସଂସ୍ଥାର ଦୀର୍ଘମିଆଦୀ ଲକ୍ଷ୍ୟକୁ ହାସଲ କରିବା ଲାଗି ଆସନ୍ତା ବର୍ଷ ଠାରୁ ଏହି କଂପାନି ତିନି ଚକିଆ ଇଲେକ୍‌ଟ୍ରିକ ଯାନ ନିର୍ମାଣ କରିବା ଆରମ୍ଭ କରିବ। କଂପାନିର ପ୍ରଥମ ମଡେଲ୍‌ ଥିଲା ‘ଫ୍ଲାଏ’ ଯାହା ଗ୍ରାହକଙ୍କ ଦ୍ବାରା ବିଶେଷ ଭାବେ ଆଦୃତ ହୋଇଛି। ଏହି ଗାଡ଼ିକୁ ଏଆରଏଆଇର ଅନୁମୋଦନ ମିଳିଛି। ୨୫୦ ୱାଟ ବର୍ଗରେ କଂପାନି ଏହି ମଡେଲ୍‌ ଆଣିଥିଲା। ଭାରତୀୟ ବଜାରର ଆବଶ୍ୟକତାକୁ ପୂରଣ କରିବା ଲାଗି କଂପାନି ଲିଥିଅମ୍ ଆୟନ ବ୍ୟାଟେରି ଯୁକ୍ତ ଗାଡ଼ି ଉନ୍ମୋଚନ କରୁଛି। ଯୋଗେଶ କୁମାର ଲାଠ୍‌ଙ୍କ ନେତୃତ୍ବରେ ପରିଚାଳିତ ହେଉଥିବା ଏହି କଂପାନି ନିଜର ଉତ୍ପାଦନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ କରିବାକୁ ଚାହୁଛି। ଏହା ନିଜ କାରଖାନାରେ ନୂତନ ଭିତ୍ତିଭୂମି ଯୋଗ କରୁଛି। ୨୦୩୦ ସୁଦ୍ଧା ଦେଶର ଶ୍ରେଷ୍ଠ ୩ ଇଲେକ୍ଟ୍ରିକ ଦୁଇ ଚକିଆ ଓ ତିନି ଚକିଆ ଯାନ କଂପାନି ଭାବେ ଏହା ନିଜକୁ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି। କଂପାନିର ଦୀର୍ଘମିଆଦୀ ଲକ୍ଷ୍ୟ ହେଉଛି ପ୍ରଦୂଷଣ ମୁକ୍ତ ବ୍ୟାଟେରି ଚାଳିତ ଯାନ ନିର୍ମାଣ କରି ତାହାକୁ ଭାରତ ଏବଂ ଭାରତ ବାହାରେ ବିକ୍ରି କରି ଏକ ସବୁଜ ଭବିଷ୍ୟତ ସୃଷ୍ଟି କରିବା। ଏହି ଲକ୍ଷ୍ୟ ପଥରେ କଂପାନି ସଠିକ୍ ଦିଗରେ ଅଗ୍ରସର ହେଉଛି।

ଦିବ୍ୟ ମଲ୍‌ଟିଗ୍ରେନସ୍‌ ପ୍ରାଇଭେଟ୍ ଲିମିଟେଡ୍‌ (ସିଲଭର୍‌)
ନିମାପଡ଼ାର ବିଚିତ୍ରାନନ୍ଦ ସେନାପତି ନିଜ ପାଠପଢ଼ା ଶେ‌ଷ କରିବା ପରେ ଚାକିରି ସନ୍ଧାନରେ ରାଉରକେଲା ଯାଇଥିଲେ। ସେଠାରେ ଚାକିରି ନକରି ବ୍ୟବସାୟ କରିବାକୁ ତାଙ୍କର ଇଛା ହୋଇଥିଲା। ସେହିଠାରେ ଅଳ୍ପ କିଛି ଟଙ୍କାରେ ସେ ମସଲା ‌ବ୍ୟବସାୟ ଆରମ୍ଭ କରିଥିଲେ। କିଛି ଦିନ ପରେ ସେ ଭୁବନେଶ୍ବର ଫେରିଆସି ବାଣିକାନ୍ତ ଦଳାଇଙ୍କ ସହ ମିଶି ‘ହୋମ୍‌ଫିଲ୍ସ’ ବ୍ରାଣ୍ଡ୍‌ ସୃଷ୍ଟି କରିଥିଲେ। ୨୦୦୫ରେ ତାହାର ଟ୍ରେଡ୍‌ମାର୍କ ପଞ୍ଜୀକରଣ କରାଯାଇଥିଲା। ପ୍ରଥମେ ଏକ ଭଡ଼ା ଘରେ ସେମାନେ ବ୍ୟବସାୟ କରିଥିଲେ। କିଛି ଦିନ ପରେ ସେମାନେ ପାହାଳ ପାଖରେ ଏକ ଜମି କିଣିଥିଲେ ଏବଂ ସେଠାରେ ୨୦ ହଜାର ବର୍ଗଫୁଟ ଜମିରେ ଏକ କାରଖାନା ସ୍ଥାପନ କରି ମସଲା ଉତ୍ପାଦନ ଆରମ୍ଭ କରିଥିଲେ। ଏହା ବ୍ୟତୀତ ଚଣା ଛତୁଆ ଏବଂ ଗହମ ଡାଲିଆ ଆଦି ଉତ୍ପାଦନ କରୁଛନ୍ତି। ସେହି କଂପାନିର ନାମ ହେଉଛି ଦିବ୍ୟ ମଲ୍‌ଟିଗ୍ରେନସ୍‌ ପ୍ରାଇଭେଟ୍ ଲିମିଟେଡ୍। ଶ୍ରୀ ସେନାପତି ଏହାର ପରିଚାଳନା ନିର୍ଦେଶକ ହୋଇଥିବା ବେଳେ ଶ୍ରୀ ଦଲାଇ ନିର୍ଦେଶକ ଦାୟିତ୍ବ ତୁଲାଉଛନ୍ତି। ବର୍ତ୍ତମାନ ଏହି କଂପାନି ୩୫୦ ପ୍ୟାକ୍‌ରୁ ଅଧିକ ଆକାରରେ ୧୦୦ରୁ ଅଧିକ ପ୍ରକାରର ଭିନ୍ନ ଭିନ୍ନ ଉତ୍ପାଦ ପ୍ରସ୍ତୁତ କରି ଗ୍ରାହକଙ୍କ ପାଖରେ ପହଞ୍ଚାଉଛି। ଓଡ଼ିଶା ସମେତ ବାଙ୍ଗାଲୋର, ବିହାର ଓ ଝାଡ଼ଖଣ୍ଡ ବଜାରରେ ଏହାର ଉପସ୍ଥିତି ରହିଥିବା ବେଳେ ନେପାଳ ଓ ବାଲାଂଦେଶ ବଜାରର ଏହା ପ୍ରବେଶ କରିବା ଲାଗି ସୁଯୋଗ ସନ୍ଧାନ କରୁଛି।

ସମ୍ବନ୍ଧିତ ଖବର