ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ : ସମ୍ବାଦ କର୍ପୋରେଟ୍‌ ଏକ୍ସେଲେନ୍ସ ଆୱାର୍ଡସ୍‌-୨୦୨୦ର ବିଚାରକମଣ୍ଡଳୀ

ରାକେଶ ପଟ୍ଟନାୟକ, ଇଡି
ଜିଏଫ୍‌ଏଚ୍‌ ଫାଇନାନ୍ସିଆଲ ଗ୍ରୁପ୍‌, ବାହାରିନ୍‌
ରାକେଶ ପଟ୍ଟନାୟକ ସମ୍ପ୍ରତି ବାହାରିନ୍‌ସ୍ଥିତ ଜିଏଫ୍‌ଏଚ୍‌ ଫାଇନାନ୍ସିଆଲ ଗ୍ରୁପ୍‌ର ବରିଷ୍ଠ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଭାରତ ପ୍ରକଳ୍ପର ସିଇଓ ଭାବେ କାର୍ଯ୍ୟ କରୁଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ପ୍ରାୟ ୨୪ ବର୍ଷର ଦୀର୍ଘ ଅଭିଜ୍ଞତା ରହିଛି। ସେ ଯୁକ୍ତରାଷ୍ଟ୍ର ଆମେରିକା, ୟୁରୋପ, ମଧ୍ୟ ପ୍ରାଚ୍ୟ ଏବଂ ଏସିଆର ବିଭିନ୍ନ ଦେଶରେ କାର୍ଯ୍ୟ କରି ବିପୁଳ ଅଭିଜ୍ଞତା ହାସଲ କରିଛନ୍ତି। ଜିଏଫ୍‌ଏଚ୍‌ର ଭିତ୍ତିଭୂମି ନିବେଶ କଥା ସେ ‌ଏବେ ବୁଝୁଛନ୍ତି। ବିଶେଷକରି ସେ ଭାରତରେ କମ୍ପାନିର ପ୍ରକଳ୍ପ ଗୁଡ଼ିକର ବୁଝାଶୁଝା କରୁଛନ୍ତି। ଯୌଥ ଉଦ୍ୟୋଗ ଏବଂ ସହଭାଗିତା ମାଧ୍ୟମରେ କମ୍ପାନି ପାଇଁ ମୂଲ୍ୟଯୋଗ୍ୟ କରିବା ଲକ୍ଷ୍ୟ ରଖିଛନ୍ତି। ଭାରତର ରିଅଲ ଇଷ୍ଟେଟ କ୍ଷେତ୍ରରୁ ବିଦେଶରୁ ଏଫଡିଆଇ ଆଣି ଉଚ୍ଚମାନର ପ୍ରକଳ୍ପ ନିର୍ମାଣ କରିବା ବିଷୟ ସେ ବୁଝୁଛନ୍ତି।

ପୂର୍ବରୁ ରାକେଶ ବରିଷ୍ଠ ନିବେଶ ବ୍ୟାଙ୍କର ଭାବେ ଉପସାଗରୀୟ ସହଯୋଗ ପରିଷଦର ବିଭିନ୍ନ ଦେଶ ଏବଂ ରିଅଲ ଇଷ୍ଟେଟ ପରାମର୍ଶଦାତା ଫାର୍ମରେ କାର୍ଯ୍ୟ କରିଛନ୍ତି। ବିଶେଷକରି ସିଙ୍ଗାପୁର, କୁଏତ୍‌, କତାର, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଭାରତରେ ସେ ଦୀର୍ଘଦିନ ଧରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କମ୍ପାନିର ପଦପଦବିରେ କାର୍ଯ୍ୟ କରିଛନ୍ତି। ଟିଏପିଏଆଇ, ମଣିପାଲରୁ ସେ ବିଜ୍‌ନେସ୍ ମ୍ୟାନେଜ‌ମେଣ୍ଟ୍‌ରେ ପିଜି କରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ଆର୍ଥିକ ଜଗତର ବ୍ୟକ୍ତିମାନଙ୍କ କ୍ଷେତ୍ରରେ ଜଣେ ଇନଭେଷ୍ଟମେଣ୍ଟ୍ ବ୍ୟାଙ୍କର ଭାବେ ପରିଚିତ।

ମହେଶ ମିଶ୍ର, ସିଇଓ, ଆଇଏମ୍‌ଜିସି
(ଇଣ୍ଡିଆ ମଡ୍‌ଗେଜ୍‌ ଗ୍ୟାରେଣ୍ଟି କର୍ପୋରେସନ୍‌)
ଯେଉଁ କିଛି ଓଡ଼ିଆ ଓଡ଼ିଶାରେ ଜନ୍ମଗ୍ରହଣ କରି ବିଶ୍ବର ଶିଳ୍ପ ଜଗତର ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛନ୍ତି ସେମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ମହେଶ ମିଶ୍ର। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ‌ଫରେନ୍ ଟ୍ରେଡ୍ (ଆଇଆଇଏଫ୍‌ଟି)ରୁ ଅନ୍ତର୍ଜାତୀୟ ବ୍ୟବସାୟରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଥିବା ମହେଶ ଏବେ ‘ଇଣ୍ଡିଆ ମଡଗେଜ୍‌ ଗ୍ୟାରେଣ୍ଟି କର୍ପୋରେସନ’ (ଆଇଏମ୍‌ଜିସି)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ନ୍ୟାସନାଲ ହାଉସିଂ ବ୍ୟାଙ୍କ, ଇଣ୍ଟରନ୍ୟାସନାଲ ଫାଇନାନ୍ସ କର୍ପୋରେସନ ଓ ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କର ମିଳିତ ସହଯୋଗରେ ସ୍ଥାପିତ ଆଇଏମ୍‌ଜିସି ହେଉଛି ଦେଶର ଏକ ଅଗ୍ରଣୀ ଅଣ ବ୍ୟାଙ୍କିଙ୍ଗ୍ ଆର୍ଥିକ ପ୍ରତିଷ୍ଠାନ। ବ୍ୟାଙ୍କରେ କୌଣସି ପ୍ରକାର ସମ୍ପତ୍ତି ବନ୍ଧକ ରଖିବା କିମ୍ବା ଗୃହ ଋଣ ନେଇ ପାରୁ ନଥିବା ଗ୍ରାହକମାନଙ୍କୁ ତାଙ୍କ ସଂସ୍ଥା ସହାୟତା ଯୋଗାଇ ଆସୁଛି। ଏହି ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ତାଙ୍କ ସଂସ୍ଥା ଗ୍ୟାରେଣ୍ଟର୍‌ ଭୂମିକା ନିର୍ବାହ କରୁଛି। ଆର୍ଥିକ ସେବା କ୍ଷେତ୍ରରେ ମହେଶଙ୍କ ଦୀର୍ଘ ୨୦ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି। ପୂର୍ବରୁ ସେ ଆଭିଭା ଲାଇଫ୍ ଇନ୍‌ସ୍ୟୁରାନ୍ସ ଇଣ୍ଡିଆର ମୁଖ୍ୟ ବିତରଣ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଉକ୍ତ କମ୍ପାନିର ବ୍ୟକ୍ତିଗତ ଓ ଗ୍ରୁପ୍ ବୀମା ବ୍ୟବସାୟର ଦାୟିତ୍ବ ତୁଲାଇବା ସହିତ ଏକ ବିଶାଳ ଟିମ୍‌ର ନେତୃତ୍ବ ନେଉଥିଲେ। ଆଭିଭା ଲାଇଫ୍ ଇନସ୍ୟୁରାନ୍ସ ବ୍ୟତୀତ ସେ ଏକ୍ସପେରିଆନ୍, ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ବ୍ୟାଙ୍କ ଓ ସିଟି ବ୍ୟାଙ୍କ ଭଳି ବିଶ୍ବସ୍ତରୀୟ ଆର୍ଥିକ ପ୍ରତି‌ଷ୍ଠାନରେ ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ବନ୍ଧକ, ବିପଦ ବିଶ୍ଳେଷଣ, କ୍ରେଡିଟ୍ କାର୍ଡ ଆଦି କ୍ଷେତ୍ରରେ ତାଙ୍କର ବିଶେଷ ଦକ୍ଷତା ରହିଛି।

ଲୀନା ଜଇସାନି
ଆସିଷ୍ଟାଣ୍ଟ୍ ସେକ୍ରେଟାରି ଜେନେରାଲ୍‌, ଫିକି
ଲୀନା ଜଇସାନି ଉଦ୍ୟୋଗ ଏବଂ ବାଣିଜ୍ୟ ଜଗତର ଏକ ପରିଚିତ ନାମ। ଭାରତୀୟ ବାଣିଜ୍ୟ ଓ ଉଦ୍ୟୋଗ ମହାସଂଘ (ଫିକି)ରେ ସେ ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ହେଲା କାର୍ଯ୍ୟ କରିଆସୁଛନ୍ତି। ମହାରାଷ୍ଟ୍ରର ନାଗପୁରରେ ଜନ୍ମଲାଭ ସମେତ ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ଇଂରାଜୀ ଭାଷା ଏବଂ ଲୋକସମ୍ପର୍କ ବିଭାଗରେ ଡିଗ୍ରି ହାସଲ କରିଛନ୍ତି। ଶିଳ୍ପ ଓ ନିବେଶକଙ୍କୁ ସୁହାଇବା ଭଳି ନୀତି ନିୟମ ପ୍ରଣୟନ କରିବାରେ ସରକାର ଓ ଶିଳ୍ପଜଗତ ସହିତ ସାମିଲ ହୋଇ କାର୍ଯ୍ୟ କରିବା, ଶିଳ୍ପ ସଂସ୍ଥା ଲାଗି ସୁଯୋଗ ସୃଷ୍ଟି କରିବା ଓ ସେମାନଙ୍କ ପାଇଁ ବିଶ୍ବସ୍ତରୀୟ ସଂଯୋଗ ଓ ସହଯୋଗିତା ସ୍ଥାପନ କରିବା ଦିଗରେ ସେ ଅନେକ ବର୍ଷ ଧରି କାର୍ଯ୍ୟ କରୁଛନ୍ତି। ଗୁରୁତ୍ବପୂର୍ଣ୍ଣ ଯୋଗାଯୋଗ, ସମ୍ପର୍କ ସୃଷ୍ଟି ଏବଂ ନିୟମକୁ ନେଇ ପରାମର୍ଶ ପ୍ରଦାନ କରିବା କ୍ଷେତ୍ରରେ ତାଙ୍କର ବିପୁଳ ଅଭିଜ୍ଞତା ରହିଛି। ଏସିଆରେ ମନୋରଞ୍ଜନ ବ୍ୟବସାୟର ସର୍ବବୃହତ୍ ସମ୍ମେଳନର ସେ ନେତୃତ୍ବ ନେଉଛନ୍ତି। ଫଳରେ ତାଙ୍କ ଜରିଆରେ ଭାରତୀୟ ଶିଳ୍ପ ଜଗତରେ ପ୍ରବେଶ କରିବା ବିଶ୍ବସ୍ତରୀୟ ବିଦେଶୀ ସଂସ୍ଥା ଗୁଡ଼ିକ ପାଇଁ ବେଶ୍ ସହଜ ହେଉଛି। ସମ୍ପ୍ରତି ସେ ଫିକି ୟଙ୍ଗ ଲିଡର୍ସ, ଗଣମାଧ୍ୟମ ଏବଂ ମନୋରଞ୍ଜନ, କଳା ଓ ସଂସ୍କୃତି, ରିଟେଲ୍‌, ଏଫ୍‌ଏମ୍‌ସିଜି, ରତ୍ନପଥର ଓ ଗହଣା ସମେତ ଫିକିର ଲକ୍‌ଜୁରି ଡିଭିଜନର ଦେଖାଶୁଣା କରୁଛନ୍ତି।

ସମ୍ବନ୍ଧିତ ଖବର