ବ୍ରହ୍ମପୁର : ନାରୀମାନଙ୍କ ସୁରକ୍ଷା ନେଇ ବ୍ରହ୍ମପୁର ପୁଲିସ ଆରମ୍ଭ କରିଥିଲା ‘ସ୍ୱୟଂସିଦ୍ଧା’ ଯୋଜନା। ଏହି ଯୋଜନାରେ କେତେ ନାରୀ ନ୍ୟାୟ ପାଇଛନ୍ତି ତାହା ସାଧାରଣ ଲୋକେ ସମ୍ପୂର୍ଣ୍ଣ ଅଜ୍ଞ। ହେଲେ ଆଜି ବ୍ରହ୍ମପୁର ସହରରେ ଜଣେ କଲେଜ ଛାତ୍ରୀ ଯେଉଁ ସାହସ ଦେଖାଇଛନ୍ତି ସେଥିଯୋଗୁଁ ସେ ସାଧାରଣରେ ‘ସ୍ୱୟଂସିଦ୍ଧା’ର ପରିଚୟ ପାଇଛନ୍ତି। ଛାତ୍ରୀ ଜଣକ ଜଣେ ରୋଡ଼ ରୋମିଓକୁ ସାବାଡ଼ କରିଛନ୍ତି। ସେହି ଘଟଣାର ଭାଇରାଲ୍ ଭିଡ଼ିଓ ଦେଖି ସାଧାରଣ ଲୋକ, ମହିଳା ଓ ଯୁବତୀ ସମ୍ପୃକ୍ତ ଛାତ୍ରୀଙ୍କୁ ସାବାସି ଦେଇଛନ୍ତି।
ଆଜି ସମୟ ପାଖାପାଖି ୧୦ଟା। ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳ ଗାନ୍ଧୀନଗର ରାସ୍ତା ଭିଡ଼ ଥାଏ। ସାଇ କମ୍ପ୍ଲେକ୍ସ ପାର୍ଶ୍ୱ ଦେଇ ଗାନ୍ଧୀନଗର ପ୍ରଥମ ଲାଇନ୍ ଯିବାକୁ ଥିବା ରାସ୍ତାରେ ହଠାତ୍ ଜଣେ କଲେଜ ଛାତ୍ରୀ ସାଇକେଲ ରଖିଲେ। ନିକଟରେ ଥିବା ଜଣେ ଯୁବକ ପାଖକୁ ଯାଇ ଗାଳି କରିଥିଲେ। ଯୁବକ ଜଣକ ଓଲଟା ଉତ୍ତର ଦେବାରୁ ଛାତ୍ରୀ ଜଣକ ନିଜର ଚପଲ୍ ଖୋଲି ତାର ଗାଲକୁ ୪/୫ ଚଟକଣି ସେକିଥିଲେ। ସେଠାରେ ଲୋକଙ୍କ ଭିଡ଼ ଜମିଗଲା। ଛାତ୍ରୀ ଜଣକ ସେହି ଯୁବକଙ୍କୁ ଗାଳି କରୁଥାନ୍ତି, ମଝିରେ ମଝିରେ ପଡ଼ୁଥାଏ ଚପଲ ମାଡ଼। ଏ ସମୟରେ ସେଠାରେ ଥିବା ଦେଖଣାହାରୀ ମୋବାଇଲରେ ଦୃଶ୍ୟ ରେକର୍ଡ଼ କରିଥିବା ବେଳେ ଆଉ କିଏ ଫଟୋ ଉଠାଇ ନେଇଥିଲେ। କିଛି କ୍ଷଣ ମଧ୍ୟରେ ସେହି ଭିଡ଼ିଓ ଏବଂ ଫଟୋ ଗୋଟିଏ ମୋବାଇଲକୁ ଆଉ ଗୋଟିଏ ମୋବାଇଲକୁ ଭାଇରାଲ୍ ହେଲା। ବୁଝିବାରେ ଜଣାପଡ଼ିଲା, ସମ୍ପୃକ୍ତ ଛାତ୍ରୀଙ୍କୁ ସେହି ଯୁବକ ବାରମ୍ବାର ହଇରାଣ କରି ଆସୁଥିଲେ। ଏ ନେଇ ଛାତ୍ରୀ ଜଣକ ତାଙ୍କୁ ତାଗିଦ ମଧ୍ୟ କରିଥିଲେ। ମାତ୍ର, ନ ସୁଧୁରିବାରୁ ଶେଷରେ ସେ ଏଇ ପଥ ବାଛି ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/beat.jpg)